ଡାବୁଗାଁ, ୨୫/୮ ମୋବାଇଲ ନେଇଯାଇଥିବାରୁ ମାଡ ମାରିଲେ, ଚୁଟି କାଟିଲେ, ବେକରେ ଜୋତା ଓହଳାଇଲେ | ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ନିର୍ଯ୍ୟ|ତନା ଦେଇଥିବା ଭିଡିଓ ଭାଇରାଲ ହୋଇଛି | ପୀଡିତଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି | ସେମାନେ ହେଲେ ବିଜାପୁର ଗ୍ରାମର ଜଳେଶ୍ଵର ଦାଶ (୨୬), ଅସ୍ତୁ ମାଝି (୨୮) ଓ ସଦା ପୂଜାରୀ (୨୫) ଗିରଫ କରାଯାଇଛି | ସୂଚନାଯୋଗ୍ୟ ୨୦ ତାରିଖ ଦିନ କୋଡିଗାଁ ଥାନା ଅଧୀନ ବାଲେଗାଁ ଗ୍ରାମର ଜଳେଶ୍ଵର ଦାଶ ମୋଟର ସାଇକେଲ ରେ ବିଜାପୁର ଗ୍ରାମକୁ ଫେରୁଥିଲା | ଫେରିବା ସମୟରେ ଆମ୍ବାଗୁଡା ଗ୍ରାମରେ ଥିବା କ୍ରସର ନିକଟରେ ଧନସରା ଗ୍ରାମର ହୀରାସିଂ ଗୌଡ ତାଙ୍କୁ ଲିପ୍ଟ ମାଗିଥିଲା ଓ ବିଜାପୁର ଛକରେ ଛାଡିଦେବା କହିଥିଲା | ଜଳେଶ୍ଵର ତାଙ୍କୁ ଗାଡିରେ ଆଣି ଆସୁଥିବା ବେଳେ ବିଜାପୁର ଗ୍ରାମରେ ଥିବା ତାଙ୍କ ସାଙ୍ଗ ଘରେ ରହିଥିଲେ | ସେହି ସାଙ୍ଗ ଘର ଭିତରେ ଥିବା ଏକ ଟେବୁଲ ଉପରେ ଜଳେଶ୍ଵର ତାଙ୍କ ମୋବାଇଲ ରଖୀ ଦେଇଥିଲେ | ସେହି ମୋବାଇଲକୁ ହୀରାସିଂ ସେଠାରୁ ଚୋରୀ କରିଥିଲେ | ପରେ ଜଳେଶ୍ଵର ହୀରାସିଂ ନେଇ ବିଜାପୁର ଛକରେ ଛାଡିଦେଇଥିଲେ | ସେଠାରୁ ଫେରିବା ପରେ ମୋବାଇଲ ଖୋଜି ଥିଲେ | ତାଙ୍କ ସାଙ୍ଗ ଘରକୁ ଆସି ମୋବାଇଲ ବିଷୟରେ ପଚାରି ଥିଲେ | ସେଠାରେ ଜାଣିବାକୁ ପାଇଲେ ସାଙ୍ଗରେ ଆସିଥିବା ସେହି ପିଲା ମୋବାଇଲ ନେଇଛି | ପରେ ହିରାସିଂଙ୍କ ପାଖକୁ ଯାଇ ପଚରାଉଚରା କରିଥିଲେ | ହୀରାସିଂ ଠାରୁ ମୋବାଇଲ ପାଇବା ପରେ ଜଳେଶ୍ଵର, ଅସ୍ତୁ ଓ ସଦା ମିଶି ତାକୁ ମାଡ ମାରିବା ସହ ଭିଡିଓ କରି ଏହାକୁ ଭାଇରାଲ କରିଥିଲେ | ଏନେଇ ହୀରାସିଂ ଗୌଡଙ୍କ ଭାଇ ବିଶ୍ଵନାଥ ଗୌଡ ବୁଧବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି | ଏନେଇ ଥାନା କେସ ନଂ ୧୩୭/୨୨ ଏକ ମାମଲା ରୁଜୁ କରାଯାଇଛି | ଗୁରୁବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ