ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମନ ଦର୍ପଣ

      ମନ ଦର୍ପଣ

    

    ବେଣୁଧର ସୂତାର

ଦେହ ବସନ୍ତରେ କୃଷ୍ଣଚୂଡା ରଙ୍ଗ
ଯୌବନ ନଦୀର ଉଛୁଳା ତରଙ୍ଗ
ଯଥା ତମସାର ଜୋଛନା ଜୁଆର
ସୁନେଲି ସପନେ ବେପଥୁ ଲହର ।
କୁହୁକରେ ମାଖେ ତାମସ ନୟନ
ସମୟର ଆପେକ୍ଷିକ ବ୍ୟବଧାନ
ମରୀଚିକାମୟ ସ୍ଵପ୍ନିଳ ଆଶ୍ଳେଷ   
ଏଦେହ ମନର ତୃଷ୍ଣା ଅବସୋସ । 
ସମ୍ମୋହିତ ମନ ଭାବ ଉନ୍ମାଦନେ
ଜୀବନେ ଯୌବନ ଚପଳ ଚୁମ୍ବନେ
ବୟସ ଅଙ୍ଗନେ ମାୟା ଅନ୍ତରାଳେ
ଉନ୍ମାଦିତ ମନ ପ୍ରେମ ପ୍ରୀତି ଛଳେ।
ସଂସାର ଜଞ୍ଜାଳ ଲହରି ଊତ୍ତାଳ
କାମନା ନିଆଁରେ ଜାଳେ ତିଳତିଳ
ବୟସ ରଙ୍ଗରେ ରଙ୍ଗମୟ ତନୁ
ସମୟ ସ୍ରୋତରେ କ୍ଷୀଣ ଦିନୁଦିନୁ।
ଜୀବନ ସୂରୁଯ ବାରୁଣୀ ର ତୀରେ
ମଉଳା ମନର ଘନ ତମିସ୍ରାରେ
ଶତ କାମନାର ମଧୁ ବିଜ୍ଞାପନ
ବିଷାଦ ବିଷରେ ପଳାତକ ମନ ।
ଶୌର୍ଯ୍ୟ ବୀର୍ଯ୍ୟଶାଳୀ
                      ଅବା ମହାବଳୀ
ସମୟର ଗତି ପାରେ କିବା ଟାଳି
ମନ ଦରପଣେ ନିଜ ପ୍ରତିଛବି
ନିରେଖି ପାରିବୁ ନିଶ୍ଚେ ଅନୁଭବି ।
ମନ ବିବେକର ଦ୍ଵନ୍ଦେ ବୁଡେ ସିନା
ପୁରୁଷାକାର ର ପ୍ରଚଣ୍ଡ ଚେତନା
ଆପଣାପଣର ଭାବ ନିବିଡ଼ତା
ଉଜ୍ଜୀବିତ କରେ ଦିବ୍ୟପ୍ରାଣସତ୍ତା ।
ଧରାରେ ଜୀବନ ନୁହେଁ ଚିର ସ୍ଥିତି
ନାହିଁ ତିଥି ବାର ଦି,ଦିନ ଅତିଥି
ମହତ ଚେତନା ଭରିଦିଏ ପ୍ରାଣେ
ଦୟା କ୍ଷମା ଭକ୍ତିପୂତ ଆଭୂଷଣେ ।
ଜୀବନ୍ତ ଏ ପ୍ରାଣ ଜୀବନର ପାଇଁ
ସୁଖ ଅଭିଳାଷ ଦୁଃଖ ନୀଳନଈ
ବିଭୁ ପଦେ ରଖ ଅଖଣ୍ଡ ବିଶ୍ୱାସ
ଲଭିବୁକରୁଣା କୈବଲ୍ୟ ପୀୟୂଷ ।

କେଶଦୁରାପାଳ କେନ୍ଦୁଝର 

Related posts

ଯେଉଁଠି ଦେବାଦେବୀ ଙ୍କ ପାଇଁ ଘର କିମ୍ବା ମନ୍ଦିର ନାହିଁ, ସେଠାରେ ଥିବା ଗରିବ ଲୋକଙ୍କ ଘର ଅଛି କି ନାହିଁ ସେକଥା ପଚାରେ କିଏ

Sunil Chandra Nayak

ଆସନ୍ତୁ ଜାଣିବା ବିଷ୍ଣୁ ପୁରାଣ ପଠନ ଓ ଶ୍ରବଣର ମହତ୍ତ୍ଵ ବିଷୟରେ କିଛି..

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ମନେପଡେ, ସବୁ ଆଜି

Sunil Chandra Nayak

Leave a Comment

error: Content is protected !!