ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଆମର ନଟିଆ, ବଡ଼ ଉଚ୍ଚାଟିଆ

 ଆମର ନଟିଆ, ବଡ଼ ଉଚ୍ଚାଟିଆ

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ନଟିଆ ବାବୁଟି, ବଡ଼ ଖୁସି ଏଠି 

ତଳେ ପାଦ ପଡ଼ୁନାହିଁ, 

ପରୀକ୍ଷାର ଫଳ, ସେତ ମହାବଳ

ଅତି ଓଜନିଆ ସେହି ll

ବାପ ଅଜା କକା, ଦେଇ ସେ ପରୀକ୍ଷା 

ପାଇଁନାହିଁ କେବେ କିଏ ? 

ନଟିଆ ପାଇଲା, କୃତକାର୍ଯ୍ୟ ହେଲା 

ମାନକୁ ରଖିଲା ସିଏ ll

ମାମିଟି ତାହାର, କେତେ ହରବର 

ଡାଡି ବୁଲେ ଘର ଘର, 

କେଉଁ କଲେଜରେ, ପଢ଼ାଇବ ନେଇ 

ବୁଝୁଛନ୍ତି ସମାଚାର ll

ବାପ ଅଜା କାଳେ, କେବେତ ନଫଳେ 

ସାରୁ ଗଛେ ଆଳୁ ଫଳ, 

ଅସମ୍ଭବ ଆଜି, ହୋଇଛି ସମ୍ଭବ

ଚାନ୍ଦଟି ଧରିଛି କୋଳେ ll

ମିଶାଣ ଫେଡାଣ, ଗୁଣନ, ହରଣ 

ନଆସୁ ପଛକେ ତାକୁ, 

ବଳାଇଛି ମନ, ପଢ଼ିବ ବିଜ୍ଞାନ 

ପଚାରେ ଦୁନିଆଁ ଯାକୁ ll

ଇଂରାଜୀ ଓଡ଼ିଆ, ଲାଗୁଛି ଛାନିଆଁ 

ପୂର୍ଣ୍ଣ ବାକ୍ୟ, ବୁଝେ ନାହିଁ, 

ଯୁକ୍ତାକ୍ଷର ପାଠ, ପଢ଼ିବାରେ ମଠ 

ଝୁଣ୍ଟି ପଡି ଉଠେ ସେହି ll

ଦଶ ପଣିକିଆ, କରଇ ଛାନିଆ 

ଓଠ ଥଙ୍ଗ ଥଙ୍ଗ ଖାଲି 

ପଚାରିଲେ କେହି, ବାହାନାରେ ସେହି 

ଅନ୍ତରଧ୍ୟାନେ ଯାଏ ଚାଲି ll

ବହିଧରି ଦିନେ, ବସିନି କେବେତ 

ହୋଇଗଲା ପାଶ ଏଵେ, 

କୋରନାର ଦୟା, ସେତ ମହାମାୟା 

ଲଗାଇଛି ଲୀଳା ଭବେ ll

କାର ପୁଷମାସ, କାର ସର୍ବ ନାଶ 

ତାରଇ ମାରଣ ଲୀଳା, 

ଗଜ ମୁରୁଖକୁ, କରିଲା ପଣ୍ଡିତ 

ମାର୍କତ ବହୁତ ଦେଲା ll

ଛାମୁଁ ଯାହା ଦେଲେ, ମହତ ରଖୁଲେ 

ଲୋକ ହସା ହେଲା ଦୂର, 

ଜ୍ଞାନ ଟି ନଥାଉ, ପ୍ରମାଣଟି ରହୁ 

ପ୍ରମାଣ ପାତ୍ରଟି ଚିର ll

ଧୁଆ ମୂଳା ସାଥେ, ଅଧୁଆ ମୂଳାଟି 

ଏଵେ ହୋଇଗଲା ସାଥି, 

ପଣ୍ଡିତ ପ୍ରବର, ମାର୍କତ ଜବର

ପାଇଛି ନଖୋଲି ପୋଥି ll

ବେଶବାସ ତାର, ଦିଶେ ମନୋହର 

ମଥାରୁ ଚିତାଟି ବଳେ, 

ଗୁରୁ ଗୁରୁଜନ, କରେ ହେୟ ଜ୍ଞାନ 

ଦେଖି ବାଟଭାଙ୍ଗି ଚଳେ ll

ମନ ଛନଛନ, କଲେଜରେ ସ୍ଥାନ 

ପାଇବ ଆମ ନଟିଆ, 

ଦେଖୁଛି ସପନ, କରିବ ପୂରଣ 

ପାଣିରେ ମାରିବ ନିଆଁ ll

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ୟମ -କାଶୀନଗର
ଜିଲ୍ଲା-ଗଜପତି, ଓଡିଶା, 761206

 

Related posts

ଟେମରା ଓ କାଶିବାହଲ କୃଷି ସମବାୟ ସମିତି ସଭାପତି ନିର୍ବାଚନ ଘୋଷଣା

ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ

Sunil Chandra Nayak

ବଣୁଆ ହାତୀ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!