ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ଦୀକ୍ଷାନ୍ତ କାର୍ଯ୍ୟକ୍ରମ

 ବାଲେଶ୍ଵର,୨୨/୯/୨୨- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ପୁଟବଗଡ ଗ୍ରାମ ଠାରେ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି । ନାଟ୍ୟ କ୍ଷେତ୍ରରେ ଗୁରୁ – ଶିଷ୍ୟ ପରମ୍ପରାର ସୁରକ୍ଷା ଏବଂ ଓଡ଼ିଶାର ବିଲୁପ୍ତପ୍ରାୟ ଲୋକ ନାଟକର ପୁନରୁଦ୍ଧାର କ୍ଷେତ୍ରରେ ସରକାରୀ ସହାୟତା ଓ ସୁରକ୍ଷା ପ୍ରଚେଷ୍ଟା ହିଁ ଏହି ଦୀକ୍ଷାନ୍ତ କାର୍ଯ୍ୟକ୍ରମର ଭିତ୍ତିଭୂମି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପ-ସଭାପତି ମନ୍ମଥ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଭାରତଲୀଳା ଗୁରୁ ସନ୍ତୋଷ କୁମାର ପାଢ଼ୀ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଏକାଡେମୀ ସଦସ୍ୟ ଅନିଲ କୁମାର ପାତ୍ର, ସରପଞ୍ଚ ବି. ସୁଦାମ, କୋରା ମହାରଣା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଲୁପ୍ତ ଲୋକ କଳାର ପୁନରୁଦ୍ଧାର ପ୍ରୟାସ ନିମନ୍ତେ ଏକାଡେମୀର ଏତାଦୃଶ ଉଦ୍ୟମ ପ୍ରତି ଭୂୟସୀ ପ୍ରଶଂସା କରିବା ସହିତ ଜନମାନସରେ ଲୋକ କଳା ପ୍ରତି ଦୁର୍ବଳତା ସୃଷ୍ଟି ପ୍ରୟାସ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗ୍ରାମସ୍ଥ ନାଟ୍ୟ ସଂସ୍ଥା ” ମା ” ସନ୍ତୋଷୀ ଲୋକନାଟ୍ୟ କଳା ସଂଘ”କୁ ବରିଷ୍ଠ ନାଟ୍ୟ ଗୁରୁ ଯୁଦ୍ଧିଷ୍ଠୀର ନାହାକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ବନଜ କୁମାର ସାହୁଙ୍କର ନିର୍ଦ୍ଦେଶନା କ୍ରମେ ” ରାଧା ପ୍ରେମ ଲୀଳା ” ଶିକ୍ଷାଦାନ ନିମନ୍ତେ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଏକାଡେମୀ ତରଫରୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ନାଏବ ସରପଞ୍ଚ ଗଗନ କୁମାର ନାହାକ, ସମିତି ସଭ୍ୟା ମୀନା କୁମାରୀ ସାହୁ, ନାଟ୍ୟ ସଂଘ ପରିଚାଳକ ବି. ନାଗେଶ୍ଵର ରାଓ, ବିଶ୍ଵେଶ୍ୱର ସାହୁ, ରାମେଶ୍ବର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ପରିଶେଷରେ ନାଟ୍ୟ ସଂଘ ପକ୍ଷରୁ ରାଧା ପ୍ରେମ ଲୀଳା ର କିୟଦ୍ ଅଂଶ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ନିରଞ୍ଜନ, ବାପି, ବାବି, ଅକ୍ଷୟ, ରିଙ୍କୁ ପ୍ରମୁଖ ସହାୟତା କରିଥିଲେ । କ୍ଷୀରୋଦ କୁମାର ଦୋରା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ସଂଘର ସଦସ୍ୟ ତଥା ରିପୋର୍ଟର ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଅଧିବାସ ଓ ବିଲ୍ଵବରଣ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା କୃଷ୍ଣଙ୍କ ଗୁରୁ ଭକ୍ତି

Sunil Chandra Nayak

ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଯିବା ରାସ୍ତାରେ ବିରାଟ ଗଛ ପଡି ରାସ୍ତା ଅବରୋଧ, ଅଧା ଘଣ୍ଟା ପରେ ଯାତାୟତ ସ୍ଵାଭାବିକ

Sunil Chandra Nayak

Leave a Comment

error: Content is protected !!