ଚନ୍ଦାହାଣ୍ଡି -(19/7 ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ କେବିସି ବିଜେତା ନାମରେ ମହା ଠକେଇ ହେଉ ଥିବା ଅଭିଯୋଗ ହୋଇଛି I ଠକ ଦଳ ନିଜକୁ ମୁମ୍ବାଇର କହୁଥିବା ସହ ଲୋକମାନଙ୍କୁ ହ୍ୱାଟ୍ସଅପ ମେସେଜ ଏବଂ ଭଏସ କଲ ରେକଡିଂ ପଠାଇ ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି I ବ୍ଲକର ଅନେକ ଲୋକ ଏହି ଫାଶରେ ପଡି ସର୍ବନାଶ ହୋଇ ଲୋକଲଜ୍ୟା ପାଇଁ କିଛି କହିପାରୁନଥିବା ବେଳେ, ଅନେକ ଲୋକ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି I ଲୋକଙ୍କୁ ତାଙ୍କ ହ୍ୱାଟ୍ସଅପ ନମ୍ବର କେବିସି ବିଜେତା ହୋଇଥିବା କହି ଲଟେରୀ ଟିକଟ ର ଫୋଟୋ ଏବଂ ଭଏସ ରେକଡ଼ିଂ ପଠେଇ ଫୋନରେ ଯୋଗାଯୋଗ କରି ବ୍ୟାଙ୍କ ଆକାଉଣ୍ଟରେ 25 ହଜାର ପଠାଇଲେ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବା ସ୍ବପ୍ନ ଦେଖାଇ ଲୋକଙ୍କୁ ଠକୁଛନ୍ତି I ନିକଟରେ ଜଣେ ବରିଷ୍ଠ ସାମ୍ବାଦିକ ଓ ଶିକ୍ଷକଙ୍କୁ ଏହି ଫୋଟୋ ଓ ଫୋନକଲ ଆସିବା ପରେ ଆଶ୍ଚର୍ଯ୍ୟ ହୋଇ ଏହା ଏକ ଫ୍ରଡ଼ ବୋଲି ଭାବି କିଛି ଉତ୍ତର ଦେଇନଥିଲେ I ନାମୀ ଟିଭି ସୋ କେବିସି ନାମ ଓ ଏଥିରେ ଷ୍ଟାର ଅଭିନେତା ଅମିତାଭ ବଚନଙ୍କ ଫୋଟୋ ରହିବା ଫଳରେ ନିରୀହ ଅଶିକ୍ଷିତ ଲୋକ ଅତି ସହଜରେ ଏହି ଫାସରେ ପଡୁଛନ୍ତି I ତେବେ ଏପରି ଫୋନ କଲ କିମ୍ବା ଲଟେରୀ ଫୋଟୋ ଓ ବିଭିନ୍ନ ଲିଙ୍କ ଆସିଲେ ସଜାଗ ହୋଇ ରହନ୍ତୁ, ନଚେତ ଠକାମୀ ର ଶିକାର ହେବେ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି I
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ