ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ  ଙ୍କ କବିତା ବାପା, ମୁଁ ଆଜି ବାପା ହୋଇଛି 

ବାପା, ମୁଁ ଆଜି ବାପା ହୋଇଛି 

ଦିଲ୍ଲୀପ କୁମାର ନନ୍ଦୀ 

 

ସଂସାର ଜଞ୍ଜାଳ ସନ୍ତାନ ଜଞ୍ଜାଳ

ଆଜି ସବୁ ପରା ବୁଝି ପାରୁଛି

ସଂସାରର ଯେତେ ଦୁଃଖ ଶୋକ ସବୁ

 ଅଙ୍ଗେ ଅଙ୍ଗେ ଆଜି ମୁଁ ନିଭାଉଛି

ବାପା, 

     ମୁଁ ଆଜି ବାପା ହୋଇଛି।୧।

 

ଅନ୍ତର ଦରଦ ଅନ୍ତରେ ମାରୁଛି

ଛାତିକୁ ପଥର କରି ରଖିଛି

ଆଖିର ଲୁହକୁ ଝରାଉନି କେବେ

ଓଠକୁ ଦେଖ ମୁଁ ଶୁଷ୍କ ରଖିଛି

ବାପା, 

     ମୁଁ ଆଜି ବାପା ହୋଇଛି।୨।

 

କେତେ ଦୁଖ କଷ୍ଟ ସହୁଥିଲ ବାପା

ସେସବୁକୁ ଆଜି ବୁଝି ପାରୁଛି

ସ୍ନେହର ପୁତ୍ତୁଳା ମଳ ତ୍ୟାଗ କଲେ

କୋଳ ନ କାଟି ମୁଁ ପୋଛି ଦେଉଛି

ବାପା,

     ମୁଁ ଆଜି ବାପା ହୋଇଛି।୩।

 

ଅଧର କ୍ଷୁଧାକୁ ଉଦରେ ମାରୁଛି

ମନ ସିନ୍ଧୁକରେ ତାଲା ଦେଇଛି 

କଣ୍ଠକୁ ଆସିଲେ କଣ୍ଟ ଖୋଲିଯିବ 

ମଧୁ ନୀର ଭାବି ପାନ କରୁଛି 

ବାପା, 

    ମୁଁ ଆଜି ବାପା ହୋଇଛି।୪।

 

ଖାରକୁ କ୍ଷୀରବି ଭାବି ମୁଁ ପିଉଛି

ତିକତକୁ ମଧୁ ଭାବି ନେଉଛି

ବିଷକୁ ପିୟୁଷ ଆକଣ୍ଠେ ପିଉଛି

ଅମୃତ ବୋଲି ମୁଁ ଧରି ନେଇଛି

ବାପା, 

     ମୁଁ ଆଜି ବାପା ହୋଇଛି।‌୫।

 

ମରୁକୁ ସାଗର କେବେ ମୁଁ ଭାବୁଛି 

ରୌଦ୍ରରୁ ଶୀତଳ ତାପ ପାଉଛି

ଜଳଧି ହୋଇ ମୁଁ ନିଶ୍ଚଳ ରହୁଛି

ନିଶବଦେ ପରା ସବୁ ସହୁଛି

ବାପା, 

     ମୁଁ ଆଜି ବାପା ହୋଇଛି।୬।

 

କଟୁକୁ ମଧୁର ଭାବି ମୁଁ ଶୁଣୁଛି

ଝଡ଼କୁ ମଳୟ ବୋଲି ଭାବୁଛି

ପଙ୍କକୁ ପଙ୍କଜ ବୋଲି ମୁଁ ଭାବୁଛି

ଗଙ୍ଗା ଭାବି ନାଳେ ସ୍ନାନ କରୁଛି

ବାପା, 

    ମୁଁ ଆଜି ବାପା ହୋଇଛି।୭।

 

ଫୋପଡ଼ା କଚଡ଼ା ମାନ ଅଭିମାନ

ରାଗ ରୁଷା କେତେ ଆଜି ବୁଝୁଛି

କଳି ତକରାଳ କାହା ସଙ୍ଗେ ପୁଣି

କାହାକୁ କେତେ ଯେ ‘ହାତ ଯୋଡ଼ୁଛି

ବାପା, 

    ମୁଁ ଆଜି ବାପା ହୋଇଛି।୮।

 

କାହା ପାଦ ଧରି ଗୁହାରି କରୁଛି

କାହା ପାଖେ ମଥା ମୁଁ ନୁଆଁଉଛି

କାହା ସାଥେ ପୁଣି ଛାତିକୁ ଛାତି ମୁଁ,

ଲଗେଇ ତାଙ୍କରି ପାଇଁ ଲଢ଼ୁଛି

ବାପା, 

   ମୁଁ ଆଜି ବାପା ହୋଇଛି।୯।

 

କଳ୍ପବଟ ପରି ଛାୟା ପରଷୁଛି

ନିଜେ ପରା ସବୁ ଝାଞ୍ଜି ସହୁଛି

ବାହୁ ପ୍ରସାରି ମୁଁ ଜଡ଼େଇ ଛାତିରେ

ତୁମ କଥା ଆଜି ଭାବି ହେଉଛି

ବାପା, 

   ମୁଁ ଆଜି ବାପା ହୋଇଛି।୧୦।

 

କାନ୍ଧ ଗାମୁଛାରେ ତାଙ୍କ ମୁହଁ ପୋଛି

ନିଜ ମୁଣ୍ଡଝାଳ ତୁଣ୍ଡେ ମାରୁଛି

ହାତଧରି ସିନା ଚାଲି ଶିଖାଉଛି

ଝୁଣ୍ଟିପଡ଼ି କେତେ କ୍ଷତ ସହୁଛି

ବାପା, 

   ମୁଁ ଆଜି ବାପା ହୋଇଛି।୧୧।

 

ଛୁଞ୍ଚି ପରିମାଣେ ଧୂଳି ପଡ଼ିଗଲେ

ଛାତିରେ ସତେ ପଥର ବାଜୁଛି

ଲୁହ ବିନ୍ଦୁଟିଏ ଝରିଲେ ଆଖିରୁ

ଛାତିରୁ ରୁଧିର ମୋର ଝରୁଛି

ବାପା,

   ମୁଁ ଆଜି ବାପା ହୋଇଛି।୧୨।

କାଏମା, ଧର୍ମଶାଳା, ଯାଜପୁର 

 

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା ଜନନୀ

ସମାଜସେବୀ ଙ୍କ ସ୍ମୃତିରେ ଜଳଛତ୍ର ଉଦଘାଟିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପାର୍ବଣ ଆସୁଛି ବୋଲି

Sunil Chandra Nayak

Leave a Comment

error: Content is protected !!