କ୍ରୋଧିତ ହେବା ଦ୍ବାରା ସମ୍ପର୍କରେ ଦୂରତ୍ୱ ସୃଷ୍ଟି ହୋଇଥାଏ
ଜଣେ ସାଧୁ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥାନ୍ତି । ଏହି ଅବସରରେ ସାଧୁ ଶିଷ୍ୟ ମାନଙ୍କୁ କହୁଥାନ୍ତି- ଜୀବନରେ ଆଗକୁ ଯିବାକୁ ହେଲେ କେଉଁ କେଉଁ କଠିନ ପରିସ୍ଥିତି ଦେଇ ଗତି କରିବାକୁ ହୁଏ ଏବଂ କେଉଁପରି ଭାବେ ସମସ୍ୟାର ସାମନା କରି ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ପଡିଥାଏ ।
ଏହି ସମୟରେ ଆଶ୍ରମ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ଉଚ୍ଚ ସ୍ବରରେ ଝଗଡା କରୁଥିଲେ । ସାଧୁ ମହାରାଜ ଶିଷ୍ୟ ମାନଙ୍କୁ କହୁଥାନ୍ତି- ଦୁଇଜଣ ମହିଳା ଓ ପୁରୁଷ ଅତି ନିକଟରେ ଅଛନ୍ତି- କିନ୍ତୁ ଉଚ୍ଚ ସ୍ବରରେ କହୁଛନ୍ତି । ସାଧୁ ମହାରାଜ ଏହାର କାରଣ ଶିଷ୍ୟ ମାନଙ୍କୁ ପଚାରିଲେ । ସଙ୍ଗେ ସଙ୍ଗେ ଜଣେ ଶିଷ୍ୟ କହିଲେ- ସେମାନେ ଉଚ୍ଚ ସ୍ବରରେ କହିବାର କାରଣ ହେଉଛି ସେମାନେ କ୍ରୋଧର ବଶବର୍ତ୍ତୀ ହୋଇ ଉଚ୍ଚସ୍ବର ଉଚ୍ଚାରଣ କରୁଛନ୍ତି । ଏହିପରି ଭାବେ ଅନେକ ଶିଷ୍ୟ ସାଧୁ ମହାରାଜଙ୍କୁ ଉତ୍ତର ଦେଲେ, ତେବେ କୌଣସି ଉତ୍ତରରେ ସାଧୁ ସନ୍ତୁଷ୍ଟ ହେଲେ ନାହିଁ । ସାଧୁ କହିଲେ ଏହାଦ୍ବାରା ଦୁଇଜଣଙ୍କ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଉଛି । କାରଣ ଯେତେବେଳେ ଜଣେ ଜୋରରେ କହିବା ଆରମ୍ଭ କରୁଛି ଆଉ ଜଣେ ପଛକୁ ହଟି ଯାଉଛି । ଏହାଦ୍ବାରା ଦୁଇଜଣଙ୍କ ସମ୍ପର୍କରେ ଦୂରତ୍ୱ ବୃଦ୍ଧି ପାଉଛି ଏବଂ ଶାନ୍ତି ପୂର୍ଣ୍ଣ ଜୀବନ ଜୀଇଁବାରେ ଜଟିଳତା ସୃଷ୍ଟି କରୁଛି । ତେଣୁ ଯଦି ଆପଣ କାହା ଉପରେ କ୍ରୋଧିତ ଅଛନ୍ତି ଏବଂ ଉକ୍ତ ବ୍ଯକ୍ତି ଆମ ସମ୍ମୁଖରେ ଅଛନ୍ତି, ତେବେ ତାଙ୍କ ସହ ଭଲରେ କଥାବାର୍ତ୍ତା କରାଯାଇ ପାରେ । ଭଲରେ କଥାବାର୍ତ୍ତା କଲେ ନିଜ ଭିତରେ ଦୂରତ୍ୱ ସୃଷ୍ଟି ହେବ ନାହିଁ । ଯଦି ଆମେ କ୍ରୋଧିତ ହୋଇ ଉଚ୍ଚ ସ୍ବରରେ କିଛି କହିବା ତେଵେ ମାନସିକ ଅଶାନ୍ତି ଭୋଗ କରିବା ସହ ନିଜ ଭିତରେ ସମ୍ପର୍କରେ ଦୂରତା ସୃଷ୍ଟି ହେବ । ଶେଷରେ ଏହା କୁହାଯାଇ ପାରେ ଯେ, ଯଦି ଆମେ କାହା ଉପରେ କ୍ରୋଧିତ ଅଛନ୍ତି ତାଙ୍କ ସହିତ ଭଲରେ କଥାବାର୍ତ୍ତା କରି ସମସ୍ୟାର ସମାଧାନ କରିବା । ଗୁରୁଙ୍କ ଉତ୍ତର ଶୁଣି ଶିଷ୍ୟମାନେ ଏ କଥା ବୁଝିଲେ ଯେ, ଜୀବନର କେବେ ବି କ୍ରୋଧିତ ହେବା ଅନୁଚିତ ।।