ମହାଭାରତ କଥା……..୯
ଯୁଦ୍ଧରେ ବିଶ୍ଵରୂପ ଧାରଣ କରିଥିବା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କ’ଣ କହିଲେ
ଶ୍ରୀକୃଷ୍ଣ ନାନାପ୍ରକାର ଜ୍ଞାନଗର୍ଭକ ଉପଦେଶ ଦେଇ ଅର୍ଜୁନଙ୍କର ମୋହ ଭଙ୍ଗ କରିଥିଲେ । ଏହାଛଡା ସେ ଅର୍ଜୁନଙ୍କୁ ନିଜ ବିଶ୍ଵରୂପ ଦେଖାଇଥିଲେ, ଯାହାକି ଇତିପୂର୍ବରୁ କେହି କେବେ ଦେଖି ନ ଥିଲେ । ଅର୍ଜୁନ ବିସ୍ମୟ ବିସ୍ଫାରିତ ନୟନରେ ଦେଖିବାକୁ ପାଇଲେ ବିଶ୍ଵରୂପୀ ଭଗବାନଙ୍କର ନାନାବର୍ଣ୍ଣ, ନାନାପ୍ରକାର ଓ ନାନା ଆକୃତିର ଶତ ଶତ ସହସ୍ର ସହସ୍ର ଅଲୌକିକ ରୂପ । ଅନେକ ମୁଖ ଓ ନେତ୍ରଯୁକ୍ତ ପରମେଶ୍ବରଙ୍କ ବିରାଟ ସ୍ଵରୂପ ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦେଖିଲେ ବିକଟାଳ ଦାନ୍ତସବୁ ରହିଥିବା ପାଟିମାନଙ୍କରେ ଧୃତରାଷ୍ଟ୍ରଙ୍କର ପୁତ୍ରଗଣ,ସମସ୍ତ ସୈନ୍ୟସାମନ୍ତ ଏବଂ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣାଚାର୍ଯ୍ଯ, କର୍ଣ୍ଣ ଓ ଅନ୍ଯାନ୍ଯ ଯୋଦ୍ଧାମାନେ ପ୍ରବେଶ କରୁଛନ୍ତି । କେହି କେହି ଚୂର୍ଣ୍ଣବିଚୂର୍ଣ୍ଣ ମୁଣ୍ଡ ସହିତ ଦାନ୍ତ ସନ୍ଧିମାନଙ୍କରେ ଲାଗି ରହିଛନ୍ତି । ଚତୁର୍ଦ୍ଦିଗକୁ ବ୍ଯାପୀ ରହିଥିବା ଏହି ଶରୀରର ଅନ୍ତ ସେ ଦେଖିବାକୁ ପାଇଲେ ନାହିଁ । ଶ୍ରୀକୃଷ୍ଣଙ୍କର ତେଜୋମୟ ବିଶ୍ଵରୂପ ଦେଖି ଅର୍ଜୁନଙ୍କ ଚକ୍ଷୁ ଝଲସି ଉଠିଲା । ସେ ଭୟଭୀତ ହୋଇ ବିଶ୍ଵରୂପୀ ଭଗବାନଙ୍କୁ ବାରମ୍ବାର ପ୍ରଣାମ କରିବାକୁ ଲାଗିଲେ । ଅର୍ଜୁନ କମ୍ପିତ ଗଳାରେ କହିଲେ– ହେ ଦେବ , ଏପରି ରୂପରେ ତୁମେ କିଏ, ମୋତେ କୁହ । ଏ ଭୟଙ୍କର ରୂପ ଦେଖି ମୁଁ ନିଜକୁ ସମ୍ଭାଳିପାରୁ ନାହିଁ । ବିଶ୍ଵରୂପ ଧାରଣ କରିଥିବା ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ମୁଁ ହେଉଛି ମହାକାଳ । ଏହି ଲୋକମାନଙ୍କୁ ବିନାଶ କରିବା ପାଇଁ ମୁଁ ପ୍ରବୃତ୍ତ ହୋଇଛି । ତୁମେ ଯୁଦ୍ଧ ନ କଲେ ମଧ୍ୟ ଶତ୍ରୁସେନାରେ ରହିଥିବା ଏହି ଯୋଦ୍ଧାମାନେ କେହି ରହିବେ ନାହିଁ । ସମସ୍ତଙ୍କର ବିନାଶ ହୋଇଯିବ । ସୁତରାଂ ତୁମେ ନିମିତ୍ତମାତ୍ର ହୋଇ ନିର୍ଭୟରେ ଯୁଦ୍ଧକର, ଆଉ ଜୟ ଲାଭ କରି ରାଜ୍ଯ ଭୋଗ କର । ଅର୍ଜୁନ ଭୟରେ ଥରି ଥରି କରଯୋଡି କହିଲେ, ହେ ପ୍ରଭୁ , ତୁମେ ଏପରି ବିରାଟ ବୋଲି ମୁଁ ଜାଣି ନ ଥିଲି । ତୁମର ଅଚିନ୍ତନୀୟ ପ୍ରଭାବ ଜାଣି ନ ପାରି, ତୁମକୁ ମୋର ଜଣେ ବନ୍ଧୁ ଓ ସଖା ବୋଲି ଭାବି ଅନେକ ସମୟରେ ଥଟ୍ଟା ପରିହାସ କରିଛି । ତୁମକୁ ଏପରି ଅପମାନିତ କରିଥିବାରୁ ମୋ ଦୋଷ କ୍ଷମା କର ପ୍ରଭୁ ! ମୁଁ ତୁମର ଏ ଭୟଙ୍କର ରୂପ ଆଉ ଦେଖି ପାରୁ ନାହିଁ । ତୁମେ ପୂର୍ବରୂପ ଧାରଣ କରି ମୋର ଭୟ ଦୂର କର । ଏହା କହି ଅର୍ଜୁନ ବାରମ୍ବାର ପ୍ରଣାମ କରିବାକୁ ଲାଗିଲେ । ଏହାପରେ ଶ୍ରୀକୃଷ୍ଣଙ୍କର ବିଶ୍ଵରୂପ ପ୍ରତ୍ଯାହାର କରିନେଇ ସ୍ବାଭାବିକ ରୂପ ଧାରଣ କରିଥିଲେ ।
ଦୁଇ ସେନାର ମଧ୍ୟଭାଗରେ ରଥାରୂଢ ଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କର କାଳଜୟୀ ଉପଦେଶ ଶ୍ରବଣ କରି ଏବଂ ସେ ଧାରଣ କରିଥିବା ବିଶ୍ଵରୂପ ଦର୍ଶନ କରି ଅର୍ଜୁନଙ୍କର ମୋହ ଭଙ୍ଗ ହୋଇଥିଲା । ଅର୍ଜୁନ ଜାଣି ପାରିଥିଲେ ଯେ ନିଶ୍ଚିତ ଭାବରେ ଏହି ଧର୍ମଯୁଦ୍ଧରେ ପାଣ୍ଡବମାନଙ୍କର ଜୟଲାଭ ହେବ । ସେ ତାଙ୍କର ମନୋବଳ ଫେରି ପାଇଥିଲେ । ତାଙ୍କ ମନର ସମସ୍ତ ଦୁର୍ବଳତା ଦୂର ହୋଇଯାଇଥିଲା । ସେ ବୀରବିକ୍ରମରେ ଦଣ୍ଡାୟମାନ ହୋଇ ତାଙ୍କର ଗାଣ୍ଡିବ ଧନୁକୁ ତଳୁ ଉଠାଇ ଏକ ଟଙ୍କାର ଦେଲେ ଯାହାର ଶବ୍ଦରେ ସାରାଯୁଦ୍ଧଭୂମି ପ୍ରକମ୍ପିତ ହୋଇ ଉଠିଲା ଏବଂ ଉପସ୍ଥିତ ଥିବା ଯୋଦ୍ଧାମାନେ ଭୟରେ ପ୍ରମାଦ ଗଣିଲେ । ତା’ ପରେ ଶ୍ରୀକୃଷ୍ଣ ତାଙ୍କର କପିଧ୍ବଜ ରଥ ଚାଳନା କଲେ । କ୍ରମଶଃ……