ବର୍ଷା ଆସିଲା ପରେ
ସରୋଜ କୁମାର ସାହୁ
ଶୁଖିଲା ମାଟିର ବାଲି ଗୋଡି
ଧିରେ ଧିରେ ନୁଆଇଁ ଦେଲେ ମଥା
ମାଟି ଦେହର ଉଷୁମ ଆସ୍ତରଣ
ମୁକୁଳିବାର ପ୍ରୟାସରେ
ତଲାସିଲା ମାଟିର ଛାତି ହାତ ପାପୁଲି
କେଇଦିନର ସଞ୍ଚରିତ ବାସ୍ନା
ଗୁଞ୍ଜରିତ ହୋଇ
ଛୁଟି ଆସିଲା ପଦାକୁ ।
କାକରରେ ଭିଜି ନଥିବା ପତ୍ର
ଦୁଇଟୋପା ବିନ୍ଦୁରେ
ଶୋଷିନେଲା ବରଷକର ଶୁଷ୍କତା
ମାଟିରୁ ଉତୁରି ଆସିଲା ଭିଜାପଣ
ଅୟୁତ କାଳର ନିଶ୍ବାସ
କ୍ଷଣିକରେ ବାଷ୍ପିରୁଦ୍ଧ ହେଲାପରେ,
ଧୂଳିକଣାରେ ଉଡୁଥିବା ଧୂଳି
ହୃଦୟର ପାପଭର୍ତ୍ତି ମନ
ଲାଖଭଳି ଜଳି ଜଳି
ପୁଣି ମିଶିଗଲେ ମାଟିରେ।
ପବନର ଆହୁଲାରେ
ନିରବତାର ସୀମା ଡେଇିଁ
ଚଳଚଞ୍ଚଳ ହୋଇଉଠିଲା ମେଘ
ନଈ ପୁଣି ଫୁଲାଇଲା ଛାତି
ଭାଙ୍ଗିବାକୁ ଛଳନା ପ୍ରତାରଣାର
ଘୃଣ୍ୟ ସେ ନିଶୁଳ୍କ ଵାଡ
ଶୂନ୍ୟାକାଶରେ ଅସରନ୍ତି ଫୁଲ ଭଳି
ଚହଟିଲା କୋଳାହଳ
ପକ୍ଷୀର କାକଳୀ
ମାଟି ଦେହର ନୀରବ ସ୍ବପ୍ନ।
ପ୍ରକୃତି ପଲ୍ଲବିତ ହେଇ
ସଜେଇ ନେଲା ନିଜେ ନିଜକୁ
ନୀଳବର୍ଣ୍ଣ ର ଗାଲିଚାରେ
ପକ୍ଷୀମାନେ ସଜାଡିଲେ
ଉଜୁଡି ଯାଇଥିବା ଘର
ଭାଙ୍ଗି ଯାଉଥିବା ବିଶ୍ବାସ
କୁଟାକାଠିର ଯୋଡା ମହଲ।
ସରୋଜ କୁମାର ସାହୁ
ଆଠଗଡ଼ .କଟକ