ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାସ୍ମୀତା ଓଝା ଙ୍କ କବିତା ଆଞ୍ଜୁଳାଏ ଅମୃତ

  ଆଞ୍ଜୁଳାଏ ଅମୃତ

ତୁମ ଅବିଶ୍ବାସ ର ଅଗଣାରୁ 
ଫେରେଇ ଆଣିଥିବା ପାଦ ଯୋଡିକର
ସ୍ଥାନ ନିରୂପଣ କରୁଥିବା ବେଳେ,
ସମ୍ପର୍କର ଶିଢି ସବୁ ଭାଙ୍ଗୁଥିଲା
କାଚ ଖଣ୍ଡ ପରି।।
ହାରି ଯାଇଥିଲା ମୋ’ ସମସ୍ତ ସମର୍ପଣ 
ବିଶ୍ୱାସ ଘାତକତା ର ବିଷ ଚରି ସାରିଥିଲା, ମୋ’ ସାରା ଶରୀରରେ
ମୁଁ କିନ୍ତୁ ବେଫିକର୍ ଥିଲି,
ନିଜକୁ ନିଜେ ପ୍ରବୋଧନା ଦେଉଥିଲି
ତୁମକୁ ଛାଡି ମୁଁ ବଞ୍ଚି ପାରିବି ବୋଲି।।
ମୋ’ ହାତର ଆଞ୍ଜୁଳାଏ ଅମୃତ
ତୁମ ହଳାହଳ ବିଷ ପାଇଁ ଯଥେଷ୍ଟ
ହିଁ ଥିଲା, ସାରାରାତି ଅନ୍ଧାର ପାଇଁ
ଚେନାଏ ଆଲୋକ ସଦୃଶ
ସକାଳରୁ ସାୟାହ୍ନ ପର୍ଯ୍ୟନ୍ତ।।
ତୁମେ କହୁନ କେତେଦିନ ଆଉ
ତୁମ ହଁ ରେ ହଁ ଆଉ ନାଁ ରେ
ନାଁ ମିଶାଇ ବାର ମିଛ ଅଭିନୟ
କରି ଥାଆନ୍ତି ଯେ, କେବେ ତ
ଫେରିବାକୁ ଥିଲା।।
ମନ ଓ ହୃଦୟର ନିଃସଙ୍ଗ ପଣକୁ
କେବେ ତ କୋଳାହଳ 
କରିବାର ଥିଲା, ହଁ ଏବେ
ମୋ’ ମନ ଆକାଶରେ ଅନେକ
ଗର୍ଭାଳସୀ ତାରାଙ୍କ ରୋଷଣୀ,
ଜହ୍ନ ଆଲୋକରେ ଏବେ ମୁଁ ଓ 
ମୋ’ ପୃଥିବୀ ସବୁଦିନ ଗହଳ ଚହଳ।।
ଭୁଲି ସାରିଲିଣି କେବେଠାରୁ
ତୁମ ନିର୍ଯ୍ୟାତନା ର ଦିନ
ବନ୍ଦୀର ଜୀବନ, ନିଜର କାକୁସ୍ଥ ପଣ
ଏବେ ଖାଲି ସବୁଦିନ ପାର୍ବଣ ମୁଖର
ନିଜ ଇଚ୍ଛାରେ ସ୍ବାଧୀନ, ସୀମା ନିର୍ଦ୍ଧାରଣ।।
ଛାଡି ଆସିଛି ତୁମ ବୃଥା ଅହମିକା
ଇର୍ଷାର ଘୂଣପୋକ, ନିନ୍ଦା, ଅପମାନ
ନେଇ ଆସିଛି ନିଜ ସାଥେ
ନିଜର ମାନ ଓ ସମ୍ମାନ
ଜୀବନର ସରଳ ଗଣିତ
ଜିଇଁ ବାର ସକଳ ସୂତ୍ର
ମିଶାଣ, ଫେଡାଣ ଓ ହରଣ ଗୁଣନ।।
ଥରେ ଆସି ଦେଖତ ମୋ’ ହାତ
ଅଙ୍କା ପୃଥିବୀର ଚାରୁ ଚିତ୍ରପଟ୍ଟ
ମୁଁ ଗଢିଛି ଏକ ଅଷ୍ଟାଶ୍ଚର୍ଯ୍ୟ ର କୋଣାର୍କ
ଏଇ ନିରୂତା ଆଞ୍ଜୁଳାଏ ଅମୃତ ରେ
ଋତୁ ସବୁ ଫଗୁଣ ଫଗୁଣ
ଏବେବି ତୁମ ପାଇଁ ଖୋଲି ରଖିଛି
ମୋ’ର ହୃଦୟର ଯାଉଁଳି କବାଟ।।
ତଥାପି ବିଶ୍ୱାସ ରଖିଛି ଏଇ 
ଆଞ୍ଜୁଳାଏ ଅମୃତ ରେ ମୁଁ ତୁମକୁ
କରିବି ବିଷ ମୁକ୍ତ, ଏଇତ ଗୋଟେ ନାରୀର ସ୍ବର୍ଗସୁଖ, ସେଇ ଅମୃତମୟୀ
ସ୍ପର୍ଶ ରେ ବଦଳାଇ ପାରେ
ଚଣ୍ଡାଶୋକ କୁ ଧର୍ମାଶୋକ ରେ
ଭୁଲିଯାଇ ସବୁକିଛି ନିଜକୁ ଗଢିପାରେ
ଏକ ସ୍ୱୟଂ ସଂପୂର୍ଣ୍ଣା ଦେବୀ ରୂପରେ।।

   ମହାସ୍ମୀତା ଓଝା 

ଜଗତସିଂହପୁର ସାହିତ୍ୟ ପରିଷଦ
( ମକର) ସହ -ସମ୍ପାଦିକା ।।

Related posts

ସମସ୍ୟା ଘେରରେ ଥୁଆମୂଳ ରାମପୁର ବ୍ଳକ, ସମସ୍ୟା ର ସମାଧାନ ହେବ କେବେ ?

Sunil Chandra Nayak

ଅମଠା ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ର ଙ୍କ କୃତିତ୍ବ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମଧୁର କଳ୍ପନା

Sunil Chandra Nayak

Leave a Comment

error: Content is protected !!