ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଭଗ୍ନ କୋଣାର୍କ

       ଭଗ୍ନ କୋଣାର୍କ

  ପ୍ରତାପ କିଶୋର ରାଉତ

 

ଲକ୍ଷେ ନିହାଣ  ମୁନର ଆଘାତେ

               ତୋର ପରିପାଟି ହସି ଉଠିଲା

କାଳ ର କରାଳ ଗରଭେ ବିଲୀନ

             ସବୁ କଳା ତୋର ହଜି କି ଗଲା

     ଜାତିର ଗୌରବ ମହିମା ଗାଇ

କ୍ଲାନ୍ତ ଅବସନ୍ନ ଭଙ୍ଗାମନ ଧରି

          କାହା ପଥ ଅବା ରହିଛୁ ଚାହିଁ ।୧।

 

ଶପ୍ତାଶ୍ଚର୍ଯ୍ୟ ର ମହକେ ମୋହିଲୁ

         ବିଶ୍ୱେ କୋଟି ମନ କେଡ଼େ ରଙ୍ଗରେ

ସ୍ଥାପତ୍ୟ ଜଗତେ ରଚିଲୁ କିରତୀ

           କୋଟି ମନ ତଳେ ସ୍ୱପ୍ନ ବିଭୋରେ

      ହଜାଇ ଦେଲୁ କି ଅତୀତ ଶିରୀ

ବିଚରା ଧରମା ତ୍ୟାଗ ବଳିଦାନ

       ଉଣା ହେଲା କିବା ଅତୀତ ଶିରୀ ।୨।

 

ରମ୍ୟ କଳା ରେ କୋଟି ଜନ ମନ 

            କିଣି ଦେଲୁ ସତେ ଆକର୍ଷଣ ରେ

ନଗ୍ନ ନଟି ର ପ୍ରଣୟ ଫାଶ ରେ 

        ବାନ୍ଧିଦେଲୁ କେତେ  ମନ ମୋହିରେ

      କୁଆଡେ ଗଲା ସେ ହଜିଲା ଦିନ

ବ୍ୟଥା କୋହ ଧରି ନିଃସହାୟ ଭାବେ

          ବିତି ଯାଉଅଛି ଆଜି ତୋ ଦିନ ।୩।

 

ବାରଶ ବଢ଼େଇ ପିଞ୍ଜରା ଉପରେ

         ଠିଆ ହୋଇ ଦିନେ ବିଭୋର ମନେ

ଚନ୍ଦ୍ର ଭାଗା ର ଉତ୍ତାଳ ତରଙ୍ଗ 

             ଦେଖି ନାଚୁଥିଲୁ କେତେ ବିଜନେ

     ଆଜି ସେ ଦିନ କି ଆସିବ ଫେରି

ହଜିଲା ଅତୀତ ହଜି ଗଲା ସତେ

            ଲୁଚିଗଲା କିବା ଅତୀତ ଶିରୀ ।୪।

 

ଲକ୍ଷେ ଓଡ଼ିଆ ର ଗଉରବ ଗାଥା

              ଗାଉଥିଲୁ ଦିନେ ହରଷ ଭରେ

ଆଜି ସତେ ଭଗ୍ନ ମନୋରଥ ନେଇ

                ଅତୀତ ଝରାଏ ଲୁହ ଅଧିରେ

       ଓଡ଼ିଆତ୍ୱ ସତେ ଗଲାକି ହଜି

କଳା ର ଗାରିମା ଲୁଚିଗଲା ସତେ

        ଗୌରବ କି ସତେ ପଡିଲା ଭାଜି ।୫।

 

ସ୍ଥାପତ୍ୟ ଜଗତ ମଉଡମଣି ତୁ

            ତୋ ମହତ୍ତ୍ଵ କେବେ ନପାରେ ମରି

ସୁଷମା ଶାଳିନୀ ମନ୍ଦ୍ର କଲ୍ଲୋଳିନୀ

            ଶୋଭାଗିନୀ ଅଟୁ ତୁ ରାଜେଶ୍ୱରୀ

        ଫେରିବ କେବେସେ ହଜିଲା ଦିନ

ସ୍ପର୍ଦ୍ଧିତ ସ୍ୱରରେ ବିଶ୍ୱ ଗାଉଥିବ

            ଗଉରବ ଗାଥା ଶିର ଟେକିଣ ।୬।

  ତେନ୍ତୁଳିପଦୀ, ହାଟଡ଼ିହି ,କେନ୍ଦୁଝର

           

Related posts

ମା ତାରିଣୀ ପୀଠ ରେ ନିଶା ମଂଗଳ ବାର ଓଷା ବିଧି ପାଳନ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ମ.ରାମପୁର ରେ ସିପିଆଇ(ଏମ ଏଲ) ଲିବରେସନ ର ଜିଲ୍ଲା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!