ପ୍ରକୃତି କବି ଗଙ୍ଗାଧର
ଶ୍ରୀମତୀ କଲ୍ୟାଣୀ ନନ୍ଦ, ସମ୍ବଲପୁର
ଶ୍ରାବଣ ପୂର୍ଣ୍ଣିମାର ସେ ତ ଶୁଭ ଦିନ,
ଆସିଥିଲ ମାତା କୋଳ କରି ମଣ୍ଡନ,
କୃଷ୍ଣ ଘନ କୋଳେ ସତେ ଚପଳା ସମ,
ଉଦ୍ଭାସିତ ହେଲା ସମସ୍ତ ଶ୍ରାବଣ ଆକାଶ।
ମାଟି ମାଁ ର ଥିଲ ତୁମେ ସୁଯୋଗ୍ୟ ସନ୍ତାନ,
ସାହିତ୍ୟାକାଶର ତୁମେ ଅଟ ଉଜ୍ଜ୍ବଳ ନକ୍ଷତ୍ର,
ମାତା ସରସ୍ଵତୀଙ୍କର ବରପୁତ୍ର ଆହେ ‘ଗଙ୍ଗାଧର’,
ଲେଖନୀ ତୁମର ରଚିଥିଲା କେତେ ମହା କାବ୍ୟ।
” ମଙ୍ଗଳେ ଅଇଲା ଉଷା” ଉଦିତ ଦିନକର,
ମଙ୍ଗଳ ବାରତା ଦେଲା ” ଆଶ୍ରମେ ପ୍ରଭାତ”,
” କୁମ୍ଭାଟୁଆ ହୋଇ ଭାଟ,ଆରମ୍ଭିଲା ସ୍ତବପାଠ”,
ସେ ସ୍ତବ ପାଠେ ସର୍ବେ ହେଲେ ଆଚମ୍ବିତ।
ଉତ୍କଳ “ଭାରତୀ ଭାବନା” କି ” ଅମୃତମୟ”,
ଶବ୍ଦ ଚାତୁରୀ ବର୍ଣ୍ଣିଲା ” କବିତା କଲ୍ଲୋଳ”,
” ଅର୍ଘ୍ୟଥାଳୀ”ରେ “ଉତ୍କଳ ଲକ୍ଷ୍ମୀ”ଙ୍କ କଲ ବନ୍ଦନ,
ତବ ଲେଖନୀ ଓଡ଼ିଆ ସାହିତ୍ୟ”ମହିମା” କଲା ମଣ୍ଡନ।
ପ୍ରକୃତି ର କବି ଆହେ ରଙ୍ଗା ଜୀବ ଗଙ୍ଗାଧର,
କେତେ ରଙ୍ଗ,ରୂପେ ପ୍ରକୃତି କୁ କରି ଚିତ୍ରିତ,
ଓଡ଼ିଆ ସାହିତ୍ୟକାଶେ ଉଜ୍ଜ୍ବଳ ତାରକା ସମ,
” ମଧୁମୟ” ରଚନା କଲା ମାନବତାର ଜୟଗାନ।
ଧନ୍ୟ ସେ ଜନ୍ମ ମାଟି,ଧନ୍ୟ ମାତା,ପିତା ତୁମର,
ଯୁଗେ ଯୁଗେ ହେ ବରପୁତ୍ର ‘ଗଙ୍ଗାଧର’ ରହିବ ଅମର,
“ପ୍ରଣୟ ବଲ୍ଲରୀ”, ତପସ୍ଵିନୀ”,” କୀଚକବଧ” କାବ୍ୟ,
“ମାତୃଭୂମି” ଓଡ଼ିଆ ସାହିତ୍ୟ ର ତୁମେ ଯେ ଅମୂଲ୍ୟ ରତ୍ନ।



