ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ପଶୁ ରାଇଜ ଓ ତାଙ୍କର ତେଜ

ପଶୁ ରାଇଜ ଓ ତାଙ୍କର ତେଜ

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

ଶୁକରୀ, କୁକୁର, ଗାଆଁ ପରିମଳ
କରୁଅଛି ନିତି ଦିନ, 
କରି ସଫା ରାସ୍ତା, ସ୍ଵଛତା ବାରତା 
ପଶୁ ହୋଇ ଦିଏ ଜାଣ ll(1)
ଆଖି ବୁଜି ବୁଜି, କ୍ଷୀର ପିଉଅଛି 
ଚତୁର ବିଲେଇ ଏଠି, 
ସୁଠାମ ସୁନ୍ଦର, ବାହାଦୁରୀ ସ୍ୱର 
ପଛରେ କଛାକୁ କାଟି ll(2)
ଶକତ ଯନ୍ତାଟି, ସଜାଗ ସବୁଠି 
ତଥାପି ମାରଇ ଧୂଳି, 
ଅତି ବଳିଗଲେ, ଧରା ପଡିଯାଏ 
ମାମୁଁଘର ଯାଏ ଚଳି ll(3)
ଗାତୁଆ ମୂଷାଟି, ଗାତ କରି ଯାଏ 
ଖାଇ ବୋହି ମାଲାମାଲ, 
ଶକତ ଯନ୍ତାଟି, ବେହାଲ ଏଇଠି 
ବୁଝି ତାର ହାଲ ଚାଲ ll(4)
କୁକୁର ଭୁକୁଛି, କହି ବୁଲୁଅଛି 
ସବୁରି ମାଧ୍ୟମ ହୋଇ, 
ଅଇଁଠା ରୁଟିରେ, ମନ ଘର ଧରେ 
ପକ୍ଷପାତି ନୀତି ନେଇ ll(5)
ବାଘର ଗର୍ଜନ, ପ୍ରଭାବ ସେ ଶୂନ୍ୟ 
ନୀତି, ଗତି, ମତି ହାରି, 
ଶିକାରର ଆଶା, ପିପାସାର ତୃଷା 
ଲାଞ୍ଜ ଜାକି ରହେ ଡରି ll(6)
ବଣ ରାଇଜର, ରାଜା ହୋଇଛନ୍ତି 
ନାମକୁ ମାତ୍ରଟି ସେହି , 
ସଚିବଙ୍କ କଥା, ନହୁଏ ଅନ୍ୟଥା 
ତାରଣ ମାରଣ ପାଇଁ ll(7)
ଭାଲୁକ ସଚିବ, ଦେଖାଏ ପ୍ରଭାବ
ମୁନାଫାଖୋର ତା ନିତି, 
ଗୁମ୍ଫାରୁ ଆସୁଛି, ହୁକୁମ ଭାସୁଛି 
ଦେଉଛି ବହୁତ ଭିତି, ll(8)
ଜୀବନ ଜୀବିକା,ଉଚ୍ଚନ୍ନ ଓ ଫିକା 
କାହାକୁ ମିଳେ ଆସନ, 
ଶାସନ ସମନ, ହୁଙ୍କାପିଟା ଜାଣ
ଅପାତ୍ରରେ ପରା ଦାନ ll(9)
ମାଙ୍କଡ ଖେଳୁଛି, ରାଜନୀତି ଖେଳ 
ଡାଳରୁ, ଡ଼ାଳକୁ ଡେଇଁ, 
ଯେଉଁ ଡାଳଟିରେ, ଫଳ ବେଶି ଧରେ 
ତାର ପ୍ରତି ମନବାଇ ll(10)
ସ୍ଥିର ମତି ଗତି, ଏଡି ରାତାରାତି
ଡାଳ ବଦଳାଏ କେତେ, 
ଏଘର ମାଉଁସୀ, ସେ ଘର ପିଉସୀ 
ଚଳେ ସ୍ୱାର୍ଥସିଦ୍ଧି ପଥେ, ll(11)
ଅନୁଚର ମାନେ, ରହି ନିଜ ସ୍ଥାନେ 
ହୁଅନ୍ତି ଭକୁଆ ସଦା, 
ହୋଇ ପିଟାପିଟି, ହୋଇ ଛାଟିପିଟି 
ଦଳରୁ ହୁଅନ୍ତି ବିଦା ll(12)
ମେଣ୍ଢା ପଲ ମେଳ, କରି କଳିଗୋଳ 
ଆପଣା ଭିତରେ ନିତି, 
ବଡ଼ ମେଣ୍ଢା ପଛେ, ମୁଣ୍ଡ ପୋତି ଗୋଛେ 
ଯାଆନ୍ତି ନବୁଝି ସୁଝି, 
ରଡିତ ବହୁତ, ଶୁଭେ ଦୂର ପଥ 
ଅଜ୍ଞ, ଅଜ୍ଞାନରେ ମଜ୍ଜି ll(13)
ହାତୀ, ସିଂହ, ଗଣ୍ଡା, ହୋଇ ବଡ଼ପଣ୍ଡା 
ସର୍ଵସ୍ବ କରନ୍ତି ଚଳୁ,, 
ସମୁଦ୍ରରେ ସଂଖେ, ଦେଇ ଦେଇ ଟିକେ, 
କରନ୍ତି କାହାକୁ ମଳୁ ll(14)
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206, 

Related posts

ପଶୁଙ୍କ ପାଇଁ ଆସିଲା କରୋନା ଭ୍ୟାକ୍ସିନ…

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ର ଅଷ୍ଟବିଂଶ ଆଭାସି କବିତା ଆସର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!