ଭିଜା ମାଟିର ବାସ୍ନା
ନଳିନୀ ପ୍ରଭା ମିଶ୍ର
ଉଷ୍ଣ ମାଟିରେ ପହିଲି ମୋୖସୁମୀ ର
ଅସରାଟି ଯେବେ ଛୁଏଁ
ଆନମନା ହୁଏ ଧରଣୀ ରାଣୀଟି
ମନ କଥା ଖୋଲି କହେ।
ରଜସ୍ଵଳା ମାଟି ରଜ ତିନିଦିନ
ଧରି ନିଜ ଅସ୍ପୃଶ୍ୟତା
ନିଷେଧ ଆଜ୍ଞାରେ ବ୍ରୀଡାବତୀ ସାଜି
ମନେ ମାରେ ମନକଥା।
ଗ୍ରୀଷ୍ମ ତାପିତ ଶୁଷ୍କ ତନୁର
ବଲ୍ଲରୀ ବିରହୀ ସାଜି
ମୋୖସୁମୀ ପରଶେ ଧର୍ଷିତା କର୍ଷିତା
ବିକଶିତ ତନୁ ରାଜି।
ସୃଷ୍ଟି ର ଆଦିମ ପ୍ରବୃତ୍ତି ସେହି
ସଙ୍ଗମର ମୂଳ ଲକ୍ଷ୍ୟ
ନୂତନ ସୃଜନ ପ୍ରତି ସେ ଭାଜନ
ମଣିଥାଏ ମହା ସୁଖ।
ସିରି ସିରି ବାଆ ଧରି ସାଥେ
ତା’ର ଝରାଏ ବର୍ଷା ବାରି
ପହିଲି ପରଶେ ଭିଜାଏ ମାଟିକୁ
ଦିଏ ଆନମନା କରି।
କମଳ ଜାଣ ଇ ରବିର ପରଶ
ଗହନ ପ୍ରୀତିର ଭାବ
ମାଟି ଜାଣିଥାଏ ପହିଲି ବରଷା
ପରଶର ଅନୁଭବ।
ନିଆରା ତା ବାସ୍ନା ଆଶା ଓ
ବିଶ୍ବାସ ଯୁଗ ଯୁଗ ଧରି କହେ
ମାଟି ମୁଁ ଯେ ବର୍ଷା ମୋ ପ୍ରେମିକ
ନିଚ୍ଛକ ବାର୍ତ୍ତା ଦିଏ।
ଭିଜାଇ ଦେହକୁ ତା ପୁଲକ କଥା
ମାଟି ହିଁ କେବଳ ଜାଣେ
ମାଟି ବର୍ଷା ର ଅଭେଦ୍ୟ ସମ୍ପର୍କ
ଆଶା ସଞ୍ଚାରିତ ପ୍ରାଣେ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ