ରହସ୍ୟର ଦେବତା ଶ୍ରୀଜଗନ୍ନାଥ
ମନୁଷ୍ୟ ଯେତେ ଶାସ୍ତ୍ର ଅଧ୍ଯୟନ କରୁପଛେ, ଯେତେ ଗବେଷଣା କରୁ ପଛେ; ଦାରୁ ବିଗ୍ରହ ଜଗନ୍ନାଥଙ୍କ ରହସ୍ୟ ଭେଦ କରିବା ତା ପକ୍ଷେ ଅସମ୍ଭବ । ଜଗନ୍ନାଥଙ୍କୁ ସେଥିପାଇଁ ପରମ ରହସ୍ୟ ଦେଵତା ବୋଲି କୁହାଯାଏ । ଯେକୌଣସି ଦିଗକୁ ବିଚାର କଲେ ବି ଜଗନ୍ନାଥଙ୍କ ରହସ୍ୟମୟ ତତ୍ତ୍ବକୁ ବୁଝିବା ସମ୍ଭବ ନୁହେଁ । ତଥାପି ମନୁଷ୍ୟ ଜଗନ୍ନାଥଙ୍କ ସ୍ବରୂପର ରହସ୍ୟ ଖୋଜିବା ଲାଗି ପ୍ରୟାସ କରିଆସିଛି । ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହକୁ ପ୍ରତିମା ଵୋଲି ଅନେକ ଭାବିଥାନ୍ତି । କିନ୍ତୁ ଏହା ପ୍ରତିମା ନୁହେଁ, ଏକ ପ୍ରତୀକ ଵୋଲି କୁହାଯାଇପାରେ । ପ୍ରତୀକ ହୋଇଥିବା ଯୋଗୁ ଜଗନ୍ନାଥ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରତିମା ରୂପରେ ପ୍ରକଟ ହୋଇଥାନ୍ତି । ପ୍ରତିମା ହୋଇଥିଲେ, ତାଙ୍କ ସ୍ବରୂପ ହୁଏତ ସେତେଟା ରହସ୍ୟମୟ ହୋଇନଥାନ୍ତା । କାରଣ ଭକ୍ତ ତାଙ୍କୁ କେଵଳ ଗୋଟିଏ ପ୍ରତିମା ଦେଖିଥାନ୍ତା । କିନ୍ତୁ ପ୍ରତିମା ହୋଇଥିବାରୁ ସେ ଭକ୍ତକୁ ନିଜ ଲୀଳା ଅନୁସାରେ ଭିନ୍ନ ଭିନ୍ନ ସ୍ବରୂପରେ ଦର୍ଶନ ଦେଇଥାନ୍ତି । ଭକ୍ତ ତାଙ୍କର ଭିନ୍ନ ଭିନ୍ନ ପ୍ରତିମା ଦେଖି ତାଙ୍କୁ ରହସ୍ୟମୟ ଦେବାତା ଭାବେ ଗ୍ରହଣ କରିଥାଏ । ଭିନ୍ନ ଭିନ୍ନ ବେଶରେ ଶ୍ରୀଜଗନ୍ନାଥ ଦର୍ଶନ ଦେଇ ନିଜର ସାର୍ବଜନୀନତାକୁ ପ୍ରମାଣ କରିଥାନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କ ଠାକୁର ଵୋଲି ଜଣାଇ ଦେଇଥାନ୍ତି । ତାଙ୍କର ବିଭିନ୍ନ ବେଶ ଭିନ୍ନ ଭିନ୍ନ ଲୀଳାକୁ ପ୍ରକଟ କରିଥାଏ । ଯେଉଁ ଭକ୍ତର ଭାବନା ଯେପରି ହୋଇଥାଏ, ସେ ସେହି ରୂପରେ ଜଗନ୍ନାଥଙ୍କୁ ଦର୍ଶନ କରିଥାଏ । ସେଥିପାଇଁ ଆବାହମାନ କାଳରୁ ରହସ୍ଯ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଭିନ୍ନ ଭିନ୍ନ ଭକ୍ତ ଭିନ୍ନ ଭିନ୍ନ ରୂପରେ ଦେଖିଆସୁଛନ୍ତି । ତଥାପି ତାଙ୍କ ରହସ୍ୟମୟ ସ୍ବରୂପ ଆଜି ବି ଅନେକଙ୍କୁ ରହସ୍ୟ ଭଳି ଲାଗୁଛି ।।
ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର