ରଜ ପରବ
ପରବ ମଧ୍ୟରେ ରଜ ପରବଟି
ଘରେ ଘରେ ପରିଚିତ,
ପଲ୍ଲୀଠୁ ସହର ସବୁଠାରେ ଭିଡ଼
ପାଳନରେ ମୁଖରିତ l
ରଜସ୍ଵଳା ଆଜି ପୃଥିବୀ ମାଆଟି
ଉର୍ବର ହୋଇଛି ମାଟି,
ବରଷାର ଧାରା ପଡ଼ିବ ଏଠାରେ
କମିଯିବ ଖରା ତାତି l
କୃଷକ ଭାଇର ମନ ଆନନ୍ଦିତ
ସଜାଏ ହଳ ଲଙ୍ଗଳ,
ବରଷକ ପାଇଁ ଫସଲ କରିବ
ଦେଶର ହେବ ମଙ୍ଗଳ l
ଗଛ ଲତା ସବୁ ସତେଜ ହୋଇବେ
ଫୁଲ ଫଳ ଦେବେ ବାଢ଼ି ,
ଧରିତ୍ରୀ ମାଆଟି ସୁନ୍ଦର ଦିଶିବ
ପିନ୍ଧିଣ ସବୁଜ ଶାଢ଼ି l
ଦୋଳିଖେଳ ପାଇଁ ଭାରି ଜଣାଶୁଣା
ରଜ ପରବର ଦିନ,
ଗଛର ଡାଳରେ ଦୋଳି ଖେଳୁଥାନ୍ତି
କୁମାରୀଙ୍କ ଖୁସି ମନ l
ଦୋଳି ଖେଳୁଥିଲେ ଆଜିର ଦିନରେ
ସାଙ୍ଗସାଥି ସବୁ ନେଇ,
ଦ୍ଵାପରଯୁଗରେ ଗୋପପୁରେ ସେହି
ନନ୍ଦ ରାଜାଙ୍କ କହ୍ନେଇ l
ଭାରି ଭଲ ଲାଗେ ରଜ ପୋଡପିଠା
ସଙ୍ଗରେ ବିଡ଼ିଆ ପାନ,
ନୂଆ ପୋଷାକରେ କୁମାରୀ ଝିଅର
ଦୋଳି ଖେଳିବାକୁ ମନ l
ଭାରି ଭଲ ଲାଗେ ରଜ ଦୋଳି ଗୀତ
ବଉଳ ସଙ୍ଗାତ ମକର ଡାକ,
ଗୀତରେ ଗୀତରେ ଭଉଣୀ ରଖନ୍ତି
ଭାଇ ମାନଙ୍କର ସବୁଠି ଟେକ l
ଭାରି ଭଲ ଲାଗେ ପାଉଁଜିର ସ୍ୱର
ଅତି ମନୋହର ପାଦ ଅଳତା,
ହାତର ମେହେନ୍ଦୀ ଦିଶଇ ସୁନ୍ଦର
ମଥାରେ ଝଟକେ ଚନ୍ଦନ ଟିକା l
ଭାରି ଭଲ ଲାଗେ କାକରା ଆରିସା
ଇଡ଼ିଲି ଚକୁଳି ପିଠା ,
ମହମହ ହୋଇ ବାସୁଥାଏ ସେହି
ରଜ ପରବର ମିଠା l
ଭାରି ଭଲ ଲାଗେ ପୂରୁବ ସଂସ୍କୃତି
ତାଆସ ବାଗୁଡ଼ି ଖେଳ,
ସର୍ବେ ଆନନ୍ଦିତ ନିଆରା ପର୍ବରେ
ବୁଡି ଯାଉଥାଏ ବେଳ l