ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ନୂଆ ତରକାରୀ

ନୂଆ ତରକାରୀ

ଅପର୍ତ୍ତି ସେଠୀ

        (ରମ୍ୟ ରଚନା)
ଡାକି ରୋଷେୟାକୁ କହୁଛନ୍ତି ବାବୁ
       ଶୁଣିବୁ କିରେ ପୂଜାରୀ,
ଆଜି ଏକ ନୂଆ ଆଇଟମ୍ କର
       ଖାଇବା ଯେ ମନଭରି।
ଏଣୁ ତେଣୁ ଜାଗା ନ ଯାଇ ବାବୁରେ
       ସାହିତ୍ୟ ମାର୍‌କେଟ ଯିବୁ,
ପରେପରେ ପୁଣି ମାଆ ବୀଣାପାଣି
       ଗ୍ରୋସରୀରେ ପହଞ୍ଚିବୁ ।    
ଭାବ ସମ୍ପର୍କର ସ‌ଉଦା କରିବୁ
       ପ୍ରେମରୁ କିଛି କିଣିବୁ,
ହୃଦୟ ଥଳିକୁ ଯତ୍ନେ ଭର୍ତ୍ତି କରି
       ଶୀଘ୍ର ବାହୁଡ଼ି ଆସିବୁ।
ଶବ୍ଦ ଅକ୍ଷରର ପରିବାକୁ କାଟି
       ଜ୍ଞାନ ଜଳେ ଧୋଇ ଦେବୁ,
ଉତ୍ସାହର ରନ୍ଧା କରେଇରେ‌ ଭରି
       ସ୍ନେହ ଚୂଲା ଜଳେଇବୁ।
ବଟାବଟି କରି ସ୍ଵପ୍ନର ମସଲା 
       ଢାଳିଦେବୁ ଭାଷା ତୈଳ,
ସଂସ୍କୃତି ଲବଣ ଟିକେ ନ ପଡ଼ିଲେ
      ହୋଇଯିବ ସେ ବେକାର।
ମନ କରି ତୁହି ସେ ତରକାରୀରେ
      ଓଡିଶୀ ଛୁଙ୍କ ମାରିବୁ,
ଚ‌ଉଦିଗ ସାରା ମହକି ଉଠିବ
       ଅନୁଭବ କରୁଥିବୁ।
ଆମ ଐତିହ୍ୟର ଗରମ ମସଲା
       ଶେଷରେ ଦେବୁ ପକାଇ,
ହାତ ଚାଟି‌ ଭାତ ଖାଇବୁ ତୁହିରେ
        ପାଟିରୁ ଛାଡ଼ିବ ନାହିଁ।
କେତେ ଗୋଟି ଶବ୍ଦ ଭାବର ଆବେଗ
        ଭାଷା, ସଂସ୍କୃତି ମିଶ‌ଇ,
ରନ୍ଧା ରନ୍ଧି‌ ହୋଇ “କବିତା ତର୍କାରୀ”
        ତେଣୁ ପ୍ରସ୍ତୁତ ହୁଅଇ।
ଖାଣ୍ଟି ପ୍ରାକୃତିକ ମସଲା ତର୍କାରୀ
      ଏଥିରେ ଭେଜାଲ ନାହିଁ,
ବରଂ ଏ ସଂସାର ସୁସ୍ଥ ନିରାମୟ 
       ତାହା ପାଇଁ ରହୁଥାଇ।
କେତେକ ପୂଜାରୀ ଏ ତରକାରୀକୁ
       ଭଲ ରାନ୍ଧି ଜାଣନ୍ତିନି‌,
କେବେ କରିଦ୍ଯନ୍ତି ଅଲଣା,ଦର୍‌ସିଝା
       କେବେ ଅଚକର‌ ଲୁଣି।
ଅବଶ୍ୟ ଅନେକ ପୂଜାରୀ ରାନ୍ଧନ୍ତି
       ତରକାରୀ ଲାଗେ ଭଲ,
ଯହିଁ ଥାଏ ଭାଷା, ଶବ୍ଦ ଓ ସାହିତ୍ୟ
        ପଦ,ଛନ୍ଦ‌ ମେଳଚୁଳ।
ଏ ନୂଆ ତର୍କାରୀ ଜଣେ ଖାଇଜାଣେ
        କିନ୍ତୁ ରାନ୍ଧିଜାଣେ ନାହିଁ,
ସେ ଜଣକ ଭାଇ ଏ ମୂର୍ଖ ଅପର୍ତ୍ତି
        ମୋଟେ ସୂତ୍ର ପାଉ ନାହିଁ।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

    

Related posts

ନନ୍ଦିନୀ ରାଉତ ଙ୍କ କବିତା କାଶତଣ୍ଡି

Sunil Chandra Nayak

ତୀର୍ଯ୍ୟକ୍

ନାଗଝରୀ ଗ୍ରାମରେ ସରପଞ୍ଚଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ

Leave a Comment

error: Content is protected !!