କୋକସରା,୨/୭- ( ମ ନି ସ ) ରଥଯାତ୍ରା ରେ ନବ ବିବାହିତା ଝିଅ ଘର କୁ ପିଠାପଣା ଧରି ସରାଗ ସହ ବାଇକରେ ଯାଉଥିଲେ ବାପା, ମା ଓ ସାନ ଭଉଣୀ , ହେଲେ ଝିଅ ଘର କୁ ଅଲ୍ପ ବାଟ ରହିଥିବା ବେଳେ ଘଟିଲା ଦୁର୍ଘଟଣା । ପୋଲିସ ଗାଡି ଧକ୍କା ଦେବାରୁ ଦୁର୍ଘଟଣାରେ ଚାଲିଗଲା ମା ର ଜୀବନ । ବାପା ଓ ଝିଅ ଏବେ ବୁର୍ଲା ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁ ରୁ ଝିଅ ଘର ଭୁର୍ଷାଗୁଡା କୁ ଯାଉଥିଲେ ବାପା କୃଷ୍ଣଚନ୍ଦ୍ର ମାଝୀ, ମା କିଆ ମାଝୀ ଓ ଛୋଟ ଝିଅ ନମିତା ମାଝୀ। ଭୁର୍ଷାଗୁଡା ବିଜୁ ଏକ୍ସପ୍ରେସ ୱେ ନିକଟରେ ପୋଲିସ ଗାଡି ବାଇକ କୁ ମୁହାଁମୁହିଁ ଧକ୍କା ଦେଇଥିଲା । କୋକସରା ହସ୍ପିଟାଲରେ କିଆ ମାଝୀ ଙ୍କ ମୃତ୍ୟୁ ହୋଇଥିଲା ଓ ବାପା ଓ ଝିଅ ଗୁରୁତର ଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥାନାନ୍ତର କରା ଯାଇଥିଲା । ମହିଳା ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଓ କନ୍ଦାଗଡ଼ ଗ୍ରାମବାସୀ ଶବ କୁ ନେଇ ଆମପାଣି ଥାନା ସମ୍ମୁଖରେ ଜାତୀୟ ରାଜପଥ ୨୬ ରେ ରଖି ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ରୁ କ୍ଷତିପୂରଣ ସହ ଚିକିତ୍ସା ଓ ଡ୍ରାଇଭର କୁ ଗିରଫ ଦାବି କରି ରାସ୍ତା ଅବରୋଧ କରି ରଖିଥିଲେ। ଘଟଣା ସ୍ଥଳରେ ଧର୍ମଗଡ ଏସ ଡି ପି ଓ ଧିରଜ କୁମାର ଚୋପଦାର, କୋକସରା ଅତିରିକ୍ତ ତହସିଲଦାର କମାଳାସନ ରଥ, କୋକସରା ଆଇ ଆଇ ସି ପ୍ରସନ୍ନ ବେହେରା, ଆମପାଣି ଆଇ ଆଇ ସି ଚତୁର୍ଭୁଜ ନାଏକ ସମେତ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଝା ସୁଝା କରିବା ସହ ପୋଲିସ ପକ୍ଷରୁ ୯୦ ହଜାର, ରେଡ଼କ୍ରସ ରୁ ୧୦ ହଜାର ଟଙ୍କା ଓ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ହରିଶ୍ଚନ୍ଦ୍ର ଯୋଜନା ରୁ ୨ ହଜାର ଟଙ୍କା ମୃତକ ପରିବାର କୁ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଆଗକୁ ଆର୍ଥିକ ସହାୟତା ଓ ଗୁରୁତର ବାପା ଓ ଝିଅ ର ଚିକିତ୍ସା ଖର୍ଚ୍ଚ ପୋଲିସ ଉଠାଇବ ବୋଳି ପ୍ରତିଶ୍ରୁତି ଦେବାପରେ ରାତି ପ୍ରାୟ ୧ଘଣ୍ଟା ୩୦ ମିନିଟ ରେ ରାସ୍ତା ଅବରୋଧ ହଟିଥିଲା। ଦୀର୍ଘ ୭ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଫଳରେ ଯାତ୍ରୀ ସମେତ ଭବାନୀପାଟଣା ଜୟପୁର ମଧ୍ୟରେ ଗାଡି ଚଳାଚଳ ଠପ ହୋଇ ପଡ଼ିଥିଲା।
previous post