କୋକସରା,୧୪/୭ -( ମ ନି ସ ).ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିରକାପଡା ର ୨ ଗରିବ ପରିବାରଙ୍କ ଘର ଭାଙ୍ଗି ଯାଇଛି । ଘର ଭାଙ୍ଗିବା ପରେ ପରିବାରକୁ ଧରି ନିରାଶ୍ରୟ ହୋଇ ଭଙ୍ଗା ଘରର ଏକ କୋଣ ରେ ଆଶ୍ରୟ ନେଇଛନ୍ତି ଦୁଇ ପରିବାର। ଅଭିଯୋଗ ଅନୁସାରେ ଭିର୍କାପଡା ର ଟଙ୍କଧର ଧଙ୍ଗଡା ମାଝୀ ଓ କୁମୁଦ ଚନ୍ଦ୍ର ଧଙ୍ଗଡା ମାଝୀ ଗରିବ ଶ୍ରେଣୀ ର ହୋଇଥିବା ବେଳେ ବର୍ଷ ବର୍ଷ ଧରି ଆବାସ ଘର ପାଇଁ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ସମେତ ସରପଞ୍ଚଙ୍କୁ ହାରି ଗୁହାରି କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଆବାସ ଯୋଜନା ରେ ଘର ଖଣ୍ଡେ ମିଳିନାହିଁ । ଫଳରେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ । ହେଲେ ମଙ୍ଗଳବାର ଲଗାଣ ବର୍ଷାରେ ଦୁଇ ପରିବାର ଘର ଭାଙ୍ଗିଯିବା ପରେ ଟଙ୍କଧର ସ୍ତ୍ରୀ ଦେବକୀ, ଝିଅ ମନୋରମା, ପୁଅ ବୈଷ୍ଣବ ଓ ବିଧବା ମା ବାଳମତି ବେୱା ଏଭଳି ୫ ପ୍ରାଣୀ ଦୟନୀୟ ସ୍ଥିତିରେ ରହୁଥିବା ଟଙ୍କଧର ପ୍ରକାଶ କରିଛନ୍ତି। ଟଙ୍କଧର ଙ୍କ ମା ବାଲମତି ତାଙ୍କ ସ୍ବାମୀ ମୃତ୍ୟୁ ହେବାର ୭ ବର୍ଷ ବିତି ଯାଇଥିଲେ ହେଁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିବାରୁ ବଞ୍ଚିତଥିବାରୁ ସେ ମଧ୍ୟ ଘର ଭାଙ୍ଗିବା ପରେ ଏବେ ବେଘର୍ ହୋଇପଡିଛନ୍ତି । ଅନ୍ୟ ପକ୍ଷରେ କୁମୁଦ ଚନ୍ଦ୍ର ଧଙ୍ଗଡା ମାଝୀ ମଧ୍ୟ ସ୍ତ୍ରୀ ଜୟନ୍ତୀ, ଦୁଇ ଝିଅ କୌଶଲ୍ୟା, ଡୋଲେଶ୍ୱରୀ, ପୁଅ ଗୁଣନିଧି ଓ ମା ହେମ ବେୱା ଙ୍କ ସହ ରହୁଥିଲେ । ତାଙ୍କ ଘର ମଧ୍ୟ ବର୍ଷାରେ ଭାଙ୍ଗିଯିବା ପରେ ସେ ମଧ୍ୟ ବେସାହାରା ହୋଇ ପଡିଛନ୍ତି। ଏନେଇ ଲଡୁଗାଁ ରାଜସ୍ୱ ନିରୀକ୍ଷିକା ମମତା ସାଏ ଙ୍କୁ ପଚାରିବାରୁ ଦୁଇ ପରିବାର ଙ୍କ ଘର ଭାଙ୍ଗିଛି ଓ ସେମାନଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଳି କହିଛନ୍ତି। ତେବେ ଦୁଇ ପରିବାରକୁ ଆବାସ ଯୋଜନାରେ ସାମିଲ କରି ମୁଣ୍ଡ ଗୁଞ୍ଜିବାକୁ ଘର ଯୋଗାଇଦେବା ପାଇଁ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
next post