ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଜାଲିନ ବେହେରା ଙ୍କ ଗଲ୍ପ ମୌନ ଯେବେ ମୁଖରିତ ହୁଏ

ମୌନ ଯେବେ ମୁଖରିତ ହୁଏ

 

ରୋଜାଲିନ ବେହେରା

ହେ ମୋର ଇଛାର ଈଶ୍ୱର…..

ଏହି ଶରୀରରୁ ଆତ୍ମା ବିଦାୟ ନେବା ଆଗରୁ ଇଛା ହୁଏ ଜୀବନର ସବୁକିଛି ଅଭିମାନ ଓ ଅଭିଯୋଗ ତୁମ ଆଗରେ ବାଢ଼ିଦେବାକୁ, ଯଦିଓ ତୁମେ ଅନ୍ତର୍ଯ୍ୟାମୀ । କୃଷ୍ଣଙ୍କୁ ବାଦ ଦେଲେ ରାଧାର ଅସ୍ତିତ୍ବ ହିଁ ନାହିଁ, ଦୁହେଁ ଏକ ଓ ଅଭିନ୍ନ, ସବୁ ପରେ ମଧ୍ୟ ଆଜି କାହିଁକି ଲାଗେ ଯେ ସବୁ କିଛି ତୁମ ପାଖରେ ନଛାଡି ଜୀବନରୁ ଅସ୍ତ ଯାଇ ହୁଏନା, ମୁଁ ଯଦି ମୋର ନୁହେଁ ଏସବୁ କଷ୍ଟ ଯନ୍ତ୍ରଣା ବି ମୋର କାହିଁକି ହେବ, ସେମାନଙ୍କୁ ସଙ୍ଗେ ଘେନି ବିଦାୟ ନେଇ ହୁଏନା I ମୃତ୍ୟୁ ଦ୍ଵାରରେ ପହଞ୍ଚିବା ଆଗରୁ ଆଜି ପବନର ପ୍ରତ୍ୟେକଟି ତରଙ୍ଗରେ ମୁଁ ମୋର ଗୋଟି ଗୋଟି ଅଭିମାନକୁ ତୁମ ନିମନ୍ତେ ଛାଡ଼ିଯାଉଛି । ମୁଁ ନିଶ୍ଚିନ୍ତ ଯେ ସମସ୍ତ ମାନବୀୟ ଲୀଳାକାର୍ଯ୍ୟ ସମାପ୍ତ କରିସାରିବାପରେ ଯେବେ କ୍ଲାନ୍ତ ଅବସନ୍ନ ଦେହ ତୁମର ଶିଆଳି ଲତାସ୍ଥ ନିଦ୍ରା ଯାଇଥିବ ସେତେବେଳେ ବ୍ରଜପୁରର ଏହି ଅଭିମାନ ଅଭିଯୋଗଭରା ଶୀତଳ ସମିରଣର କାଉଁରୀ ସ୍ପର୍ଶରେ ହିଁ ତୁମେ ଆଶ୍ବସ୍ତି ଲାଭ କରିବ I ଗୋପ ଗୋପାଙ୍ଗନାଙ୍କ ବେଦନାସିକ୍ତ ଶବ୍ଦପୁଞ୍ଜି ସବୁ ତୁମ ଦେହରେ ଚନ୍ଦନ ସମ ଲେଶି ହୋଇଯିବ ଯାଦ୍ଵାରା ମୃତ୍ୟୁ ଯନ୍ତ୍ରଣାର ସାମାନ୍ୟତମ ଅନୁଭବ ବି ତୁମକୁ ହେବ ନାହିଁ I

ତୁମେ ଯିବା ପରେ ବ୍ରଜପୁରକୁ ଆଉ ବସନ୍ତ ଆସୁନଥିଲା,ବନଫୁଲରେ ଗୋବର୍ଦ୍ଧନ ଵାସୁନଥିଲା । ଝରଣା ସବୁ ଶୁଷ୍କ ଆଉ ଶ୍ରୀହୀନ । ଟାଙ୍ଗରା ଆଉ ରୁକ୍ଷ ଟୁକ୍ଷ ଅବୟବ ତାର ତୃଣଟିଏ ବି ପ୍ରସବଇବାରେ ସକ୍ଷମ ହେଉ ନଥିଲା । ବଉଳା ଆଉ ବୋଲରେ ନଥିଲା । ଯମୁନାର ନୀର ଗୋପାଙ୍ଗନାଙ୍କ ଆଖିର ଲୁହ ହେଇ ନିଗିଡି ଯାଉଥିଲା ଗୋପ ଦାଣ୍ଡକୁ ପ୍ଳାବିତ କରୁଥିଲା । ବିଶାଖା, ଚିତ୍ରଲେଖା, ଚନ୍ଦ୍ରାବଳୀ, ମଧୁଗୋପା, ପୁଷ୍ପଙ୍ଗଦା ତୁମ ପାଇଁ ସବୁ ସନ୍ଧ୍ୟାରେ ସାତଶୃଙ୍ଗାର ରଚୁଥିଲେ, ସବୁ ରାତ୍ରି ନିଦ୍ରା ବିମୁଖ ରହି ତୁମ ଫେରିବା ପଥେ ଚାହିଁ ରହୁଥିଲେ । ସୁବଳ, ମଧୁମଙ୍ଗଳା ସବୁବେଳେ ତୁମର ସେହି ଶେଷ କଥା ରଟୁଥିଲେ “ମୁଁ ଫେରି ଆସିବି”..I

ତୁମେ କୁଆଡେ ସତରେ ଫେରିଥିଲ ଗଲା କାଲିର ବର୍ଷା ଘୋର ରାତିରେ । କାଲି ବର୍ଷା ମୁଖରିତ ସାୟଂ କାଳରେ ମୁଁ ଆଉ ଚନ୍ଦ୍ରାବଳୀ ବୃନ୍ଦାବନରେ ବୁଲୁ ବୁଲୁ ଯମୁନାର ଅସ୍ଥିର ଜଳରେ ସେ ପୁଣି ତୁମ ପ୍ରତିବିମ୍ବ ଦେଖି ଆତ୍ମହରା ହେଇ ଉଠୁଥିଲା । କଦମ୍ବ ଶାଖାକୁ କୁଣ୍ଢେଇ ଧରି ଘଡ଼ିଏ ଯାଏଁ ବିଳାପ କରୁଥିଲା, ସ୍ୱାମୀ ସଂସାରର ଛାଇ ଆଲୁଅ ବଖାଣୁଥିଲା I ମୁଁ କିନ୍ତୁ ଖୁବ୍ ହସୁଥିଲି..।

କଦମ୍ବବନରୁ ମଧ୍ୟରାତ୍ରିରେ ତୁମ ମୁରଲୀ ଶୁଭୁଥିଲା । ସକାଳୁ ସକାଳୁ ଗୋପ ଦାଣ୍ଡରେ କେଇ କେରା ବାସ୍ନାୟିତ ମୟୁର ଚନ୍ଦ୍ରିକା ଉଡ଼ିବୁଲୁଥିଲା। କାଲି ତମ ସାନିଧ୍ୟ ପାଇ ଯମୁନା ବେଶ କମନୀୟ । ଗୋବର୍ଦ୍ଧନ କୋଣୁ ସୂର୍ଯ୍ୟଦେବ ନଉଠୁଣୁ ଗୋପ ଦାଣ୍ଡ ହରଷ ମୁଖରିତ । ବଉଳା ଗାଲରେ ତୁମ ଚୁମ୍ବନ ସକାଳ ଯାଏଁ ପ୍ରତୀତ ହେଉଥିଲା । କାଳିନ୍ଦୀ କୂଳରେ ତୁମ ପାଦ ଚିହ୍ନ ପଡ଼ିଥିଲା । ସବୁକିଛିର ପ୍ରତ୍ୟେକ୍ଷଦର୍ଶୀ ଭଳି ମୋ ଆଗରେ ଚିତ୍ରଲେଖା ଏସବୁ ମାଜି ମୁଜି ବଖାଣୁଥିଲା । ମୁଁ କିନ୍ତୁ ହସୁଥିଲି..ଏସବୁ ନିଶ୍ଚୟ ଚନ୍ଦ୍ରାବଳୀର ତୁଣ୍ଡ ବାଇଦ ।

ମୋ ଆଖି ଆଗରେ କେବଳ ବିବାକ ଯମୁନାର କୋହ, ଶିଥିଳ ଗୋପଦାଣ୍ଡ, ସୌନ୍ଦର୍ଯ୍ୟହରା କାଳିନ୍ଦୀ ହ୍ରଦ, ରୁକ୍ଷଟୁକ୍ଷ ଗୋବର୍ଦ୍ଧନ । ତୁମେ ତ ଏବେ ସୌନ୍ଦର୍ଯ୍ୟ ଭୁବନ ଦ୍ଵାରିକାର ଅଧିପତି । କାଇଁଚର ମାଳାକୁ ପରାସ୍ତ କରି ରତ୍ନ ଖଚିତ ହାର ସବୁ ତୁମ ଗଳାବେଷ୍ଟନ କରୁଥିବେ । ଅଷ୍ଟ ପାଟମହିଷୀଙ୍କ ଅନ୍ତପୁରର ଉପଭୋଗ୍ୟ ମୁହୁର୍ତ୍ତକୁ କଦାପି ଟପିଯାଇପାରୁନଥିବେ ଗୋପାଳପୁରର ସେହି ଅବିରବୋଳା ଅଝଟ ମୁହୁର୍ତ୍ତ ସବୁ । ଯେତେ ଯିଏ ହୁରିପକେଇଲେ ମଧ୍ୟ ମୁଁ ଜାଣେ ଗୋପଠୁଁ ଦ୍ଵାରିକା ଏତେ ଦୂର ଯେ କୃଷ୍ଣ କୃଷ୍ଣ ବୋଲି ଯୁଗବ୍ୟାପି ଡାକଛାଡିଲେ ବି ସେଠା ଯାଏଁ ଶୁଭିବ ନାହିଁ ।

ମୁଁ ଦେଖିଛି ସୁଶୀଳା, ନୟନା, ମଧୁଛନ୍ଦା ଯେତେ ସବୁ ଗୋପଲଳନାଙ୍କ ସ୍ଵାମୀ ସଂସାରର ବିପର୍ଯ୍ୟସ୍ତତା, ଶାଶୁ ନଣନ୍ଦଙ୍କ ନିର୍ଯାତନା, କାଦୁଅ ଛିଟା ଭଳି ଏ ଗଳି ସେଗଳିରେ ପଡୁଥିବା ଅପବାଦର ଛିଟା ସବୁ । ପ୍ରତି ରାତିରେ ସ୍ବାମୀମାନେ ଆମ ଓଠରୁ ତୁମ ନାମ ଲିଭାଇଦେବାକୁ ଆପ୍ରାଣ ପ୍ରୟାସ କରନ୍ତି । ସମସ୍ତଙ୍କ ଭଳି ମୋ ସ୍ବାମୀ ମଧ୍ୟ ମୋତେ ଯମୁନା ଯିବାକୁ ବାରଣ କରନ୍ତି, ମଥୁରାକୁ ଦହିବିକ୍ରି ପାଇଁ ଆକଟ କରନ୍ତି । ଶାସନ ସୁତାରେ ତୁମ ସହ ଯୋଡିହେଇଥିବା ସମସ୍ତ ପଥ ଅବରୋଧ କରନ୍ତି । ମୁଁ ସ୍ଵୀକାର କରିନିଏ ପ୍ରତିଟି ଆକଟ ବାରଣକୁ। ସେ ତିଳେ ହେଲେ ଖୋଜି ପାଆନ୍ତି ନାହିଁ ମୋ ଆଖିର ଅସନ୍ତୋଷ, ମୋ ଛାତିତଳର ବିଦ୍ରୋହ ଝଙ୍କାର । ତାଙ୍କୁ ରକ୍ତାକ୍ତ କରୁଥିଲା ଗୋପ ଦାଣ୍ଡରେ ଗଡଗଡୋଉଥିବା ରାଧା-କୃଷ୍ଣଙ୍କର ଗୋପନ ପ୍ରଣୟର କଣ୍ଟାସବୁ । ସେ ବ୍ୟଥିତ ହେଉଥିଲେ ମୋର ଦୁର୍ନାମ, କଳଙ୍କ ଓ ଅପବାଦରେ ।

ସେଦିନ ଆମର ସ୍ୱାମୀ ମାନେ ସାମୁହିକ ଭାବେ କଦମ୍ବ ବନରେ ଅନ୍ଧାର ଆଢୁଆଳରେ ଲୁଚି ବସିଥିଲେ, କାଳେ ତୁମେ ଗୋପନରେ ଆସୁଛ, ମଧ୍ୟରାତ୍ରିରେ ମୁରଲୀ ବଜାଇ ଗୋପାଙ୍ଗନାଙ୍କୁ ଏକାନ୍ତରେ ଭେଟିଯାଉଛ I ସେମାନେ ଦେଖୁଥିଲେ ଛାଇ ଆଲୁଅର ଜହ୍ନ ରାତିରେ ଦୋଳିଖେଳ, ନୌବିହାର ଏବଂ ନୃତ୍ୟ ଗୀତର ରାସ ..I ମୋ ସ୍ୱାମୀଙ୍କୁ ସଙ୍ଗାତ ପ୍ରସାଦ ହାତ ବଢ଼େଇ ଚିହ୍ନେଇ ଦେଉଥିଲେ – ଦେଖ ଦେଖ ଚନ୍ଦ୍ରସେଣା, ଏଇ ତ ରାଧିକା..I ଚମକିପଡି ସେ ଦୋଉଡିଯାଉଥିଲେ ଛାଇ ଆଲୁଅରେ ମୋ ମୁହଁ ଠଉରେଇବାକୁ, ମାତ୍ର ରାଧା ବୋଲି ଚିହ୍ନଟ କରାଯାଇଥିବା ଚେହେରାଟି ପାଖରେ ପହଞ୍ଚିବା ବେଳକୁ କୃଷ୍ଣ ସମେତ ସବୁ ଚରିତ୍ର ମାନେ ପୁଣି କୁଆଡେ ନିଶ୍ଚିହ୍ନ ହେଇଗଲେ I ଘରକୁ ଆସି ମୋତେ ଅର୍ଦ୍ଧନିଦ୍ରାରୁ ଉଠାଇ ସେ ମୋତେ ତନ୍ନ ତନ୍ନ କରି ପରଖିଲେ, ଘରେ ନଥାଇ ଅଧା ରାତି କୋଉଠି ଥିଲି ବୋଲି ସତ ସତ ମାନିଯିବାକୁ କହିଲେ I ମୋତେ କଷ୍ଟ ହେଲା କିଛି ସମୟ କିନ୍ତୁ ମୁ ନହସି ରହିପାରୁନଥିଲି, ମୋତେ ବନ୍ଦୀ କରି ରାତି ଅଧରେ ସେ ପଦାରେ ଖୋଜୁଛନ୍ତି ମୋ ଅବିଶ୍ୱସ୍ତତାର ପ୍ରମାଣ I

ଏପଟେ ଜନମୁଖରୁ ରାଧାକୃଷ୍ଣଙ୍କ ପ୍ରଣୟ ଲୀଳାର ପ୍ରଚାର ଆଉ ସେପଟେ ତାଙ୍କ ହାତରେ ଚାକ୍ଷୁସ ପ୍ରମାଣର ଅଭାବ, ଧୀରେ ଧୀରେ ତାଙ୍କ ମାନସିକ ବିପର୍ଯ୍ୟତାର କାରଣ ପାଲଟି ଯାଏ I ସାରା ଜୀବନ ତୁମ ସଙ୍ଗେ ମୋର ଗୋପନ ପ୍ରଣୟର କୁହେଳିକା ପଛରେ ଧାଇଁ ଧାଇଁ ସେ ବର୍ତ୍ତମାନକୁ ହରେଇ ବସନ୍ତି I ଏବେ ଆମ ବୟସର ସାୟଂ କାଳ ଉପସ୍ଥିତ I ଏବେ ସେ କେବଳ ମୋ ପାଖରେ ଅନୁଭବନ୍ତି ଗୋଟେ ହିମ ଶୀତଳ ଅନିଚ୍ଛା ଭାବ ଯାହା ତାଙ୍କ ପୁରୁଷପଣକୁ ବିଦ୍ରୁପ କଲା ଭଳି ତାଙ୍କୁ ଲାଗେ I

କ୍ରମେ କ୍ରମେ ତୁମ ବୀରତ୍ୱ ବ୍ୟଞ୍ଜକ କାହାଣୀ ସବୁ ମୋ କର୍ଣ୍ଣ ଗହ୍ୱର ସ୍ପର୍ଶ କରି ମୋତେ ଅଣନିଃଶ୍ୱାସୀ କରି ପକାଏ । ୟାକୁ ପୁଣି ବୀରତ୍ୱ କୁହାଯାଏ ? ନିଜର ରଣନୀତି କୂଟନୀତି ବଳରେ ଛନ୍ଦ କପଟ କରି କେବେ ରୁକ୍ମିଣୀଙ୍କୁ ତ କେବେ ସତ୍ୟାଭାମାଙ୍କୁ କେବେ ଜାମ୍ବବତୀଙ୍କୁ ତ ପୁଣି କେତେ କେତେ ସୁନ୍ଦରୀ ରାଜକନ୍ୟାଙ୍କୁ ଅପହରଣ କରି ନିଜ ରାଜପ୍ରସାଦକୁ ଆଣୁଥିଲ । ଏଥିରେ ତୁମର କେଉଁ ବୀରପଣର ବାହାଦୁରି ପ୍ରସ୍ଫୁଟିତା ହେଉଥିଲା କେଜାଣି I ତୁମେ ପରା ପ୍ରେମ ପ୍ରବର, ଯାହାଙ୍କ ପ୍ରେମରେ ଯମୁନାର ଢେଉ ବି ଉଜାଣି ଯାଏ, ବ୍ରଜପୁରରେ ଗୋପୀମାନେ ବ୍ୟଗ୍ର ବିବ୍ରତ ହୋଇପଡନ୍ତି । ଯାହାଙ୍କର ବଂଶୀ ସ୍ଵନ ପ୍ରଭାବରେ ପ୍ରସ୍ତର ବି ତରଳି ଯାଉଥିଲା, ପଶୁମାନେ ହିଂସ୍ର ସ୍ଵଭାବ ଭୁଲି ଯାଉଥିଲେ, ମୃତ ଶୁଷ୍କ କାଷ୍ଠ ସବୁ ପଲ୍ଲବିତ ହେଉଥିଲା, ଯମୁନାର ଢେଉ ସାଙ୍ଗରେ ଜଳଚର ଜୀବ ମାନେ ମଧ୍ୟ ସ୍ଥିର ହେଇଯାଉଥିଲେ । ପକ୍ଷୀମାନେ କାକଳି ଭୁଲିଯାଉଥିଲେ, ପବନବି ଦିଗଚ୍ୟୁତ ହେଇ ଓଲଟା ବହୁଥିଲା, ସେଇ ଅଦ୍ୱିତୀୟ ପୁରୁଷ ତ ତୁମେ ହିଁ ଥିଲ ନା !! ଏହି ଅପହରଣ ବୃତ୍ତାନ୍ତସବୁ କିନ୍ତୁ ମୋ ସ୍ୱାମୀଙ୍କୁ ବିଚଳିତ କରେ I ମୋତେ ଅପହରଣ କରିବାର ଆଶଙ୍କାରେ ସେ ମୋତେ ଜଡେଇ ଧରନ୍ତି I ମୁଁ ପୁଣି ହସିଉଠେ ମୋ ସ୍ୱାମୀଙ୍କର ଏହି ସଂଶୟ ଏବଂ ସଂତ୍ରାସରେ I

ଆୟୁଷର ଶେଷ ପ୍ରହରରେ ଯେବେ ମୁଁ ରୋଗାକ୍ରାନ୍ତ, ମୋ ସ୍ୱାମୀ ମୋତେ ତାତ୍ସଲ୍ୟ କରି କୁହନ୍ତି – ସେ କଣ ଆସିବ ତୁମକୁ ଦେଖାକରିବାକୁ ଯାହା ଫେରିବା ପଥେ ତୁମେ ଝୁରି ଝୁରି ସରିଗଲ ?

ମୁଁ ନିରବ ରୁହେ..

ସେ ପୁଣି ପ୍ରଶ୍ନ କରନ୍ତି – କୁହ ରାଧିକେ, ସେ ମାୟାବୀ କୃଷ୍ଣ କଣ ଫେରିବ ତୁମକୁ ଲାଗୁଛି ?

ତାଙ୍କର ପ୍ରତ୍ୟେକଟି କ୍ରୋଧ ମିଶା ପ୍ରଶ୍ନରେ ତୁମ ନାମ ବାରମ୍ବାର ଗୁଞ୍ଜରିତ ହୁଏ, ମୋ ଚାରିପାଖ ବେଶୀ ବେଶୀ କୃଷ୍ଣମୟ ହେଇଯାଏ I

ମୁଁ କିନ୍ତୁ ହସୁଥାଏ ଆଉ ଭାବୁଥାଏ ଯାହାଙ୍କୁ ମୋ ଦେହରୁ କେବେ ଅଲଗା କରିନି ତାଙ୍କ ଫେରିବା କଥା ଉଠୁଛି କେଉଁଠୁ…।

 

ସାନପାଟସୁନ୍ଦର ପୁର
କଟକ, ୭୫୪୦୧୮

 

Related posts

କବିତା – ଉତ୍କଳ ଦିବସ ଚିନ୍ତନ

Sunil Chandra Nayak

ମାତୃଭାଷା ଦିବସ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାରର କବିତା ଆସର

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ  

Sunil Chandra Nayak

Leave a Comment

error: Content is protected !!