ରାଜ୍ୟର ୧୪ ହଜାର ଘରୋଇ ବସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜୁଲାଇ ୧ରୁ ବନ୍ଦ ରହିବ ବୋଲି ସଂଘର ସଭାପତି ଚେତାବନୀ
୯ ଦଫା ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ ସଂଘ,ଜୁଲାଇ ୧ ତାରିଖରୁ ସାରା ରାଜ୍ୟରେ ବନ୍ଦ ରହିବ ଘରୋଇ ବସ୍ ସେବା । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଘରୋଇ ବସ୍ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଭାପତି ଏହି ସୂଚନା ଦେଇଛନ୍ତି।
୯ ଦଫା ଦାବି ପୂରଣ ପାଇଁ ଏପରି ଧମକ ଦେଇଛି ବସ୍ ମାଲିକ ସଂଘ। ପରମିଟ୍ଗୁଡ଼ିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର ନିଷ୍ପତ୍ତି କାର୍ଯ୍ୟକାରୀ ନ କରିବା, ବସ୍ଗୁଡିକୁ ସ୍ଥାୟୀ ପରମିଟ୍ ନ ଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍ଗୁଡ଼ିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢ଼ାଇବା ପାଇଁ ସରକାର କୌଣସି ସ୍ଥାନ ନ ଦେବା, କୋଭିଡ ସମୟରେ ବସ୍ ମାଲିକମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରିବା ଏବଂ ଯାତ୍ରୀବାହୀ ବସ୍ଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର ଆଦି ଦାବି କରିଛନ୍ତି।
ଜୁନ୍ ୩୦ ସୁଦ୍ଧା ରାଜ୍ୟ ସରକାର ଦାବିଗୁଡ଼ିକ ପୂରଣ ନ କଲେ ରାଜ୍ୟର ୧୪ ହଜାର ଘରୋଇ ବସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜୁଲାଇ୧ରୁ ବନ୍ଦ ରହିବ ବୋଲି ସଂଘର ସଭାପତି ଚେତାବନୀ ଦେଇଛନ୍ତି ।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….