ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଅଛି ଯଦି ତୁମେ ମନେ 

ଅଛି ଯଦି ତୁମେ ମନେ 

 

                  କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ନବ୍ୟ ଯୁଗର ସଭ୍ୟ ମାନବ

                  କହିଦିଅ କହିଦିଅ,

ଆଗକୁ କି ଅବା ପଛକୁ ରହିଛି

                 କେଉଁଆଡ଼େ ତୁମ ମୁହଁ।

ବୀର ଦର୍ପରେ ଲମ୍ବାଇ ଚ଼ାଲ

                 ଶକ୍ତ ଏକ ଧାଡ଼ି,

ବୁଝିପାରୁ ନାହଁ ଚ଼େତି ପାରୁନାହଁ

ଆଗକୁ ନୁହେଁ ରେ ପଛକୁ ପଛକୁ

                 ଯାଉଅଛ ତୁମେ ମାଡ଼ି।।

 

ଲଙ୍ଗଳା ସେଇ ଆଦିମ ମାନବ ପାଶେ

ଛଳନାର ମୁଖା ପିନ୍ଧି ଚାଲିଛ

               କି କଥା କହିବା ଆଶେ।।

 

ଅନେକ ଯୁଗର ଅଭିଜ୍ଞତା କିବା

               ବଖାଣି ବସିବ ତାରେ,

ଘଟିଗଲା ଯାହା ସର୍ପିଳ ଏଇ

              ଜୀବନର-ଗତିଧାରେ ।

ସେଥିପାଇଁ କିବା ଏତେ ଉତ୍ସୁକ ମନ

ମନର-ଗହନ କଥା କହିବାକୁ

             ମଣୁଛକି ଅପମାନ ।।

 

ତୁମେ ଭାବୁଅଛ ଆଗକୁ ଯାଉଛ

             ଶତାବ୍ଦୀର-ଯାନ ଚ଼ଢ଼ି,

ତୃତୀୟ ନୟନେ ଦେଖୁଛି ମୁଁ ଠିକେ

             ସମୟର ସିଡ଼ି ଚ଼ଢି଼ ।

ଯାନ ତୁମ ପଶ୍ଚାତ୍ ମୁଖି

ଅଭିଯାନର ସେ ଭବିଷ୍ୟ ବାଣୀ

             ଆଜି ମୁଁ ଯାଉଛି ଲେଖି।।

 

ଆଗକୁ ଯିବାର ଇଚ୍ଛା-ଅଭୀପ୍ସା

             ଅଛି ଯଦି ତୁମେ ମନେ,

କୁତ୍ସିତ ଚ଼ିନ୍ତା-ଚ଼େତନାର ଖୋଳ

ଉତ୍ତାରି ଆସ-

ଆସହେ ବନ୍ଧୁ

ଆରୋହଣ କରି

          ମାନବିକତାର ବଜ୍ର-ଯାନେ।।

 

ତେବେ ସିନା ତୁମ ଲକ୍ଷ ପୁରିବ

ଶୁଭ-ସ୍ବାଗତିକା ଶଙ୍ଖ ବାଜିବ

ଦିଗ୍ ବଳୟ ରୁ ତାମସା ଖସିବ

            ଲୋହିତ ପାଟଳ ରେଖା,

ନବୀନ ଉଷାର ଶିରୋଭୂଷା ହେବ

ନଭ-ଅଙ୍ଗନେ

             ହସିବ ସୂର୍ଯ୍ୟ-ଶିଖା ।।

             

କୁମାର ପୁର ।ଅନନ୍ତ ପୁର ।
ବାସୁଦେବ ପୁର। ଭଦ୍ରକ ।

Related posts

ବରିଷ୍ଠ ନେତା ଶରତ ପଟ୍ଟନାୟକପିସିସି ସଭାପତି ନିଯୁକ୍ତ

ରାଜସ୍ବ ଗୃହ ନିର୍ମାଣ ଚାଲିଛି , ସରପଞ୍ଚ ଜାଣି ନାହାନ୍ତି କେଉ ବିଭାଗ ଓ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି l

Sunil Chandra Nayak

ଚୋରୀ ଅଭିଯୋଗରେ ୪ ଗିରଫ

Sunil Chandra Nayak

Leave a Comment

error: Content is protected !!