ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ବର୍ଷା ଆଜି ମାେ ଗାଁ ଦାଣ୍ଡରେ

ବର୍ଷା ଆଜି ମାେ ଗାଁ ଦାଣ୍ଡରେ

ଆଜି ବି ବର୍ଷା ହୁଏ
ମୋ ଗାଁର ଅଙ୍କା ବଙ୍କା ଛୋଟିଆ ଦାଣ୍ଡରେ
ହେଲେ,
ସେ ବର୍ଷା ପାଣିରେ ଭାସୁନାହିଁ ଆଉ
ମୋ ସେହି ଦୁଷ୍ଟ ପିଲାଦିନ ଭଳି
ଶ୍ରଦ୍ଧା, ଉତ୍କଣ୍ଠା ଆଉ ଉନ୍ମାଦନାର
ରଫ ଖାତାର କାଗଜରେ ତିଆରି 
କାହିଁ ଗୋଟିଏ ବି ହେଲେ
ଛୋଟିଆ ଧଳା କାଗଜ ଡଙ୍ଗା …।।
ଆଜି ତୁହାକୁ ତୁହା ବର୍ଷା ପରେ
କାହିଁ ସେଦିନ ପରି ନାହିଁ 
ସେହି ଅଳ୍ପ ଉଚ୍ଚା ଓଦା ବାଲିର ବନ୍ଧ
ମୋ ଗାଁ ଦାଣ୍ଡ ମଝି ରାସ୍ତାରେ,
ଯାହା ବାରମ୍ବାର ଭାଙ୍ଗୁଥିଲେ ମଧ୍ୟ
ପୁଣି ତିଆରି ହୋଇଯାଉଥିଲା 
ସଙ୍ଗେ ସଙ୍ଗେ ମୋ କଂଅଳ ହାତରେ…।।
ମୁଁ ଦେଖିଲି ବର୍ଷା ତ ସେ ଦିନ ଭଳି
ମୋ ଗାଁ ପାଖ ଘାସ ପଡ଼ିଆରେ
ଏବେ ବି ହେଉଛି ଖୁବ୍ ଜୋରରେ
ହେଲେ ଏବେ କାହିଁ କେଉଁଠି 
ମୁଁ ଦେଖି ପାରୁନାହିଁ
କଂଅଳିଆ ସବୁଜ ଦୁବଗଛ ମୂଳେ
ରିମ୍ ଝିମ୍ ବର୍ଷାର ତାଳେ ତାଳେ
ଲାଲ୍ ଟୁକୁ ଟୁକୁ ସାଧବ ବୋହୂର
ସୁନ୍ଦର ପ୍ରୀତିମୟୀ ମନଲୋଭା ଚାଲିଟିଏ..।।
ଦେଖୁଛି ସେମିତି ବର୍ଷା ହେଉଛି 
ମୋ ଗାଁ ଶେଷ ମୁଣ୍ଡ ବିସ୍ତୀର୍ଣ୍ଣ ଚାଷ ଜମିରେ
ଲହଡ଼ି ଭାଙ୍ଗୁଛି ପାଣି ସବୁ କିଆରୀରେ
କିନ୍ତୁ ଦେଖୁ ନାହିଁ ଚାଷୀ ଭାଇଟିଏ
ବର୍ଷା କାଦୁଅରେ ଭିଜି ଭିଜି 
ଅତି ଖୁସିରେ ଧାନ ରୋହିବାରେ।
ବର୍ଷା ବି ହେଉଛି,
ମୋ ଅତି ଆପାଣର ପୋଖରୀ ହୁଡ଼ାରେ
ଫୁଲି ଯାଇଛି ସେ 
ତେଲ କଡାଇର ସଦ୍ୟ ପଡ଼ିଥିବା ପୁରୀଟିଏ ପରି
କିନ୍ତୁ ଦେଖୁ ନାହିଁ ମୁଁ 
ମୋ ପିଲା ଦିନ ସାଙ୍ଗମାନଙ୍କ ପରି
କେହି ଜଣେ ଛୁଆ ପହଁରୁ ନାହିଁ ତା ଛାତିରେ।
କାହିଁ ସେଇ ମୋ ହଜିଲା ପିଲାଦିନ
କାହିଁ ସେ ଭିଜା ଭିଜା ବର୍ଷାଦିନ
କାହିଁ ମୋ ଦେହେ ସେ ଗାଁ ଦାଣ୍ଡ କାଦୁଅ ଚିହ୍ନ
ଯେଉଁ ସ୍ମୃତିକୁ ଆଜି ଖୋଜେ ମୋ ମନ
ସତରେ କେତେ ମଧୁର ଆଉ ଅଭୁଲା ସେ ଦିନ
ରହିଥିବ ସେ ମୋ ହୃଦୟରେ ସବୁ ଦିନ ।।

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା – ଜଳ

Sunil Chandra Nayak

ବେହେରାଗୁଡା ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦାବୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ୍ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

ପଥଭ୍ରଷ୍ଟ ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗ – ମଣିଷ ପାଇଁ ଉଦ୍ଦିଷ୍ଟ ଛତୁଆ ପଶୁଙ୍କର ଆହାର ହୋଇଛି 

Sunil Chandra Nayak

Leave a Comment

error: Content is protected !!