ଅଗସ୍ତ୍ଯ ମୁନିଙ୍କ ଦ୍ବାରା କିପରି ବିନ୍ଧ୍ଯ ପର୍ବତର ଗର୍ବ ଚୂର୍ଣ୍ଣ ହେଲା ଏବଂ ଅଗସ୍ତ୍ଯ ମୁନିଙ୍କ ଜନ୍ମ ବୃତ୍ତାନ୍ତ
ପ୍ରତିଦିନ ସୂର୍ଯ୍ୟ ମେରୁପର୍ଵତକୁ ପ୍ରଦକ୍ଷିଣ କରନ୍ତି । ଏହା ଦେଖି ମେରୁପର୍ବତକୁ ବିନ୍ଧ୍ଯଗିରି ବଡ ଈର୍ଷା କଲା । ତେଣୁ ବିନ୍ଧ୍ଯପର୍ବତ ଦିନେ ସୂର୍ଯ୍ୟଙ୍କୁ ଡାକଛାଡି କହିଲା ହେ ସୂର୍ଯ୍ୟ, ତୁମେ ମେରୁପର୍ବତକୁ ଯେଉଁଭଳି ପ୍ରଦକ୍ଷିଣ କରୁଛ ମୋତେ ମଧ୍ଯ ସେହିଭଳି ପ୍ରଦକ୍ଷିଣ କର । ବିନ୍ଧ୍ଯପର୍ବତଠାରୁ ଏପରି କଥା ଶୁଣି ସୂର୍ଯ୍ୟ ତାକୁ କହିଲା ଈଶ୍ବରଙ୍କ ଆଜ୍ଞାରେ ମୁଁ ମେରୁପର୍ବତକୁ ପ୍ରତିଦିନ ପ୍ରଦକ୍ଷିଣ କରୁଛି । ତୁମ୍ଭଙ୍କୁ ମୁଁ ପ୍ରଦକ୍ଷିଣ କରିବା ପାଇଁ ଈଶ୍ବରଙ୍କର ଆଜ୍ଞା ନାହିଁ । ତେଣୁ ତୁମ୍ଭଙ୍କୁ ମୁଁ ପ୍ରଦକ୍ଷିଣ କରି ପାରିବି ନାହିଁ ।
ସୂର୍ଯ୍ୟଙ୍କ କଥା ଶୁଣି ବିନ୍ଧ୍ଯପର୍ବତ କ୍ରୋଧରେ କମ୍ପିଗଲା । କ୍ରୋଧରେ ଡାକଛାଡି କହିଲା ମୁଁ ଦେଖିବିରେ ବେଟା ତୁ ମେରୁପର୍ବତକୁ କେମିତି ପ୍ରଦକ୍ଷିଣ କରିବୁ । ଏହାକହି ବିନ୍ଧ୍ଯପର୍ବତ ଉଚ୍ଚତାରେ ବହୁତ ବଢିଲା । ତା’ ଶିର ଯାଇ ଆକାଶରେ ବହୁ ଉଚ୍ଚରେ ପହଞ୍ଚିଲା । ଫଳରେ ସୂର୍ଯ୍ୟଙ୍କର ଗତିପଥ ରୋଧ ହେଲା । ତେଣୁ ସୂର୍ଯ୍ୟ ଆଉ ତାଙ୍କ ପଥରେ ଯାଇପାରିଲା ନାହିଁ । ଜଗତ୍ ଅନ୍ଧକାରମୟ ହୋଇଗଲା । ପୃଥିବୀରେ ସମସ୍ତେ ପ୍ରଳୟର ଆଶଙ୍କା କଲେ । ତହୁଁ କ୍ରୋଧ ଶାନ୍ତ କରି ପୂର୍ବ ରୂପ ହୋଇଯିବା ପାଇଁ ବିନ୍ଧ୍ଯଗିରିକି ଦେବତାମାନେ ଆସି ବହୁତ ଅନୁରୋଧ କଲେ । ଦେବତାମାନଙ୍କ ବିନୀତ ନିବେଦନକୁ ବିନ୍ଧ୍ଯଗିରି ପ୍ରତ୍ଯାଖ୍ଯାନ କରିଦେଲା । ତହୁଁ ଦେବତାମାନେ ଯାଇ ଅଗସ୍ତ୍ଯମୁନିଙ୍କ ପାଖରେ ପହଞ୍ଚିଲେ । ମୁନିଙ୍କୁ ସେମାନେ କହିଲେ ମେରୁପର୍ବତ ସହିତ ବାଦ କରି ଓ ସୂର୍ଯ୍ୟଙ୍କ ଉପରେ କ୍ରୋଧାନ୍ଧ ହୋଇ ବିନ୍ଧ୍ଯଗିରି ଡେଙ୍ଗାରେ ବଢି ସୂର୍ଯ୍ୟଙ୍କର ଗତିପଥ ରୋଧ କରିଦେଲାଣି । ସୂର୍ଯ୍ଯାଲୋକ ନ ପାଇ ପୃଥିବୀ ଧ୍ବଂସ ହେବାକୁ ବସିଲାଣି । ଆମେ ଯେତେପ୍ରକାରେ ବିନ୍ଧ୍ଯକୁ ବୁଝାଇ କହିଲୁ ସେ କିନ୍ତୁ ଆମ କଥା ଶୁଣିଲା ନାହିଁ । ଆମେ ଦେଖିଲୁ ଆପଣଙ୍କ ଛଡ଼ା ଆଉ କେହି ବିନ୍ଧ୍ଯକୁ ଶାସନ କରିପାରିବେ ନାହିଁ । ତେଣୁ ଆମେ ଆପଣଙ୍କ ପାଖକୁ ଆସିଛୁ ।
ଦେବତାମାନଙ୍କ ମୁଖରୁ ଏହି କଥା ଶୁଣି ଅଗସ୍ତ୍ଯମୁନି ବିନ୍ଧ୍ଯପର୍ବତ ପାଖକୁ ଯାତ୍ରା କଲେ । ଅଗସ୍ତ୍ଯମୁନି ସେଠାରେ ପହଞ୍ଚନ୍ତେ ହାତୀ ଠାରୁ କୀଟ ପର୍ଯ୍ଯନ୍ତ ସକଳ ପ୍ରାଣୀ ଆସି ଅଗସ୍ତ୍ଯମୁନିଙ୍କ ପାଦରେ ନଇଁ ପ୍ରଣାମ କଲେ । ଅଗସ୍ତ୍ଯମୁନିଙ୍କି ଦେଖି ବିନ୍ଧ୍ଯପର୍ବତ ସଙ୍ଗେ ସଙ୍ଗେ ନଇଁପଡ଼ି ପ୍ରଣାମ କଲା । ବିନ୍ଧ୍ଯପର୍ବତ ଉଠିବା ପୂର୍ବରୁ ଅଗସ୍ତ୍ଯମୁନି ତାକୁ କହିଲେ ବିନ୍ଧ୍ଯ, ମୁଁ ଏଠାକୁ ଫେରିବା ପର୍ଯ୍ୟନ୍ତ ତୁ ଏହିପରି ରହି ଥା । ଏହା କହି ଅଗସ୍ତ୍ଯମୁନି ସେଠାରୁ ଚାଲିଗଲେ । ଅଗସ୍ତ୍ଯମୁନିଙ୍କ କଥା ମାନି ବିନ୍ଧ୍ଯ ସେହିପରି ଅବନତ ଅବସ୍ଥାରେ ରହିଲା । ଅଗସ୍ତ୍ଯମୁନି ସେତିକିବେଳୁ ଆଜିଯାଏ ସେଠାକୁ ଯାଇନାହାନ୍ତି କି ବିନ୍ଧ୍ଯ ତା’ର ସେହି ଅବନତ ଅବସ୍ଥାରୁ ଉଠି ନାହିଁ । ଅଗସ୍ତ୍ଯମୁନିଙ୍କ ଆଜ୍ଞାମାନି ବିନ୍ଧ୍ଯ ସେହିପରି ଭାବରେ ଅବନତ ଅବସ୍ଥାରେ ରହିଛି ।
ମହର୍ଷି ଅଗସ୍ତ୍ଯ ବାସ୍ତଵରେ ଵଡ଼ ଅଭୂତକର୍ମା ଥିଲେ । ଜନ୍ମ ସମୟରେ ତାଙ୍କର ଜନ୍ମ ଏକ କୁମ୍ଭ ମଧ୍ଯରୁ ଘଟିଥିଵାରୁ ଅଗସ୍ତ୍ଯମୁନିଙ୍କୁ କୁମ୍ଭଜମୁନି ଵୋଲି କୁହାଯାଏ । କୁମ୍ଭସୁତ ଵା କୁମ୍ଭପୁତ୍ର ଵୋଲି ମଧ୍ଯ କୁହାଯାଏ । ଥରେ ମିତ୍ରଦେବ ଜଳପତି ବରୁଣଙ୍କର ଅତିଥି ହୋଇ ସେହିଠାରେ ଥିଲେ । ଏହି ସମୟରେ ଦିନେ ସ୍ବର୍ଗ ନର୍ତ୍ତକୀ ଉର୍ବଶୀ ନିଜ ସଖୀମାନଙ୍କ ସହିତ ଆସି ସେଠାରେ ସମୁଦ୍ର ଜଳରେ ଜଳକ୍ରୀଡା କରୁଥିଲା । ତା’ ରୂପରେ କାମାତୁର ହୋଇ ଜଳପତି ବରୁଣ ଉର୍ବଶୀକୁ ନିଜ ପୁରକୁ ନିମନ୍ତ୍ରଣ କଲେ । ଉର୍ବଶୀ କହିଲା ଦେବତା ମିତ୍ର ମୋତେ ନିମନ୍ତ୍ରଣ କରି ସାରିଛନ୍ତି । ତେଣୁ ଆଜି ମୁଁ ତୁମ ପୁରକୁ ଯାଇପାରିବି ନାହିଁ । ଏହା ଶୁଣି ବରୁଣ କହିଲେ ବର୍ତ୍ତମାନ ମୁଁ ତୀବ୍ରଭାବରେ କାମଜର୍ଜରିତ । ତୁମ୍ଭେ ଯଦି ଆଜି ମୋ ପୁରକୁ ନ ଆସିବ ତେଵେ ମୁଁ ମୋ ବୀର୍ଯ୍ଯକୁ ସମ୍ଭାଳି ରଖିପାରିବି ନାହିଁ । ଦେବକୁମ୍ଭରେ ହିଁ ସେହି ବୀର୍ଯ୍ଯକୁ ନିକ୍ଷେପ କରିବି । ଉର୍ବଶୀ କହିଲେ ତୁମ ପୁରକୁ ଯିବାରେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ମୁଁ ମିତ୍ରଦେବଙ୍କୁ କଥା ଦେଇସାରିଛି । ତେଣୁ ମୁଁ ସେଠାକୁ ଆଗ ଯିବି । ତେଣୁ ଆଜି ମୁଁ ତୁମ ପୁରକୁ ଯାଇପାରିବି ନାହିଁ । ଏହା କହି ଉର୍ବଶୀ ନିଜ ପଥରେ ଚାଲିଗଲେ । କାମଜର୍ଜରିତ ହୋଇ ବରୁଣ ନିଜ ବୀର୍ଯ୍ଯକୁ ଦେବକୁମ୍ଭ ମଧ୍ଯରେ ନିକ୍ଷେପ କଲେ । ସେହି ବୀର୍ଯ୍ଯରୁ ସେହି କୁମ୍ଭ ମଧ୍ଯରୁ ଅଗସ୍ତ୍ଯଙ୍କର ଜନ୍ମ ।