ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ବଉଳ କାଠ

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ବଉଳ କାଠ

 

       ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦିଏ ବକୁଳ ବା ବଉଳ କାଠ । ସେ ପୁଣି ଆଉ କେଉଁଠିକାର ନୁହେଁ ପୁରୀ ସାକ୍ଷୀଗୋପାଳର ସେହିବକୁଳ ବନ । ଯେଉଁଠି ଉତ୍କଳ ମଣି ଗୋପବନ୍ଧୁ ସ୍ଥାପନ କରିଥିଲେ ସତ୍ୟବାଦୀ ବିଦ୍ୟାଳୟ । ଏକଥା କେବେ ଶୁଣି ନ ଥିଲେ ନା । ତେବେ ଆଜି ଆସନ୍ତୁ ଜାଣିବା କିମ୍ବଦନ୍ତୀରେ ଏହାକୁ ନେଇ ଥିବା ଏକ ସୁନ୍ଦର କାହାଣୀ ବିଷୟରେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ର ଦୁଇ ଭାଇ ଦିନେ ସାକ୍ଷୀଗୋପାଳର ବକୁଳବନକୁ ପଣସ ଖାଇବାକୁ ଆସିଥିଲେ । ସେମାନଙ୍କ ଅଜା ସିଦ୍ଧ ପୁରୁଷ ବଳରାମଙ୍କ ଶକ୍ତି ପରୀକ୍ଷା କରିବା ପାଇଁ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳି ଦେଇଥିଲେ । ଏହାପରେ ଅଜା ବଳରାମ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ବଉଳ ଗଛରେ ବାନ୍ଧି ଦେଇଥିଲେ । ଘୋଷଯାତ୍ରାରେ ବଉଳକାଠ ଲାଗିହେବ ବୋଲି କଥା ଦେବାପରେ ଦୁଇ ଭାଇ ମୁକୁଳି ପାରିଥିଲେ । ସେହି ଦିନଠାରୁ ବକୁଳ କାଠ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେବାର ବିଧି ରହି ଆସିଛି ।

     ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଯେଉଁଥିରେ ଯୋଗ ଦିଅନ୍ତି ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଜାତି ଧର୍ମ ନିର୍ବିଶେଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନରୁ ରଥକୁ ଓହ୍ଲାଇ ଆସନ୍ତି ତିନି ଠାକୁର । ଆହାଃ କି ମନୋରମ ଦୃଶ୍ୟ ସତରେ । କିନ୍ତୁ ଗତ ଦୁଇ ବର୍ଷ ହେବ କରୋନା କାରଣରୁ କିଛିଟା ପରିବର୍ତ୍ତନ ଆସିଛି ମହାପ୍ରଭୁଙ୍କ ଏହି ଯାତ୍ରାରେ । ଶ୍ରଦ୍ଧାଳୁ ସିନା ଯୋଗଦେଇ ପାରୁନାହାନ୍ତି କିନ୍ତୁ ମହାପ୍ରଭୁଙ୍କ ବିଧିରେ ବ୍ଯାଘାତ ହେବ କେମିତି । ମାନବୀୟ ଲୀଳାଖେଳା ଦେଖାଉଥିବା ଜଗନ୍ନାଥଙ୍କର ଲୀଳା ବି ସ୍ବତନ୍ତ୍ର । ଆମ ସୁରକ୍ଷାରେ ସିନା ସେ ଅଛନ୍ତି ତାଙ୍କର ବି ତ ସୁରକ୍ଷା ଲୋଡ଼ା । ରଥଯାତ୍ରାର ପହଣ୍ଡି ସମୟରେ ଠାକୁରଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଡିଥାଏ ସେନାପଟ ଓ ବାହଟ । ଯାହାକୁ ବକୁଳ ବା ବଉଳ କାଠରେ ତିଆରି କରାଯାଏ । ପବିତ୍ର ନିର୍ଜଳା ଏକାଦଶୀ ଅବସରରେ ମହାପ୍ରଭୁଙ୍କ ଭୋଇ ସେବାୟତମାନେ ଶଗଡ଼ ବଳଦ ଧରି ପହଞ୍ଚି ଥାନ୍ତି ବକୁଳବନ ନିକଟରେ ।

     ପୂର୍ବରୁ ସେବକମାନେ ଥରେ ଆସି ଗଛ ଚିହ୍ନଟ କରିଥାନ୍ତି । ଆଉ ଏକାଦଶୀ ଦିନ ଆସି ନଡ଼ିଆ ବାଡେଇ ଧୂପ ଦୀପରେ ପୂଜାର୍ଚ୍ଚନା କରାଯାଇ ପୁଷ୍ପମାଳ ଅର୍ପଣ କରାଯିବା ପରେ ଆରମ୍ଭ ହୋଇଥାଏ ଗଛ କଟା ପର୍ବ । ଭୋଇ ସେବାୟତମାନେ କୁରାଢୀ ସାହାଯ୍ୟରେ ବୃକ୍ଷକୁ କାଟିଥାନ୍ତି । ତିନି ଠାକୁରଙ୍କ ଉଦ୍ଦେଶ୍ୟରେ ବକୁଳ ବୃକ୍ଷକୁ କୁରାଢୀରେ ତିନି ଖଣ୍ଡ କରି କଟାଯାଏ । ସତ୍ୟବାଦୀ ବକୁଳବନ ଅଞ୍ଚଳରୁ ଗଛ କଟାଯାଇ ଶଗଡ଼ରେ ଶ୍ରୀମନ୍ଦିର ଅଭିମୁଖେ ନିଆଯାଇଥାଏ । ଘଣ୍ଟଘଣ୍ଟା ସାଙ୍ଗକୁ ଯୋଡି ମହୁରୀ ସହିତ ହରିବୋଲ ହୁଳହୁଳିରେ କମ୍ପିଯାଏ ଚତୁର୍ଦିଗ । ଯିବା ବାଟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥାଏ । ଏହି ଗଛ କଟା ଓ ଶଗଡ଼ରେ ବୋହି ନେବାର ପରମ୍ପରା ବାପ ଜେଜେ ଅମଳରୁ କରି ଆସୁଥିବା ନେଇ ସେବାୟତମାନେ କହିଛନ୍ତି ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

କୁହୁରା ଗ୍ରା:ପ ସମିତି ସଭ୍ୟାଙ୍କ ପରଲୋକ

Sunil Chandra Nayak

ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳ ସଙ୍କଟ, ସ୍ଥିତି ନସୁଧାରିଲେ ଆଗକୁ ମରୁଡ଼ିର ପଦଧ୍ୱନି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯାଇଥିଲି ଦିନେ ଯାତରା‌ ଦେଖି 

Sunil Chandra Nayak

Leave a Comment

error: Content is protected !!