କାଶତଣ୍ଡୀ
ଜାନକୀ ମହାନ୍ତ
ଶରତ ପ୍ରଭାତେ ଶିଶିର ବିଧୌତେ
ରବି’ ସ୍ୱର୍ଣ୍ଣାଭ କିରଣେ,
ଶୁଭ୍ର କାନ୍ତି ଆଭା ଅତି ମନୋଲୋଭା
କାଶତଣ୍ଡୀ ହସେ ବଣେ ।।
ଧୋବ ଫରଫର ମାଖି ଚାନ୍ଦ କର
ନାଚେ ନଈ ପଠା ଧାରେ,
ଭାସେ ଧଳା ମେଘ ଅଧୀର ଅମୋଘ
ନଭେ ପ୍ରୀତି ସମ୍ଭାରରେ ।।
କାଶତଣ୍ଡୀ ରାଣୀ ମଧୁ ପ୍ରଣୟିନୀ
କ୍ଷୀଣ କଟି ସ୍ୱଚ୍ଛ କାୟା,
ଅଙ୍ଗେ ଅଙ୍ଗେ ଭରା ନବ ଯଉବନ
ରୂପେ ମାଦକତା ମାୟା ।।
ତା’ ଶ୍ୱେତ ଚାମର ପରଶ ମଧୁର
ମନ ମୋହେ ଧୀର ଛୁଆଁ,
ଶୁଭ୍ର ଜ୍ୟୋତ୍ସ୍ନା ରଙ୍ଗେ ବୋଳି ଦିଏ ଅଙ୍ଗେ
ପଣତ ତା’ଅମାନିଆ।।
କରି ମଥା ନତ କରେ ପ୍ରଣିପାତ
ଗାଏ ପ୍ରେମର ରାଗିଣୀ,
ଉଷା କାଳେ ହସ ଉକୁଟି ଉଠେ ତା’
ମୁକୁତା ଫୁଆରେ ରାଣୀ।।
କାଶତଣ୍ଡୀ ଛୁଆଁ ଲଗାଇଲା ନିଆଁ
ଜାଗେ ମନେ ଶିହରଣ,
ଶାନ୍ତ ସୁକୋମଳ ବାତ ସୁଶୀତଳ
ଦିଏ ମଧୁ ଆଲିଙ୍ଗନ ।।
ଛାତି ତଳ ତାତି ପ୍ରଣୟରେ ମାତି
ବଢ଼େ ମହୁଲିଆ କୋହ,
ପ୍ରାଣବାୟୁ ଉଡି ଯିବା ଆଗରୁ ମୋ’
ଦେଖା ଦେବ ସାଥି କୁହ??
ରାଜ୍ୟ ଉପ-ସଭାପତି
ଓଡ଼ିଶା ସାହିତ୍ୟିକ ସଂଗଠନ
ଭୁବନେଶ୍ୱର, ଓଡ଼ିଶା
ବେଙ୍ଗାଲୁରୁ