ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ହାଣ୍ଡିଶାଳ ରାଜନୀତି

ହାଣ୍ଡିଶାଳ ରାଜନୀତି

ଜୟ କୁମାର ମିଶ୍ର

ଗଣତନ୍ତ୍ର ଆସି, ଦିଏ ପରକାଶି
ସ୍ୱାଧୀନ, ସ୍ୱତନ୍ତ୍ର ମତ, 
ଘରେ ଘରେ ଆଜି, ରାଜନୀତି ପୁଞ୍ଜି 
ଖୋଜନ୍ତି ଆପଣା ପଥ ll
ହାଣ୍ଡିଶାଳ କରେ, ନିଆରା ଢଙ୍ଗରେ 
ରାଜନୀତି ଖଳ, ଖେଳ,  
କେତେ ସଭ୍ୟ, ସଭ୍ୟା,ଦେଖାଇ ତା ଆଭା 
ଦେଖାନ୍ତି ଆପଣା ବଳ ll
ରନ୍ଧାବଢ଼ା ବେଳେ, ସମିତିଟି ଚଳେ 
ସମାଚାର କେତେ ଖେଳେ, 
ଫୁସୁର ଫାସର, ଗୁପତ ବେଭାର 
ବାଡ଼ି କବାଟକୁ କିଳେ ll
ହୁକୁମଟି ହେବ, ଅଲିଖିତ ଥିବ
ତାଗିଦଟି ବରାବର, 
କେତେ ରାଗରୁଷା, ବିକଳଆ ଭାଷା 
ଆଖିରେ ଲୋତକ ଝର ll
ରାଣ, ପ୍ରରମାଣ, ଆଉ କେତେ କଣ 
ମରଣ ଭୟକୁ କହି, 
ଇଚ୍ଛା ପୂରଣରେ, କିଏ ପlରିବାର 
ତାକୁ କେ ବୋଲିବେ ନାହିଁ ll
କେତେ ସତ ମିଛ, ଗଢ଼ପିଢ଼ ବାଛ
ପର ଚରଚାରେ ମନ, 
ହବାକୁ ନହେବା, ନହେବାକୁ ହେବା 
ଗୋଟା ଘର ଫଟା ଜାଣ ll
ବାଡ଼ିର ସ୍ୱରୂପ, ବଚନ ବହପ 
ଦାଣ୍ଡ ଜାଣିପାରେ ନାହିଁ, 
କେତେ ଲୁଚା ଛପା,କଳ୍ପନାର ଛାପା 
ମଧୁର ଭାଷାକୁ ଥୋଇ ll
ଶାନ୍ତ,କାନ୍ତ ମନ, କାମରେ ମଗନ 
ଆପଣା ସ୍ୱାର୍ଥରେ ମଜି, 
ଭୀମ ଉଗ୍ର ମତି, ଇରଷାରେ ତାତି 
ଭାଙ୍ଗେ ବାସନକୁ ଖୋଜି ll.
ପାଦ ଧମଧମ, ମନ ଥମଥମ 
ଭାରେ ଅବାଗିଆ କଥା, 
ଅସହଯୋଗର, ଦିଏ ସମାଚାର 
କରି କେ ମରମ ଚିନ୍ତା ll
ଘଟଣା, ଅଘଟଣା, ହୁଏ ବାଟବଣା 
କେତେ ଛଣା, କେତେ ଫେଣା 
କେତେ ମନଗଢ଼ା, ଚଞ୍ଚକ ଚାପୁଡା 
ଦିଏ ପ୍ରତାରଣା ଠୁଣା ll
ଦାଣ୍ଡ ଜlଣେ ନାହିଁ, ହାଣ୍ଡିଶାଳ କଥା 
ସବୁକୁ ସତ୍ୟ ସେ ମଣେ, 
କରଇ ବଇରୀ, ମଣଇ ଅଇରୀ 
ବିଭେଦ ପାଚେରି ଟାଣେ ll
ଘରର ମଣିଷ, ହୋଇଯାଏ ବିଷ 
ଦୂର ବ୍ୟବଧାନ ବଢ଼େ, 
ମନ ଫଟାଫଟି, ବିବାଦରେ ଲୋଟି 
ଗୁମର ଦାଣ୍ଡରେ ଚଢ଼େ ll
ଭାଙ୍ଗଇ ଏକତା, ଭାଙ୍ଗଇ ମମତା 
ସ୍ନେହ, ଅନୁରାଗ ପ୍ରୀତି, 
ସୁବିଧା ବାଦର, ରାଜନୀତି ସ୍ୱର 
ଗଢେ ଛାରଖାର ସ୍ଥିତି ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର
 ଜିଲ୍ଲା-ଗଜପତି , ଓଡିଶା, 751206

Related posts

ରାଇରଙ୍ଗପୁରରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ମସୀହା ପ୍ରଭାବ –  ଦଶ ଦିନ ଅନ୍ଧାର ରେ ରହିବା ପରେ:ମଞ୍ଚାଗାଁ ଛାତ୍ରାବାସ ଓ ବିଦ୍ୟାଳୟ ପାଇଲେ ବିଦ୍ୟୁତ ସେବା

Sunil Chandra Nayak

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷାଙ୍କ ପ୍ରେସ ମିଟ

Sunil Chandra Nayak

Leave a Comment

error: Content is protected !!