ପ୍ରୀତିମୟ ଜୀବଧାରା
ଜ୍ୟୋତ୍ସ୍ନା ରାଣୀ ଦେବୀ
ହୃଦୟ କାରାରେ ସଞ୍ଚିତ ଧନ ବଞ୍ଚିତ ଧନ
ନୁହେଁ ସୁନାରୂପା ଭଳି
ହୀରାମୋତିଠାରୁ ଅଟେ ଦୁର୍ଲ୍ଲଭ ସେ
ପାରି କେ ଆଣିଛ ତୋଳି ?
ନିମିଳ ନୟନେ ବିମଳ ହସରେ
ପ୍ରୀତିର ପାଖୁଡା ମେଲି
ଆସ ଆସ ଵୋଲି ଡାକିଦେଲେ ଥରେ
କ୍ରୋଧାଗ୍ନି ନ ଉଠେ ଝଳି ।
ସହସ୍ର ଝଡର ବନ୍ଧନ ହଜେ
ଖିଅଟେ ହସର ଧାରେ
ଜ୍ଵାଳାମୁଖି ଅଗ୍ନି ନିର୍ବାପିତ ହୁଏ
ମଇତ୍ରୀର ସାତସୁରେ ।
ପାଷାଣ ତରଳେ ଧଇର୍ଯ୍ୟର ତେଜେ
ସଂକୁଚିତ ସାତସିନ୍ଧୁ
ଅମୀୟଧାରାରେ ଉଜାଣି ବହଇ
ଝରେ ସଦା ବିନ୍ଦୁବିନ୍ଦୁ ।
ଦୁର୍ବାସା କ୍ରୋଧ ଦୁର୍ବାର ପଥ
ଅଲଭ୍ୟ ଅଗମ୍ୟ ଯାହା
ସ୍ମିତହସ ନିଏ ଦୂରେ ପଥ ବାହି
ହୋଇ ଅନୁକୂଳ ବାଆ ।
ପ୍ରକୃତି ରଚଇ ତାଣ୍ଡବ କେବେ
ଅସୂୟା କ୍ରୋଧର ଝଡେ
ଅହଂକାର ରଚେ ମଦାନ୍ଧ ପାହାଡ଼
ଭାଙ୍ଗି ବନ୍ଧନ ବାଡେ ।
ସ୍ନେହର ନିକୁଞ୍ଜ ତିଆରଇ ପଥ
ପ୍ରୀତିମୟ ଜୀବଧାରା
ସାତସୁରେ ହୁଏ ବିଶ୍ଵ ମଧୁମୟ
ତପୋବନ ମଧୁଝରା ।