ଜଣାଣ
ମାନଗୋବିନ୍ଦ ସ୍ବାଇଁ
ସଂସାର ଜଞ୍ଜାଳେ ଘାଣ୍ଟି ହେଉଅଛି
କେବେ ମିଳିବ ମୋ ସୁଖ
ତୋ ପଥ ଚାହିଁଛି ଅନାଇ ରହିଛି
ଆହେ କଳା ପଦ୍ମ ମୁଖ।
ଜଳ ସ୍ଥଳ ନଭ ତୁମକୁ ଖୋଜୂଛି
ହସି ଦିଅ ଦରଶନ
ଭେଟିଲେ କହିବି ମୋଦୁଃଖ କାହାଣୀ
ହେବା ପାଇଁ ପାଦ ମାନ।
ସମୟ କହିଲେ ପ୍ରତୀକ୍ଷା କରିବି
କ’ଣ ଦେବ ଭକ୍ତି ଦାନ
ଗାଉଛି ଜଣାଣ ଭଜନ କୀର୍ତ୍ତନ
ସବୁ ପରା ତୁମ ଦାନ।
ଏଇ କଣ୍ଠେ ସ୍ବର ତାଳ ଲୟ ଦେଇ
ଶିଖାଇଛ କେତେ ଗୀତ
ସେ ଗୀତ ଗାଉଛି ତୁମରି ଆଗରେ
ପଦ ଜନ କି ଅମୃତ ।
ତୁମ ନାମ ପଦ ଅମୃତ ଝରୁଛି
ପାପ ସବୁ ଯାଏ ଛାଡି
ଶୁଣି ତୁମ ପଦ ଆସେ ଭକ୍ତି ମାର୍ଗ
ପ୍ରଣାମ ମୋ ପାଦ ଯୋଡ଼ି।
ଯେତେ ଯାହା କୁହ ମୁହିଁ ତୁମ ପଥ
ରହିଛି ମୁ ଅନୁସରି
ଆସିଲେ କହିବି ମୋ ସଂସାର କଥା
ଗୁପ୍ତରେ କରିବ ପାରି।
ହାତ ଗୋଡ଼ ନାହିଁ ତଥାପି ବୁଝୁଛ
କାନ ନାହିଁ ଏବେ ଶୁଣ
ମୋ ଭାବକୁ ଶୁଣ ଅନ୍ତେ ଗୁଣ କଥା
ଘେନି କହେ ମୋ ପ୍ରଣାମ।