ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ଦୁଃଖ ଘୁଞ୍ଚିଯିବ ମୋର

ଦୁଃଖ ଘୁଞ୍ଚିଯିବ ମୋର

 

  ନନ୍ଦିନୀ ରାଉତ

ତୁମ ବାହୁତଳେ ଆଶ୍ରା ନେଇଥିଲି
     ତୁମେ ମହାବାହୁ ବୋଲି
ସେଥିପାଇଁ କିବା ରାଗରଖି ମୋତେ
    ଦୁଖାନଳେ ଦେଲ ଠେଲି।1।
ବଡ଼ ପ୍ରଭୁବୋଲି ଭରଷା ମୁଁ କଲି
    ସେ ପାଇଁ କିବା ରାଗିଲ
ଭାବକୁ ନିକଟ ଅଭାବକୁ ଦୂର
    ମୋତେ କିଆଁ ପର କଲ।2।
ଏତେ ବଡ଼ ବଡ଼ ଚକାଆଖି ଥାଇ
     ଦୁଃଖ ନ ପାରୁଛ ଦେଖି
କୁହ ତେବେ ପ୍ରଭୁ କିଏସେ ଡାକିବ
    କେଉଁ ବିଶ୍ୱାସକୁ ରଖି।3।
ପତିତପାବନ ବାନା ଉଡାଉଛ
     ପତିତ ଉଦ୍ଧାର ପାଇଁ
କେଡେ ପାତକି ମୁଁ ଯେତେ ବି ଡାକିଲେ
    ମୋ ଦୁଃଖ ଶୁଣିଲ ନାହିଁ।4।
ଲୋଡ଼ା ନାହିଁ ଆଉ ଏ ଜୀବନ ମୋର
    ଲୋଡ଼ା ନାହିଁ ଏ ସଂସାର
ତୁମରି ପାଦରେ ଆଶ୍ରା ଟିକେ ଦିଅ
     ମୋକ୍ଷ ହେବ ପ୍ରାଣ ମୋର।5।
ମାୟା ସଂସାର ରେ ବାୟା କରାଇଲ
     ମୁହିଁ ତ ଅଜ୍ଞାନ ଥିଲି
ଯେବେଠୁଁ ଜାଣିଲି ତୁମକୁ ପ୍ରଭୁ ହେ
    ତୁମର ଶରଣ ନେଲି।6।
ରାଗ ରୋଷ ଆଉ ଅଭିମାନ ଥିଲେ
    ମୋତେ କ୍ଷମା କରିଦିଅ
ଅବୁଝା ଦୁଃଖିନୀ କନ୍ୟା ମୁଁ ତୁମର
    ମୋତେତ ଆଶ୍ରୟ ଦିଅ।7।

Related posts

ଫଟକି ଆଦର୍ଶ ବିଦ୍ୟାଳୟ ରେ ନାହିଁ ବାଳକ ଛାତ୍ରlବାସ, ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଘାଟି ରାସ୍ତା ସହ ଯିବାକୁ ପଡୁଛି 40 କିମି 

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ସନ୍ଦେହ

Sunil Chandra Nayak

ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପରେ ପଡ଼ିଯିବାରୁ ମହିଳା ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!