ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଭାରତ କଥା……..୯

ମହାଭାରତ କଥା……..୯

ଯୁଦ୍ଧରେ ବିଶ୍ଵରୂପ ଧାରଣ କରିଥିବା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କ’ଣ କହିଲେ

  ଶ୍ରୀକୃଷ୍ଣ ନାନାପ୍ରକାର ଜ୍ଞାନଗର୍ଭକ ଉପଦେଶ ଦେଇ ଅର୍ଜୁନଙ୍କର ମୋହ ଭଙ୍ଗ କରିଥିଲେ । ଏହାଛଡା ସେ ଅର୍ଜୁନଙ୍କୁ ନିଜ ବିଶ୍ଵରୂପ ଦେଖାଇଥିଲେ, ଯାହାକି ଇତିପୂର୍ବରୁ କେହି କେବେ ଦେଖି ନ ଥିଲେ । ଅର୍ଜୁନ ବିସ୍ମୟ ବିସ୍ଫାରିତ ନୟନରେ ଦେଖିବାକୁ ପାଇଲେ ବିଶ୍ଵରୂପୀ ଭଗବାନଙ୍କର ନାନାବର୍ଣ୍ଣ, ନାନାପ୍ରକାର ଓ ନାନା ଆକୃତିର ଶତ ଶତ ସହସ୍ର ସହସ୍ର ଅଲୌକିକ ରୂପ । ଅନେକ ମୁଖ ଓ ନେତ୍ରଯୁକ୍ତ ପରମେଶ୍ବରଙ୍କ ବିରାଟ ସ୍ଵରୂପ ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦେଖିଲେ ବିକଟାଳ ଦାନ୍ତସବୁ ରହିଥିବା ପାଟିମାନଙ୍କରେ ଧୃତରାଷ୍ଟ୍ରଙ୍କର ପୁତ୍ରଗଣ,ସମସ୍ତ ସୈନ୍ୟସାମନ୍ତ ଏବଂ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣାଚାର୍ଯ୍ଯ, କର୍ଣ୍ଣ ଓ ଅନ୍ଯାନ୍ଯ ଯୋଦ୍ଧାମାନେ ପ୍ରବେଶ କରୁଛନ୍ତି । କେହି କେହି ଚୂର୍ଣ୍ଣବିଚୂର୍ଣ୍ଣ ମୁଣ୍ଡ ସହିତ ଦାନ୍ତ ସନ୍ଧିମାନଙ୍କରେ ଲାଗି ରହିଛନ୍ତି । ଚତୁର୍ଦ୍ଦିଗକୁ ବ୍ଯାପୀ ରହିଥିବା ଏହି ଶରୀରର ଅନ୍ତ ସେ ଦେଖିବାକୁ ପାଇଲେ ନାହିଁ । ଶ୍ରୀକୃଷ୍ଣଙ୍କର ତେଜୋମୟ ବିଶ୍ଵରୂପ ଦେଖି ଅର୍ଜୁନଙ୍କ ଚକ୍ଷୁ ଝଲସି ଉଠିଲା । ସେ ଭୟଭୀତ ହୋଇ ବିଶ୍ଵରୂପୀ ଭଗବାନଙ୍କୁ ବାରମ୍ବାର ପ୍ରଣାମ କରିବାକୁ ଲାଗିଲେ । ଅର୍ଜୁନ କମ୍ପିତ ଗଳାରେ କହିଲେ– ହେ ଦେବ , ଏପରି ରୂପରେ ତୁମେ କିଏ, ମୋତେ କୁହ । ଏ ଭୟଙ୍କର ରୂପ ଦେଖି ମୁଁ ନିଜକୁ ସମ୍ଭାଳିପାରୁ ନାହିଁ । ବିଶ୍ଵରୂପ ଧାରଣ କରିଥିବା ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ମୁଁ ହେଉଛି ମହାକାଳ । ଏହି ଲୋକମାନଙ୍କୁ ବିନାଶ କରିବା ପାଇଁ ମୁଁ ପ୍ରବୃତ୍ତ ହୋଇଛି । ତୁମେ ଯୁଦ୍ଧ ନ କଲେ ମଧ୍ୟ ଶତ୍ରୁସେନାରେ ରହିଥିବା ଏହି ଯୋଦ୍ଧାମାନେ କେହି ରହିବେ ନାହିଁ । ସମସ୍ତଙ୍କର ବିନାଶ ହୋଇଯିବ । ସୁତରାଂ ତୁମେ ନିମିତ୍ତମାତ୍ର ହୋଇ ନିର୍ଭୟରେ ଯୁଦ୍ଧକର, ଆଉ ଜୟ ଲାଭ କରି ରାଜ୍ଯ ଭୋଗ କର । ଅର୍ଜୁନ ଭୟରେ ଥରି ଥରି କରଯୋଡି କହିଲେ, ହେ ପ୍ରଭୁ , ତୁମେ ଏପରି ବିରାଟ ବୋଲି ମୁଁ ଜାଣି ନ ଥିଲି । ତୁମର ଅଚିନ୍ତନୀୟ ପ୍ରଭାବ ଜାଣି ନ ପାରି, ତୁମକୁ ମୋର ଜଣେ ବନ୍ଧୁ ଓ ସଖା ବୋଲି ଭାବି ଅନେକ ସମୟରେ ଥଟ୍ଟା ପରିହାସ କରିଛି । ତୁମକୁ ଏପରି ଅପମାନିତ କରିଥିବାରୁ ମୋ ଦୋଷ କ୍ଷମା କର ପ୍ରଭୁ ! ମୁଁ ତୁମର ଏ ଭୟଙ୍କର ରୂପ ଆଉ ଦେଖି ପାରୁ ନାହିଁ । ତୁମେ ପୂର୍ବରୂପ ଧାରଣ କରି ମୋର ଭୟ ଦୂର କର । ଏହା କହି ଅର୍ଜୁନ ବାରମ୍ବାର ପ୍ରଣାମ କରିବାକୁ ଲାଗିଲେ । ଏହାପରେ ଶ୍ରୀକୃଷ୍ଣଙ୍କର ବିଶ୍ଵରୂପ ପ୍ରତ୍ଯାହାର କରିନେଇ ସ୍ବାଭାବିକ ରୂପ ଧାରଣ କରିଥିଲେ ।

     ଦୁଇ ସେନାର ମଧ୍ୟଭାଗରେ ରଥାରୂଢ ଥିବା ଅବସ୍ଥାରେ ଶ୍ରୀକୃଷ୍ଣଙ୍କର କାଳଜୟୀ ଉପଦେଶ ଶ୍ରବଣ କରି ଏବଂ ସେ ଧାରଣ କରିଥିବା ବିଶ୍ଵରୂପ ଦର୍ଶନ କରି ଅର୍ଜୁନଙ୍କର ମୋହ ଭଙ୍ଗ ହୋଇଥିଲା । ଅର୍ଜୁନ ଜାଣି ପାରିଥିଲେ ଯେ ନିଶ୍ଚିତ ଭାବରେ ଏହି ଧର୍ମଯୁଦ୍ଧରେ ପାଣ୍ଡବମାନଙ୍କର ଜୟଲାଭ ହେବ । ସେ ତାଙ୍କର ମନୋବଳ ଫେରି ପାଇଥିଲେ । ତାଙ୍କ ମନର ସମସ୍ତ ଦୁର୍ବଳତା ଦୂର ହୋଇଯାଇଥିଲା । ସେ ବୀରବିକ୍ରମରେ ଦଣ୍ଡାୟମାନ ହୋଇ ତାଙ୍କର ଗାଣ୍ଡିବ ଧନୁକୁ ତଳୁ ଉଠାଇ ଏକ ଟଙ୍କାର ଦେଲେ ଯାହାର ଶବ୍ଦରେ ସାରାଯୁଦ୍ଧଭୂମି ପ୍ରକମ୍ପିତ ହୋଇ ଉଠିଲା ଏବଂ ଉପସ୍ଥିତ ଥିବା ଯୋଦ୍ଧାମାନେ ଭୟରେ ପ୍ରମାଦ ଗଣିଲେ । ତା’ ପରେ ଶ୍ରୀକୃଷ୍ଣ ତାଙ୍କର କପିଧ୍ବଜ ରଥ ଚାଳନା କଲେ । କ୍ରମଶଃ……

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା

ସମ୍ପାଦକ–ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର

Related posts

ଇ-ଖବରକାଗଜ ‘ଓଡ଼ିଆ ବାର୍ତ୍ତା’ ଲୋକାର୍ପିତ

Sunil Chandra Nayak

ନୀଳ ମାଧବ ସରକାରୀ ହାଇ ସ୍କୁଲରେ 76ତମ ସ୍ଵାଧୀନତା ଦିବସ ପାଳନ

Sunil Chandra Nayak

କୁମୁସି ଗୋଷ୍ଠୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଢେଙ୍କାନାଳ ଜିଲ୍ଲା ୱେବମିଡିଆ ସାମ୍ବାଦିକ ସଂଘର ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!