ବାହୁଡା଼ ଯାତ୍ରା
ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥି
ବାହୁଡା଼ ଦଶମୀ ଦିନ,
ଶ୍ରୀଗୁଣ୍ଡିଚା ଘରୁ ବଡ଼ଦେଉଳକୁ
ଫେରଇ ପ୍ରଭୁଙ୍କ ଯାନ l
ଶ୍ରୀଗୁଣ୍ଡିଚା ଯାତରେ ରଥଯାନର
ଯାତ୍ରା ଦକ୍ଷିଣାଭିମୁଖୀ,
ବାହୁଡା଼ ପରବେ ଫେରନ୍ତି ସରବେ
ମହାପ୍ରଭୁ ସର୍ବସାକ୍ଷୀ l
ଆଷାଢ଼ ଶୁକଳ ନବମୀ ଦିବସେ
ରଥେ ଅଧିଷ୍ଠିତ କରି,
ସମୃଦ୍ଧିବାନ ହିଁ ସେହି ଦିନ ପରା
ବିଷ୍ଣୁଙ୍କର ଯାତ୍ରା ସରି l
ବାହୁଡା଼ର ପୂର୍ବ ଅଷ୍ଟମୀ ତିଥିରେ
ଶରଧାବାଲିରେ ରଥ,
ନାକଚଣା ଦ୍ୱାର ସମ୍ମୁଖେ ରଖିଣ
ଦକ୍ଷିଣ ମୋଡ଼ର ପଥ l
ନନ୍ଦିଘୋଷ ରଥ ଶ୍ରୀନଅର ଠାରେ
ସମ୍ମୁଖେ ପହଞ୍ଚିଥାଏ,
ପାରମ୍ପରିକରେ ଲକ୍ଷ୍ମୀନାରାୟଣ
ଭେଟ କରାଯାଇଥାଏ l
ସମ୍ପୂର୍ଣ୍ଣ ଯାତ୍ରାକୁ ଧରାଯାଇଥାଏ
ତିନୋଟି ଅଙ୍ଗ ରୂପରେ,
ରଥଯାତ୍ରା, ଗୁଣ୍ଡିଚା ମଣ୍ଡପେ ବାସ
ପ୍ରଭୁ ବାହୁଡା଼ ବିଜେରେ l
ରଥଯାତ୍ରା ପର୍ବେ ଠାକୁରଙ୍କ ହୁଏ
ଯାତ୍ରା ଉତ୍ତରାଭିମୁଖୀ,
ଶ୍ରୀବାହୁଡା଼ ଯାତ୍ରା ଶ୍ରୀଜୀଉଙ୍କ ପାଇଁ
ଦକ୍ଷିଣାଭିମୁଖୀ ରଖି l
ଉତ୍ତରାଭିମୁଖୀ ଦକ୍ଷିଣାଭିମୁଖୀ
ଦର୍ଶନେ ସମାନ ଫଳ,
ଭକ୍ତ ଲାଭ ଅଶ୍ୱମେଧ ଯଜ୍ଞଫଳ
ବୈକୁଣ୍ଠରେ ଅନ୍ତକାଳ l
ବାହୁଡା଼ ଯାତ୍ରାରେ ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀଙ୍କୁ ଧରି,
ଆନନ୍ଦ ମନେ ଫେରେ ବଡ଼ଦେଉଳେ
ବଡ଼ଦାଣ୍ଡେ ଯାତ୍ରାକରି l