କିମ୍ପା ହେବା ମନେ ଦୁଃଖି
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ଅତି ଗରମରେ ଜଳୁଛି ଧରଣୀ
ନଈ ନାଳ ଗଲା ଶୁଖି
ଗଛ କାଟି ଆମେ ଭୋଗୁଛେ ଏ ଦଶା
କିମ୍ପା ହେବା ମନେ ଦୁଃଖି….(୦)
ସବୁଜ ବନାନୀ ବିନାଶ କରିଲେ
ଭୋଗ ବିଳାସର ପାଇଁ
କଳକାରଖାନା ବିଶାଳ ପ୍ରାସାଦ
ସବୁଠି ଦେଲେ ହେ ଥୋଇ
ଆପଣାର ସୁଖ ଖାଲି ହେ ଖୋଜିଲେ
ମନରେ ହସକୁ ମାଖି…..(୧)
ଶୁଦ୍ଧ ବାୟୁ ଶୁଦ୍ଧ ପାଣି ନ ମିଳିଲା
ଚାରିଆଡେ ହାହାକାର
ନିଆଁ ବରଷିଲା ପ୍ରଖର ବେଗରେ
ସବୁ ହେଲା ଛାର ଖାର
ଅଂଶୁଘାତ ଭୟ ସଭିଙ୍କୁ ଘାରିଲା
ଆମେ ବି ସେଥିରେ ସଖି….(୨)
ପ୍ରକୃତିର ଏହି ନିୟମାନୁସାରେ
ଯାହା ଦେଇ ତାହା ପାଇ
କି ଦୋଷ ଲଦିବା ବିଧାତା ମୁଣ୍ଡରେ
ଆମ କର୍ମ ଫଳ ଏହି
ବେଳ ଥାଉଁ ଯଦି ସଜାଗ ନ ହେବା
ସବୁ ସୁଖ ଯିବ ଶୁଖି….(୩)