ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘର ରାଜନୀତି

ମୋ ଘର ରାଜନୀତି

       ଅପର୍ତ୍ତି ସେଠୀ

         (ରମ୍ୟ ରଚନା)
ଦେଖ ଭାଇ ଏଠି ରାଜନୀତି ପାର୍ଟି
        ସବୁଠିଁ ଗଲାଣି ପଶି,
 ଦିଲ୍ଲୀ ଠାରୁ ପଲ୍ଲୀ ଅବା କନ୍ଦି ଗଳି
        ରାଜୁତି କଲାଣି ଆସି।
ମୋ ଘରଟି କିବା ତା’ପଞ୍ଝା ଭିତରୁ
        ସହଜେ ମୁକୁଳି ପାରେ,
 ସ୍ବାମୀ ସ୍ତ୍ରୀ ଆମ ଦୁହିଁଙ୍କ ମଧ୍ୟରେ
        ବେଶ୍ ରାଜନୀତି ଖେଳେ।
ମୁଁକଂଗ୍ରେସ ପାର୍ଟି ସ୍ତ୍ରୀ ମୋ ବିଜେଡି
        ତା’ ହାତେ ଶାସନ ଗାଦୀ,
ମୁଁ ହାରୁଥାଏ ସର୍ବଦା ମୋ ଘରେ
        ପାଟି ଖୋଲିଦିଏ ଯଦି।
ମୁଁ କାଳେ ଖାଲି ଏଠି ବସି ବୁଲି
       ସାହିତ୍ୟ ଚର୍ଚ୍ଚାଟି କରେ,
ସିଏ କାଳେ ଘର, ସଂସାର ଚଳାଏ
       ମୁଁ କେହି ନୁହେଁ ଘରେ।
କଥା କଥାରେ ସେ କହିହେଉଥାଏ
       ତା’ ଛୁଆ ପିଲାଙ୍କ ପାଇଁ,
ମୁଁ କେବେ କିଛି କରିନାହିଁ ମୋଟେ
       ସବୁ ତ କରୁଛି ସେହି।
ସେହିଭଳି ଆମ ପିଲାମାନେ ପୁଣି 
       ମାଆ ପକ୍ଷ ନେଉଥାନ୍ତି,
ପ୍ରତି କ୍ଷେତ୍ରେ ମୋତେ ଅପଦସ୍ତ କରି
       ତାକୁ ଭୋଟ୍ ଦେଉଥାନ୍ତି।
ମୁଁ ଖଟିଖାଟି ପ‌ଇସା ଆଣୁଛି
       ତାଙ୍କ ହାତେ ଧର‌ଉଛି,
ଦରକାର ବେଳେ ହାତଯୋଡି ପୁଣି
       ନେହୁରା ହୋଇ ମାଗୁଛି।
ଯିଏ ଯେତେ ଯାହା ସମସ୍ୟା ଘଟାଏ‌
        ମୋ ମୁଣ୍ଡରେ ହୁଏ ଲଦା,
ଯେମିତି ମୁଁ ଘର ଡଷ୍ଟ୍‌ବିନ୍ ଡବା
        କି ଅବା ଅଳିଆଗଦା।
ଯେମିତି ତାଙ୍କର ବାପା କେହି ନୁହେଁ 
       ମାଆ ତାଙ୍କ ସବୁକିଛି,
ଗୁହାଳଟି‌ ପରା ଗାଈ ବାଛୁରୀଙ୍କ 
       ବଳଦର ନାହିଁ କିଛି।
ଆଧାର କାର୍ଡରେ ନାମକୁ ମାତ୍ରଟି
       ବାପା ନାଁ ପଡ଼ିଅଛି,
ଚାଷକାମ ପାଇଁ ବଳଦ ଭଳିଆ
       ବାପକୁ ଖୋଜା ପଡୁଛି।
ବନ୍ଧୁ ବାନ୍ଧବଙ୍କ ବେଭାର ପାଇଁ କି
       ବାପା ସେ କଥା ବୁଝିବ,
ରାସନ ,ସ‌ଉଦା, ବଜାର କି ହାଟ
       ବାପା ବି ତାକୁ କରିବ।
ପିଲାଙ୍କର ପାଠ ପଢା ଖର୍ଚ୍ଚ ସବୁ
       ବାପା ବହନ କରିବ,
ଗ୍ୟାସ୍ ଇଲେକ୍ଟ୍ରି ଟିଭି ମୋବାଇଲ
       ରିଚାର୍ଯ ବାପା କରିବ।
ଜନ୍ମ ଦିନ ରଜ ପ୍ରଥମାଷ୍ଟମୀରେ
       ନୂଆ ଡ୍ରେସ୍ କିଣାହେବ,
ନଚେତ୍ ଘରେ ଯେ ଠିଆପାଲା ହେବ
       ବାପଟି ତଡ଼ା ଖାଇବ। 
ଏହି ସବୁ କାମ କାମରେ କି ଗଣା
       ବାପା କିଛି କରେ ନାହିଁ,
ରୋଷେଇ ଗଣ୍ଡାଏ କରି ମାଆ କହେ
        ସବୁ ସିଏ କରୁଥାଇ।
ଗୋଡପରେଗୋଡଥୋଇ ଟିଭି ଦେଖି
        ସ୍ତ୍ରୀ ମୋ ହୁକୁମ ଦିଏ,
ଶୀଘ୍ର ଯାଇ ମାଛ ମାଂସ ତୁମେ ଆଣ
        ଆଣିବ ଆଉ ବା କିଏ?
କ‌ଅଣ କରିବି ବାପାର ଉପାଧି
        ଯେତେବେଳେ ପାଇଅଛି,
ଏସବୁ କରିବା ନିଜର କର୍ତ୍ତବ୍ୟ
        ମଥାପାତି ମାନୁଅଛି।
ସରକାର ଆମ ମାଆ ମାନଙ୍କୁ ଯେ
       ଆମ ମୁଣ୍ଡେ ଥୋଇଦେଲେ,
ମୋହରି ଭଳିଆ ବାପାମାନେ ଆଜି
       ଏଭଳି ହୀନସ୍ତା ହେଲେ।
ମୋ ଘର ରାଇଜେ ସ୍ତ୍ରୀ ମୁଖ୍ୟମନ୍ତ୍ରୀ
       ମୁଁ ବିରୋଧୀ ଦଳ ନେତା,
ତାହାର ମୋହର ନାହିଁ ମେଳଚୁଳ
       ହୁଏ କଟାକଟି‌ କଥା।
ନିଜ ଭତ୍ତା ପାଇଁ ଶାସକ‌ ବିରୋଧୀ
       ଏକାଠି ହୁଅନ୍ତି ଯେହ୍ନେ,
ସେଇଭଳି ସ୍ତ୍ରୀ ସୁବିଧା ପାଇଁକି 
       ମନ୍ତ୍ରଣା ଦିଏ ମୋ କାନେ।
ତଥାପି ମୋ ପୋଜିସନ ଭଲ ଅଛି
       ବୋଲି ବାହାରେ ମୁଁ କହେ,
ଏ ମୂର୍ଖ ଅପର୍ତ୍ତି ଫୁଟାଣି ମାରୁଛି
       ବଡ଼ ଜ୍ଞାନୀ କହି ସିଏ।

ପାଳକଣା, କୋରୋ, କେନ୍ଦ୍ରାପଡ଼ା

Related posts

ତୀର୍ଯ୍ୟକ

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା ପ୍ରୟାସ…

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିଶ୍ବ ଯହିଁ ବିମୋହିତ 

Leave a Comment

error: Content is protected !!