ଏଇସେ କୋଣାର୍କ
ବେଣୁଧର ସୂତାର
ଇତିହାସେ ଯାର ଚାରୁ ହସ୍ତାକ୍ଷର
ସମୟ ଦେଇଛି ସ୍ବୀକୃତି ସ୍ବାକ୍ଷର
ରମ୍ୟ କଳାର ସେ ରମଣୀୟ କୃତି
ଲୁହସାଥେ ଭିଜା
ଲହୁର ଆହୁତି ।
ପାଷାଣ ଗାତ୍ରର ସେ ସୃଷ୍ଟି ନିଚୟ
ବିମୋହିତ କଳା ବିଶ୍ବର ବିସ୍ମୟ
ଉତ୍କଳ କଳାର ଲଳିତ ଭାସ୍କର୍ଯ୍ୟ
ନିଖିଳ ବିଶ୍ୱର
ଚାରୁ ସପ୍ତାଶ୍ଚର୍ଯ୍ୟ ।
ସାଗର ବେଳାର ମୁକ୍ତାକାଶ ତଳେ
ଅନୁପମ ଶୋଭା ସୁଷମା ଉଜ୍ଜ୍ଵଳେ
ଶିଳ୍ପୀର ଜୀବନ୍ତ ନିହଣ ପରଶେ
ଚାରୁଚିତ୍ର ମୟ
ଶିଳାପଦ୍ମ ଦିଶେ ।
ପ୍ରାଚୀ ଗଗନର ଉଦିତ ତପନ
ଛୁଏଁ ଶିଳାପଦ୍ମ ହୃଦ ସିଂହାସନ
ଉଷା ଅରୁଣିମା ସୁଷମା ସାଉଣ୍ଟି
ନୈସର୍ଗୀକ ଶୋଭା
ରାଜି ଉଠେ ଫୁଟି ।
ସୁଷମା ପୀୟୂଷ ଉପମା ମଞ୍ଜରି
ଶିଳାନାୟିକାର ତନୁକାନ୍ତି ଶିରୀ
ରମଣୀୟ ତୋରା ଦୀପ୍ତିମୟ ଧାରା
ପାଷାଣ ତନୁର
ସୌନ୍ଦର୍ଯ୍ୟ ପସରା ।
ସ୍ୱପ୍ନିଳ ଶିଳ୍ପୀର କର ପରଶରେ
ପ୍ରୀତିର ଅମୃତ ଶିଳାପଦ୍ମୁ ଝରେ
ଶିଳା ସୁନ୍ଦରୀର ହୃଦେ ଭରା ପ୍ରୀତି
ପବିତ୍ର ପ୍ରେମର
ତନ୍ମୟୀ ମୁରତି ।
ପ୍ରୀତିସ୍ୱପ୍ନ ବୋଳେ ଚନ୍ଦ୍ରିକା ମାଧୁରୀ
ତନୁ ତଟିନୀରେ ଉନ୍ମାଦନା ଭରି
ମନ ସୌଦାଗର ପ୍ରୀତିମୟ ରାସ
ଲୋଡେ ଚାରୁହାସୀ
ପ୍ରଣୟ ପୀୟୂଷ ।
ଜୋଛନା ରାତିରେ ଛନଛନ ଛାତି
ଚୋରା ଚଇତାଳି ମଧୁଝରା ପ୍ରୀତି
ଝାଉଁ ବନାନୀର ମନୋରମ ବିଥି
ଚନ୍ଦ୍ରଭାଗା ତୀରେ
ସପନର ସାଥି ।
ନିରବ ମନର ଭାବ ପ୍ରବଣତା
ନିଃଶବ୍ଦ ନିଶିର ଭାଙ୍ଗେ ନିରବତା
ବିଧୁରିତ ମନ ଯନ୍ତ୍ରଣାରେ ଜଳେ
ନଶି ନିହାରିକା
ଓଢଣିର ତଳେ ।
ପୀରତି ଛଇଳା ମନ ମଧୁଶାଳା
କାଳବକ୍ଷେ ସାଜିଅଛି ଭଗ୍ନଶିଳା
ଉତ୍କର୍ଷ କଳାର ଯଶ ରଖି ଭବେ
ହଜିଗଲେ ଶିଳ୍ପୀ
କାଳର ଗରଭେ ।
କଳା ମାଧୂର୍ଯ୍ୟର ମୁଗ୍ଧ ଅନୁପ୍ରାସ
ଶିଳାଗାତ୍ରେ ଭରିଥିଲା ଜୀନନ୍ୟାସ
ଶୁଭୁନି ତା କୋଳୁ ପ୍ରୀତିର ନିନାଦ
ନିଃଶବ୍ଦେ କୋଣାର୍କ
କରେ ଆର୍ତ୍ତନାଦ ।
କେଶଦୁରାପାଳ କେନ୍ଦୁଝର