ବ୍ୟଥାର ଯମୁନା ତୀରେ ……. !
ସାଧନା ପଣ୍ଡା
ଜୀବନଟା ଘନୀଭୂତ
ପ୍ରହେଳିକା ପରି
ସନ୍ନିକଟେ ଦିଏ ଦେଖା
ନପାରେ ଯେ’ ଧରି ।
ମୂର୍ତ୍ତିମନ୍ତ ଆଶୀର୍ବାଦ
ଧରି କେବେ ଆସେ
ବିକର୍ଷ ପରାଏ ଶତ
ବାଧାବିଘ୍ନ ନାଶେ ।
କେବେ ସେତ ସାପମଗ୍ନା
ଯକ୍ଷ କନ୍ୟା ସାଜି
ଆଶାର ଅଳକାପୁର ଯାଏ
ନିର୍ବିଘ୍ନରେ ତେଜି।
ଅବାଧ୍ୟ ସଂଗୀତ ସମ
ହୃଦ ବୀଣା ତାରେ
ବାଜି ଉଠେ ମଧୁମନ୍ଦ୍ରେ
ଗୋପନ ଝଙ୍କାରେ।
ମିଳନ ବେଳାରେ ବାହି
ମେଘର ତରଣୀ
ନୀଳ ନୟନରେ ଭରି
ନରମ ଚାହାଣୀ ।
ଜୀବନ କବିତା ଲିଭେ
ନିଭୃତେ ଯେସନ
ମନ ମଧ୍ୟେ ଲିଭେ ଯଥା
ମନ ହଂସୀ ସ୍ୱନ।
ସପନ ଆଳସେ ପଡେ
ଆଖିପତା ଭାଜି
ମରମରେ କାହା ଶ୍ୱନ
ଉଠଇ ଯେ’ ବାଜି ।
ଆକାଶରୁ ଲିଭିଆସେ
ବିବସ କିରଣ
ନିଷ୍ପ୍ରଭ ଯେ’ ସାତବର୍ଣ୍ଣୀ
ସନ୍ଧ୍ୟାର ତୋରଣ।
କାହା ବ୍ୟଥା ଧରି ହୃଦେ
ଆଜି ମୁଁ’ ମଗନ
ଢାଳଇ ବେଦନା ଅଶ୍ରୁ
ଏ’ ଦୁଇ ନୟନ ।
କାହା ଅଭିସାରେ ଢଳେ
ସନ୍ଧ୍ୟାର ଗୋଧୂଳି
ସ୍ୱର୍ଣ୍ଣାଞ୍ଚଳେ ବାନ୍ଧି ଦେଇ
ନିଅଇ ମେଲାଣି ।
ନବୀନ କିଶୋରୀ ସମ
ଢାଳି ପ୍ରୀତି ଦୂରୁ
ଜାଗି ଉଠେ କବିପ୍ରାଣ
ସପନର ପୁରୁ ।
ସଲଜ ଚାହାଣୀ ଖେଳେ
ଓଢଣାରୁ ଧୀରେ
ମୃଦୁ ମନ୍ଦ ହସ ଢାଳେ
ଅଧରର ତୀରେ ।
ବ୍ୟଥାର ଯମୁନା ତୀରେ
ବିଭୋର ଯାମିନୀ
ଶିରିହୀନ ଲାଗେ ତନୁ
ସମ ସନ୍ୟାସିନୀ ।
ସାଧନା ପଣ୍ଡା
ଭୁବନେଶ୍ବର
(ବିକର୍ଷ — ବାଣ / ଶର )