ସୁନୀଳ ଶରତ ତୋଷୁଛି ଚିତ୍ତ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
ସୁନୀଳ ଶରତ ଆଜି ତୋଷୁଅଛି ଚିତ୍ତ
ହସୁଛି ଧରଣୀ ରାଣୀ ଲାଜେଇ ବହୁତ
ସବୁଠାରେ ପ୍ରେମ ରଙ୍ଗ,
କୁମାର ପୂର୍ଣ୍ଣିମା ହେବ ମେଳ ହେବା ସାଙ୍ଗ ll ୧ll
ଗଗନ ପବନ ପୁଣି ବନ ଉପବନ
ଅତି ମନୋହର ଲାଗେ ଏହି ଯେ ଭୁବନ
ଶରତ ଯେ ରଂଗ ଭରି,
ସ୍ଥିର ସୌଦାମିନୀ ଟାଣି ଦେଲା ବସୁନ୍ଧରୀ ll୨ ll
ଶୁଭ୍ର କାଶତଣ୍ଡି ଶୋଭା କି ଦେବି ଉପମା
ଶୋଭାମୟ ଦିଶେ ଧରା ନାହିଁ ତା’ର ସୀମା
ପ୍ରକୃତି ରାଣୀ ଝଲସେ,
ଶୁଭ୍ର ଓଢଣୀ ଘୋଡେଇ ଧରଣୀ ଯେ ହସେ ll୩ll
ଶରଦଶଶୀ ନିର୍ମଳ ଜୋଛନାକୁ ଢାଳି
କୁମୁଦିନୀ ମନ କିଣଇ ଭଳିକି ଭଳି
ପ୍ରେମ ପରଶକୁ ଦେଇ,
ଶେଫାଳୀ ରଜନୀ ଗନ୍ଧା ବାସ ଚହଟଇ ll୪ ll
ନାନା ଜାତି ଫୁଲ ଫଳ କଦମ୍ବ ସହିତ
ଚତୁର୍ମାସ୍ୟା ସୁଧାରସ ଢାଳି ଉପସ୍ଥିତ
ପୁଣି ପାର୍ବଣ ଉତ୍ସବ,
ଧରା ଅବତରି ମାତା ଢାଳିବେ ବିଭବ ll୫ll
କାୟ ମନ ପ୍ରାଣ ଆତ୍ମା ହୁଏ ପୁଲକିତ
ପ୍ରେମ ରଙ୍ଗେ ଏ ଧରଣୀ ହୋଇ ରଙ୍ଗାୟିତ
ଶତ ଧନ୍ୟବାଦ ଦେଇ,
ଶରତକୁ ଧିରେ ଚାହେଁ ହୃଦେ ଲାଜ ବହି ll୬ll
ଫୁଲବାଣୀ, କନ୍ଧମାଳ