ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଦଳିବେ ବିରୋଧୀ ଦଳ ନେତା ?

ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତା ବଦଳିବେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଛନ୍ତି..

୧୫ ମାସ ହେଲାଣି ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ…..

ପ୍ରାୟ ୧୫ ମାସ ହେଲାଣି ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ। ବିରୋଧୀ ଦଳ ନେତା ଏବଂ ପବ୍ଲିକ ଆକାଉଣ୍ଟସ୍‍ କମିଟି (ପିଏସି)ର ଅଧ୍ୟକ୍ଷ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେ ଥିଲେ ହେଁ ଅସୁସ୍ଥତା କାରଣରୁ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହୋଇପାରୁ ନାହିଁ। ବିଶେଷକରି ବିଧାନସଭା ଅଧିବେଶନ ବେଳେ ତାଙ୍କର ଅନୁପସ୍ଥିତି ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ପରିବର୍ତ୍ତନ ପାଇଁ ରାଜ୍ୟ ବିଜେପି ନିଷ୍ପତ୍ତି ନେଇଛି। ଆସନ୍ତା ୨୯ରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବା ସହ ଆସନ୍ତା ମୌସୁମୀ ଅଧିବେଶନ ପାଇଁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନୂଆ ବିଧାୟକ ଦଳ ନେତା ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅନୁପସ୍ଥିତି ଯୋଗୁଁ ଦଳକୁ ବିଧାନସଭାରେ ବିଜେପି ବିଧାୟକମାନଙ୍କୁ ଉପଯୁକ୍ତ ଗୁରୁତ୍ବ ମିଳୁନି। ଏଣୁ ତାଙ୍କୁ ବଦଳାଇବା ଲାଗି ଓଡ଼ିଶାର ବିଜେପି ବିଧାୟକମାନେ ଦିଲ୍ଲୀରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି। ଏବିଷୟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ବିଧାୟକମାନେ ଭେଟି ଅବଗତ କରାଇଛନ୍ତି। ଉଭୟ ରାଜ୍ୟ ଓ ରାଷ୍ଟ୍ରୀୟ ସଭାପତି ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତାଙ୍କୁ ବଦଳାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଲ୍ଲୀ ଯାଇଥିବା ଓଡ଼ିଶାର ବିଜେପି ବିଧାୟକମାନେ ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବ ଦେଇଥିଲେ ଓ ସାକ୍ଷାତ ସମୟରେ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତି ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିଶଦ୍‍ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କଥା ଉଠିଥିବା ବେଳେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ନୂଆ ନେତା ବାଛିବାକୁ ଶ୍ରୀ ନଡ୍ଡା ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଯଦି ସବୁକିଛି ଠିକ୍‍ଠାକ ରୁହେ ତା ହେଲେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଜେ ସଭାପତି ଶ୍ରୀ ନଡ୍ଡା ଉପସ୍ଥିତ ରହିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

 ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୯ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ସେହିପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ଆସନ୍ତା ୨୮ତାରିଖ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ପ୍ରମୁଖ ଯୋଗ ଦେବେ। ୨୯ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକାରିଣୀ ବୈଠକ ଫୁଲନଖରା, କୁରାଙ୍ଗସ୍ଥିତ ମୀରା କୋର୍ଟୟାର୍ଡଠାରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପଂଚୟତରାଜ ଉଚ୍ଚ ବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା 

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା – ଜଳ

Sunil Chandra Nayak

ଡାବୁଗାଁ  ବିଧାୟକ ହେଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!