ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ କୁମାର ମିଶ୍ର ଙ୍କ କବିତା ହେରାପଞ୍ଚମୀ

  ହେରାପଞ୍ଚମୀ

 (ମାତା ମହାଲକ୍ଷ୍ମୀଙ୍କ କ୍ରୋଧ)

 

 ପ୍ରକାଶ କୁମାର ମିଶ୍ର

 

ସବୁ ବନ୍ଧନକୁ କାଟି ଦେଇ ତୁମେ

ମୋତେ ଛାଡ଼ି ଗଲ କାହିଁ ।

ହଳଦୀମୁଖୀକୁ ସଙ୍ଗେ ନେଇଗଲ

ମୋ ମୁଖ ଚାହିଁଲ ନାହିଁ ।

ମୋ ମୁଖ ଚାହିଁଲ ନାହିଁ ।।

 

ସକୁଟୁମ୍ବେ ଗଲ ମାଉସୀ ଘରକୁ

ମୁହିଁ କି ନୁହେଁ କୁଟୁମ୍ବ ।

ଆମ୍ବଡା ଦେଖାଇ ଆମ୍ବ ଖାଇଗଲ

ତୁଟାଇ ଦେଲ ମୋ ଦମ୍ଭ ।।

ତୁଟାଇ ଦେଲ ମୋ ଦମ୍ଭ ।।

 

କାଠ ଦିଅଁ ତୁମେ କାଠ ହୋଇଗଲ

କମଳାକୁ ଭୁଲି କମଳା ପତି ।

କମଳା ରମଣ ହେ ପଦ୍ମଲୋଚନ

ପଦ୍ମାଳୟା ବିନା ଗଲ କେମିତି ।।

 

ଲକ୍ଷ୍ମୀ ହାତରନ୍ଧା ଅରୁଚି ହେଲାକି

ମାଉସୀର ପୋଡ଼ ପିଠାକୁ ଦେଖି ।

ମାଆ ହାତରନ୍ଧା ଭାତ ର ସୁଆଦ

ମନେ ପଡିଲା କି ହେ ଚକାଆଖି ।।

 

ଭାଇ ଭଗ୍ନୀ ସଙ୍ଗେ ନିତି ନୂଆ ବେଶ

ବଦଳାଇ ବଦଳାଇ ହେଉଛ ।

ସବୁ ସୁଖ ତୁମ ଆଗରେ ରଖି କି

ମୋ ଆଡ଼କୁ କରି ଦେଇଛ ପଛ ।।

 

ମିଛ କହୁନାହିଁ ହେ କଳା ଗୋସାଇଁ

କଳାକାର ପଣ ଛଡ଼ାଇ ଦେବି ।

ଚଢ଼ାଇ ଦେବିନି ବଡ଼ ଦେଉଳକୁ 

ଲକ୍ଷ୍ମୀଛଡ଼ା ମୁହିଁ କରି ରଖିବି ।।

 

କଣ୍ଟ ଦିଅ ମୋତେ ତୁଣ୍ଡ ଖୋଲି କରି

ମୁଣ୍ଡ ଛୁଇଁ ମୋର କୁହ ହେ ନାଥ ।

ନାଥ ବୋଲେ ପ୍ରିୟା ହୁଅ ନାହିଁ ଠିଆ 

ଦୁଇଦିନ ପରେ ଚଢିବୁ ରଥ ।।

 

ପଥ ରହି ଥିବ ଅନାଇଁ ହେ ପ୍ରିୟା

ଦନାଇଁ ର କଥା ନହେବ ମିଛ ।

ଛୁଇଁବି କିମ୍ପାଇଁ ତୁମ ମୁଣ୍ଡ ମୁହିଁ 

ତୁଣ୍ଡ ତ ମୋହର ଅଟ‌ଇ ସ୍ବଚ୍ଛ ।।

 

ରୋଷେ ଗରଗର ମାତା ଅନ୍ନପୂର୍ଣ୍ଣା 

ନାକଚଣା ଦ୍ଵାର ବାଟେ ଆସିଲେ ।

ରଥ ଦେଖି ଦେଇ ରାଗରେ ଅନାଇଁ

ନନ୍ଦିଘୋଷ ରଥ ଯାଇ ଭାଙ୍ଗିଲେ ।।

 

ବୁଝାଇ ସୁଝାଇ କୋପ ଶାନ୍ତି କରି 

ଗୋପ ବଳା କଳା କାହ୍ନୁ କହ‌ଇ ।

ବୁଲାଇଲି ରଥ ଦକ୍ଷିଣ ମୋଡ଼ ରେ

ପ୍ରିୟା ଯାଅ ଆଉ ଲଜ୍ଜା ନଦେଇ ।।

 

ତୁମ ପଛେ ପଛେ ଆସୁଅଛୁ ଆମେ

ତୁମ ଆଗେ ଦେଲି ରଥ ବୁଲାଇ ।

 ଫୁଲାଇକି ମୁହଁ ରୁହ ନାହିଁ ଆଉ

ହସିଦେଇ ପଦେ କୁହ ଗେଲେଇ ।

ହସିଦେଇ ପଦେ କୁହ ଗେଲେଇ ।।

 ପ୍ରକାଶ କୁମାର ମିଶ୍ର 

Related posts

ବେଣୁଧର ସୂତାର ଙ୍କ କବିତା ମରୀଚିକା ଏକ ମିଥ୍ଯା ସାନ୍ତ୍ୱନା

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ଆତ୍ମୀୟତା

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!