ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

ଦୌପଦୀଙ୍କ ରାଇରଙ୍ଗପୁରରୁ ରାଇସିନା ଯାତ୍ରା, କାଉନସିଲରରୁ ପାଲଟିଲେ ଦେଶର ରାଷ୍ଟ୍ରପତି….

ରାଇରଙ୍ଗପୁରରୁ ରାଇସିନା ହିଲ୍ । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବାପରେ ମୟୂରଭଞ୍ଜ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ବିଶେଷକରି, ସ୍ବାଧୀନତା ପରବର୍ତ୍ତୀକାଳରେ ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜନେତାମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ଶୀର୍ଷରେ ପହଞ୍ଚିଛି। କାଲି ଯାଏ ଯେଉଁ ସହରକୁ ଲୋକେ ଏକ ଛୋଟିଆ ସହର ବୋଲି ଜାଣିଥିଲେ ଆଜି ସେହି ରାଇରଙ୍ଗପୁରକୁ ମିଳିଛି ନୂଆ ପରିଚୟ। ଦ୍ରୌପଦୀଙ୍କ ପାଇଁ ରାଇରଙ୍ଗପୁର ଆଜି ଦେଶର ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଲା ବୋଲି ଚର୍ଚ୍ଚା ହେଉଛି। ଏହି ରାଇରଙ୍ଗପୁରରୁ ହିଁ ତାଙ୍କର ରାଜନୈତିକ ଜୀବନର ମୂଳଦୁଆ ପଡ଼ିଥିଲା, ଯାହାକି ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି।

ଶିକ୍ଷକତା ଛାଡ଼ି ଗଣତନ୍ତ୍ରର ତୃଣମୂଳସ୍ତରୀୟ ଅନୁଷ୍ଠାନରୁ ରାଜନୀତି ଆରମ୍ଭ କରିଥିଲେ  ଦ୍ରୌପଦୀ ମୁର୍ମୁ।  ୧୯୯୭ ମସିହାରେ ରାଇରଙ୍ଗପୁର ଏନଏସିରୁ ୨ ନଂ ୱାର୍ଡରୁ ନିର୍ବାଚନ ଲଢି ବିଜୟୀ ହୋଇ କାଉନସିଲର ହୋଇ ପରେ ଏନଏସିର ନିର୍ବାଚିତ ହୋଇଥିଲେ । ଏହାଥିଲା ତାଙ୍କ ଜୀବନର ପ୍ରଥମ ନିର୍ବାଚନ ଓ ସେ ତାହାକୁ ସଫଳତାର ସହ ଜିଣିଥିଲେ।  ପୁଣି ୨୦୦୦ ମସିହାରେ ବିଜେପି ପକ୍ଷରୁ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହେବା ସହିତ ବିଜେପି-ବିଜେଡି ମେଣ୍ଟ ସରକାର ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ଓ ବାଣିଜ୍ୟ, ପରିବହନ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ଦାୟିତ୍ୱରେ ରହିଥିଲେ ।

ସେହିପରି ୨୦୦୪ ନିର୍ବାଚନରେ ମଧ୍ୟ ବହୁ ଭୋଟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ସେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିବାରୁ ୨୦୧୫ ମସିହାରେ ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ ଏବଂ ୧୨ ଜୁଲାଇ ୨୦୨୧ ମସିହା ପର୍ଯ୍ୟନ୍ତ ଏହି ପଦବିରେ ରହିଥିଲେ । ତେବେ ଏକବର୍ଷ ପରେ ସେ ରାଷ୍ଟ୍ରପତି ଦୌଡରେ ଥିବା ଜାଣି ପାରିଥିଲେ ଏବଂ ୨୧ ଜୁନ ରାତିରେ ଟିଭି ନ୍ୟୁଜ୍‌ରୁ ସେ ଜାଣିବାକୁ ପାଇଲେ ଯେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ଚୟନ କରାଯାଇଛି । ତାହା ଜାଣି ସେ ଖୁସିରେ କାନ୍ଦି ପକାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମର ବିରଞ୍ଚି ନାରାୟଣ ମୁର୍ମୁ ଓ ମା’ ସିନଗୋ ମୁର୍ମୁଙ୍କ ଔରଷରୁ ୨୦ ଜୁନ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ପ୍ରଥମେ ଗାଁ ସ୍କୁଲରେ ପଢୁଥିଲେ ଏବଂ ପରବର୍ତ୍ତୀ  ସମୟରେ ସେ ଭୂବନେଶ୍ୱରରେ ରହି ୧୯୭୪ ମସିହାରେ ମାଟ୍ରିକ୍ ପାସ କରିଥିଲେ । ଏହାପରେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପାଠପଢି ଯୁକ୍ତ ଦୁଇ ସହିତ ସ୍ନାତକ ଡିଗ୍ରି ହାସଲ କରିଥିଲେ । ଏହା ପରେ ୧୯୭୯ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେକ୍ରେଟେରିଏଟରେ ଜଳସେଚନ ଓ ଶକ୍ତି ବିଭାଗର କିରାଣୀ ଭାବେ କାର୍ଯ୍ୟ କରିଥିଲେ । ତେବେ ସ୍ୱାମୀ ବ୍ୟାଙ୍କରେ ଚାକିରି କରୁଥିବାରୁ ସେ ରାଇରଙ୍ଗପୁରକୁ ଫେରିଆସିଥିଲେ ଏବଂ ରାଇରଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବେ ୧୯୯୪ ରୁ ୧୯୯୭ ପ୍ରର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ତୃତୀୟ ଦିବସ

Sunil Chandra Nayak

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Sunil Chandra Nayak

ବିଜୁଳି ଗ୍ରାହକଙ୍କୁ ଜୋରିମାନା ଓ ମାଡ ସାଙ୍ଗକୁ ଅଘୋଷିତ ବିଜୁଳି କାଟ, ଉପଭୋକ୍ତା ହେଲେ ହନ୍ତ ସନ୍ତ

Sunil Chandra Nayak

Leave a Comment

error: Content is protected !!