ରାଜ୍ୟରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ବସିଥିବା ସ୍ୱତନ୍ତ୍ର ସମୀକ୍ଷା ବୈଠକ ପରେ ଉନ୍ନୟନ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି। ତେବେ ବୈଠକ ପରେ ଉନ୍ନୟନ କମିଶନର ଶ୍ରୀ ଜେନା ଏହା କହିଛନ୍ତି, ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍ର ଭୟ ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ। ବର୍ତ୍ତମାନ ସୁଦ୍ଧା କୋଭିଡ୍ ରହିଛି। ମାତ୍ର ଟିକେ କମିଛି। ଏହା ସତ୍ତ୍ୱେ ଚଳିତବର୍ଷ ଯାନିଯାତ୍ରା ପାଇଁ ଅନୁମତି ଦିଆଯାଇଛି।
ଆଉ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ମୋର ସମସ୍ତଙ୍କୁ ଅନୁରୋଧ ଭିଡ କୁ ଗଲା ବେଳେ ମାସ୍କ ପିନ୍ଧନ୍ତୁ। ପାଖରେ ସାନିଟାଇଜର ରଖନ୍ତୁ। ମଝିରେ ମଝିରେ ହାତ ସାନିଟାଇଜ୍ କରନ୍ତୁ। କୋଭିଡ୍ ଲକ୍ଷଣ (ଜ୍ୱର, ଥଣ୍ଡା, କାଶ) ହେଉଥିଲେ ମହାପ୍ରଭୁଙ୍କ ଯାତ୍ରାକୁ ନ ଆସିବାକୁ ରାଜ୍ୟବାସୀଙ୍କୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ପ୍ରଦୀପ ଜେନାଙ୍କ କହିବା ଅନୁସାରେ ଦୁଇବର୍ଷ ପରେ ଭକ୍ତଙ୍କ ଗହଣକୁ ମହାପ୍ରଭୁ ଆସୁଥିବାରୁ ଚଳିତବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସବୁ ବିଭାଗ ନିଜ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଭକ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଗରେ ରଖି ବଡ଼ଦାଣ୍ଡ ଓ ସହରର ବିଭିନ୍ନ ସ୍ଥାନରେ ୨୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ସହରର ବିଭିନ୍ନ ଡାକ୍ତରଖାନା ଓ ଚିକିତ୍ସା କେନ୍ଦ୍ରରେ ଅତିରିକ୍ତ ୨୩୩ ଜଣ ଡାକ୍ତର ନିୟୋଜିତ ହେବେ। ଯାତ୍ରା ସମୟରେ ବ୍ୟାପକ ଫୁଡ୍ ଷ୍ଟଲ୍ ଖୋଲୁଥିବାରୁ ଖାଦ୍ୟର ମାନ ଯାଞ୍ଚ ପାଇଁ ୬ ଜଣ ଫୁଡ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ମହାପ୍ରଭୁଙ୍କ ଯାତ୍ରା ସମୟରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବାର ସମ୍ଭାବନା ଥିବାରୁ ଏହାର ମୁକାବିଲା ପାଇଁ ଦୁଇଟି ହିଟ୍ ଷ୍ଟ୍ରୋକ୍ ରୁମ୍, ଷ୍ଟ୍ରେଚର, ଆମ୍ୱୁଲାନ୍ସ, ଆବଶ୍ୟକ ମେଡିସିନ୍ ଓ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ। ବିଭିନ୍ନ ଗ୍ରୁପ୍ର ୨୦୦ ୟୁନିଟ ବ୍ଲଡ୍ ମହଜୁଦ ରହିଛି ବୋଲି ଉନ୍ନୟନ କମିଶନର କହିଛନ୍ତି।
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….
