ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବର୍ଷାରାଣୀ

    ବର୍ଷାରାଣୀ

         ବେଣୁଧର ସୂତାର

ଆଦ୍ୟ ଆଷାଢ଼ର ମଉସୁମୀ ପ୍ରେମ
ଧୂସର ଧରିତ୍ରୀ ଦେହେ
ଧରଣୀ ବୁକୁରେ ସବୁଜିମା ହସେ
ନବ ଶ୍ୟାମଳିମା ମୋହେ ।।
ଶ୍ୟାମଳ ତନୁରେ ଶ୍ୟାମଳିନୀ ଧରା
ସପନ ରାଇଜେ ହଜି
ଭୂମି ଓ ଭୂମାର ନବ ଅଭିସାର
ମଧୁର ଶୃଙ୍ଗାରେ ମଜ୍ଜି ।।
ପ୍ରକୃତି ଆଣିଛି ମିଳନର ଋତୁ
ପ୍ରଣୟର ପ୍ରୀତିଫୁଲ
ମାଦକତା ଭରା ରୂପ ମାଧୁରିମା
ନଵ ଯଉବନ ମୂଲ ।।
ବର୍ଷା ଭିଜା ଏଇ ଧୂସର ଧରଣୀ
ଆହାକି ସୁନ୍ଦର ଦିଶେ
ନବ ପଲ୍ଲବିତ ତରୁ ଲତା ରାଜି
 ଶ୍ୟାମଳ ପାଟଳ ହସେ ।।
ମଉସୁମୀ ଗାଏ ପ୍ରେମର ପୂରବୀ
ମେଘ ମହ୍ଲାର ସୁରେ 
ପ୍ରକୃତି ଗାଉଛି ମିଳନ ଗୀତିକା
ପ୍ରୀତିର ବର୍ଷା ନୀରେ ।।
ମେଦୁର ଆକାଶେ
              ସୌଦାମିନୀ ହସେ     
ଚପଳା ରୋଷଣୀ ମାଳା     
ଭାବ ଆବେଗର ମୃଦୁ ମନୋହର 
ରସମୟ ରଙ୍ଗଶାଳା ।।
ଇନ୍ଦ୍ର ସଜାଇଛି ପ୍ରୀତିର ତୋରଣ
ସମୀରେ ସୁରଭି ଭରା
ଆକାଶ ଧରିତ୍ରୀ ମହାମିଳନର
 ରାସମୟ ରସ ଧାରା ।।
ମୌସୁମୀ ସାଜିଛି ପ୍ରୀତିର ଦୂତିକା
ମିଳନର ମଧୁରାସ
ଅମୃତମୟଏ ଅପୂର୍ବ ସଂଯୋଗେ
ଜଡ ପାଏ ଜୀବନ୍ୟାସ ।।
ଦୂର ଗଗନର ନୀଳମେଘ ମାଳେ
ଶୋଭନ୍ତି ବଳକା ପଙ୍କ୍ତି
ସତେକି ବଳକା ପ୍ରେମ ପ୍ରଣୟର
ଶୁଭ୍ରମୟ ବୈଜୟନ୍ତୀ ।।
ଗାଏ ସମୀରଣ ମଙ୍ଗଳା ଚରଣ
ଜନ ମଙ୍ଗଳର ଗୀତି
ଅମୃତ ସଲିଳ ଶୀତଳ ପରଶେ
ଭୂମି ଓ ଭୂମାର ପ୍ରୀତି ।।
ବର୍ଷାଗୋ ତୁମେ ଧରିତ୍ରୀ ଆକାଶ
ପ୍ରୀତି ଭରା ଅନୁରାଗ
ତୁମେ ଲିଭାଇଛ ବସୁଧା ନୟନୁ
ଉଷ୍ମ ଅଶ୍ରୃର ଦାଗ ।।
ବର୍ଷା ଜଗତର ମଙ୍ଗଳ କାରିଣୀ
ବିଶ୍ବ ପ୍ରାଣ ସଞ୍ଜୀବନୀ
ସୃଷ୍ଟିସୁଧା ରସେ ବସୁମତୀ ତୋଷେ
ଗାଇ ମଙ୍ଗଳର ଧ୍ବନି ।।

କେଶଦୁରାପାଳ କେନ୍ଦୁଝର

Related posts

ଜୁନାଗଡ଼ ବ୍ଲକରେ ଡକାୟତି ଆତଙ୍କ ଘଟଣା,ନଳ କୂପରେ ପାଣି ପିଇବା ବ୍ୟକ୍ତିଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ

Sunil Chandra Nayak

ପ୍ରଧାନମନ୍ତ୍ରୀଙ୍କ ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ନେଇ ସେବା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନାରୀ ତୁହି ବନ୍ଦନୀୟା

Sunil Chandra Nayak

Leave a Comment

error: Content is protected !!