ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

ସପନ ନଈର ତୁଠେ

 

      ବେଣୁଧର ସୂତାର

 

ସଞ୍ଜ ନଇଗଲେ ଆକାଶ ଛାତିରେ

ହସିଉଠେ ଯେବେ ପୁନେଇଁ ଜହ୍ନ

ଅତସୀ ସାଥିମୋ ବାସରେ ବାସଇ

ଝୁମି ଝୁମି ଯାଏ ଏ ତନୁମନ ।।

 

ରୂପ ସୁଷମାର ଲାବଣ୍ୟ ଲହର

ଚାରୁ ଚାନ୍ଦିନୀର ଜ୍ୟୋତ୍ସ୍ନା ମଧୁର

ରୂପର ଯାଦୁରେ ରଚି ମାୟାପୁର

ପ୍ରୀତିରେ ଭରିଲା ନୂଆ ସ୍ବାକ୍ଷର ।।

 

ଅୟୀ ପ୍ରକୃତିର ଅନୁପମ ଶୋଭା

ନୀରବ ନିଶିର ପ୍ରୀତି ମହ୍ଲାର

ସ୍ବପ୍ନ ନଈକୂଳେ ମିଠା ପ୍ରଣୟର

ନୀଳ ମାଦକତା ସ୍ନିଗ୍ଧ ମଧୁର ।।

 

ମାଧୁର୍ଯ୍ୟ ମଧୁର କୁହୁକ ପସରା

ଫୁଲ ମହକରେ ଭରାଏ ବିଥି

ଛନ୍ଦ ଚଞ୍ଚଳା ରୂପମୟୀ ସେତ

ମରତ ପୁରୀର ସପନ ସାଥି ।।

 

ମଧୁ ଚନ୍ଦ୍ରିକାରେ ମତ୍ତୁଆଲି ମନ

ସ୍ବପ୍ନ ବିଳାସର ବର୍ଣ୍ଣିଳଧାରା

ସପନ କୁମାରୀ ପ୍ରୀତି ଅଭିସାରୀ

ବହଳ ପ୍ରେମର ସ୍ବପ୍ନ ନିଆରା ।।

 

କୋଟିପୁଲକରେ ଆବେଗଆତୁରେ

ସେନେହ ସୁହାଗ ହୃଦୟେ ମାଖି

ପ୍ରେମ ପ୍ରଣୟର ସମ୍ମୋହନୀ ସୁର

ପ୍ରୀତିର ଅକ୍ଷରେ ଦେଇଛି ଲେଖି।।

 

ଉଷା ଅରୁଣିମା ରୂପ ରୋଷଣିରେ

ନୟନ ସପନ ପଡିଲା ଫିକା

ଭରିଦେଇ ମନେ ଅମିତ ଯନ୍ତ୍ରଣା

ଅପସରି ଗଲା ଅଭିସାରିକା ।।

 

ପ୍ରୀତି ପ୍ରଣୟର ସ୍ବପ୍ନ ପଦ୍ମରାଗ

ସମ୍ମୋହନ ଭରେ ନିଖିଳ ପ୍ରାଣେ

ରତିରଙ୍ଗେ କାୟା ବୁଣିଦିଏ ମାୟା

ବିଦେହୀ ମଦନ ମୋହନ ବାଣେ।।

 

କେତେରୂପେ କେତେ     

                 ରଙ୍ଗ ନେଇ ଆସେ

ନୀଳ ନୟନରେ ସ୍ବପ୍ନ ମାଣିକ

ଭାବମୟତାର ତନ୍ମୟ ତୀର୍ଥରେ

ସାଜଇ ମାନବ ଭାବ ବଣିକ ।।

କେଶଦୁରାପାଳ

କେନ୍ଦୁଝର

 

Related posts

ତରକାସୁର ବଧ

ନାବାଳିକା ଉଦ୍ଧାର

Sunil Chandra Nayak

କଂଗ୍ରେସ ପକ୍ଷରୁ ଗୁଡ଼ାରୀ ବିଜ୍ଞାପତ ଅଂଚଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

Sunil Chandra Nayak

Leave a Comment

error: Content is protected !!