ରୁପ୍ରା, ( ମନିସ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ଅଧିନ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଥୁଆପଦର ଗ୍ରାମର ନାଳ ନିକଟରେ ଏକ ଅଜଣା ପୁରୁଷ ଲୋକର ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବାପରେ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା। ଏହି ଘଟଣା ଜଣାପଡିବା ପରେ ଦେଖିବା ପାଇଁ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା। ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନଥିବା ବେଳେ ତାର ବୟସ ୩୫/୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉକ୍ତ ଶବଟି ବାମ କଡ ହୋଇ ପଡିଥିବା ବେଳେ ତାର ନାକ ଓ ପାଟିରୁ ରକ୍ତ ବାହାରି ଶୁଖି ଯାଇଥିବା ଦେଖିବାକୁ ମିଳିଥିଲା। କେସିଙ୍ଗା ଆଦର୍ଶ ଥାନାରୁ ସେକେଣ୍ଡ ଅଫିସର୍ ସୋନାଲିଶା ବିଶ୍ୱାଳଙ୍କ ନେତୃତ୍ୱରେ ଏଏସ୍ଆଇ ଶ୍ରୀନିବାସ ବିଶ୍ୱାଳ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଥାନାଧିକାରୀ ସତ୍ୟକୁମାର ନନ୍ଦଙ୍କୁ ଜଣାଇଥିଲେ। ପରେ ଏସ୍. ଡି. ପି. ଓ ଅଭିନବ ସୋନକର୍ ଓ ଥାନାଧିକାରୀ ଶ୍ରୀ ନନ୍ଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ତାର ପେଣ୍ଟ୍ ପକେଟ୍ ଯାଞ୍ଚ୍ କରିଥିଲେ, ସେ ଭିକାରୀ ଭଳିଆ ଜଣାପଡୁଥିବା ବେଳେ ତାର ପେଣ୍ଟ୍ ପକେଟରେ ବ୍ୟାଟେରୀ ଓ ସିମ୍ ଲାଗିନଥିବା ଏକ କିପେଡ୍ ମୋବାଇଲ ଓ ଖୁଚୁରା ମୁଦ୍ରା ଥିବାବେଳେ ଅଣ୍ଟାରେ ଗାମୁଛା ବାନ୍ଧିଥିବା ବେଳେ ଗାମୁଛାରେ ଏକ ଷ୍ଟିଲ ଖୁରି ଓ ଗାଈବାନ୍ଧିବା ରଶି ଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟା ନା ଅଂଶୁଘାତ ଜନିତ ମୃତ୍ୟୁ ଜଣା ପଡିନଥିଲେହେଁ ଶବ ବ୍ୟବଚ୍ଛେଦ ହେବାପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନାଧିକାରୀ ଶ୍ରୀ ନନ୍ଦ ସୂଚନା ପ୍ରଦାନ କରିଥିଲେ। ତେବେ ମାଜିଷ୍ଟ୍ରେଟ୍ ଭାବରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ଓ ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ଶବକୁ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ କେସିଙ୍ଗା ହସପିଟାଲକୁ ନେଇଥିଲେ। ଶବ ବ୍ୟବଚ୍ଛେଦ ସମୟରେ ତାର ପାକସ୍ଥଳୀରେ କୌଣସି ଖାଦ୍ୟ ନଥିବା ବେଳେ ଅଂଶୁଘାତର ଶିକାର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି, ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଆସିଲେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଥିଲେ। ଶବଟିର ପରିଚୟ ନଥିବାରୁ ଶବକୁ ମର୍ଗରେ ରଖାଯାଇଥିବା ବେଳେ ମୁସ୍କୁଟି ସରପଞ୍ଚଙ୍କ ପ୍ରତିନିଧି ପତିତପାବନ ଭୋଇଙ୍କ ଲିଖିତ ଅଭିଯୋଗ ପରେ କେସିଙ୍ଗା ଥାନାରେ ୟୁଡି କେଶ୍ ନମ୍ୱର ୧୫/୨୦୨୨ ରେ ଏକ ମାମଲା ଦାୟର ହୋଇଥିବା ଏଏସ୍ଆଇ ଶ୍ରୀନିବାସ ବିଶ୍ୱାଳ ସୂଚନା ଦେଇ କହିଲେ।
ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।