ବାଲେଶ୍ଵର,୨୬/୯/୨୨- ବିବାହ ପରେ ଜନ୍ମିତ ଝିଅର ରଙ୍ଗ କଳା ହେବାରୁ ସ୍ତ୍ରୀକୁ ଘରୁ ବାହାର କରିଦେଲା । କୁନି ଝିଅକୁ ଧରି ଘର ସମ୍ମୁଖରେ ଭୋକ ଉପାସରେ ଧାରଣାରେ ବସିଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ତାଡଦା ଗ୍ରାମରେ । ସୂଚନା ଅନୁଯାୟୀ ତାଡଦା ଗ୍ରାମର ଚନ୍ଦନ ଦାସ ୨୦୧୩ ମସିହାରେ ବସ୍ତା ଥାନା ଅନ୍ତର୍ଗତ ଜନ୍ତିକାପାଳ ଗ୍ରାମର ଜ୍ଯୋତ୍ସ୍ନା ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ବିବାହର ଦୁଇ ବର୍ଷ ପରେ ଜ୍ଯୋତ୍ସ୍ନାଙ୍କ ଗର୍ଭରୁ ଝିଅଟିଏ ଜନ୍ମ ହୋଇ ଥିଲା, ହେଲେ ଝିଅଟିର ରଙ୍ଗ ଥିଲା କଳା । ଏଥିପାଇଁ ପରିବାର ଲୋକଙ୍କ ରୋଷର ଶିକାର ହେଉ ଥିଲେ ଜ୍ଯୋତ୍ସ୍ନା । ସେହି ଦିନଠାରୁ ଆରମ୍ଭ ହୋଇ ଥିଲା ଶାରୀରିକ ଏବଂ ମାନସିକ ନିର୍ଯ୍ଯାତନା । ଗତ ଗଣେଶ ପୂଜା ଦିନ ଜ୍ଯୋତ୍ସ୍ନାଙ୍କ ୭ ବର୍ଷର ଝିଅ ଦିପାଲିଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀ ଙ୍କ ସହାୟତାରେ ଝିଅକୁ ନେଇ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଦେହ ସୁସ୍ଥ ହେବାପରେ ଜ୍ଯୋତ୍ସ୍ନା ଗତକାଲି ସକାଳେ ଘରକୁ ଫେରିଥିଲେ । ହେଲେ ଜ୍ଯୋତ୍ସ୍ନାଙ୍କ ସ୍ବାମୀ ତାଙ୍କୁ ଘରକୁ ଯିବାକୁ ନ ଦେଇ ଗେଟ୍ ରେ ତାଲା ପକାଇ ଦେଇଥିଲେ । ରାତିରେ ଭୟ ଲାଗିବାରୁ ଘର ନିକଟରେ ଥିବା ଶିବ ମନ୍ଦିରରେ ଆଶ୍ରୟ ନେଇଥିଲେ । ଆଜି ସକାଳୁ ମା ଝିଅ ଶିବ ମନ୍ଦିରରୁ ଆସି ଘରକୁ ପଶିବା ପାଇଁ ଚେଷ୍ଟା କରିବାରୁ ସ୍ବାମୀ ଚନ୍ଦନ ଗେଟ୍ ରେ ତାଲା ପକାଇ ପଳାଇ ଯାଇଥିଲେ । କୁନି ଝିଅକୁ ଧରି କାନ୍ଦି କାନ୍ଦି ନ୍ଯାୟ ଅପେକ୍ଷାରେ ବସିଛନ୍ତି ଜ୍ଯୋତ୍ସ୍ନା । ଏ ସମ୍ପର୍କରେ ଚନ୍ଦନଙ୍କୁ ପଚାରିବାରୁ ସେ ତାଙ୍କୁ ଘରକୁ ପୂରାଇ ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ