Uncategorizedସ୍ମୃତିରଞ୍ଜନ ଦାସ ଙ୍କ କବିତା କାଶତଣ୍ଡୀ by Sunil Chandra NayakSeptember 23, 2022September 23, 2022081 Share1 କାଶତଣ୍ଡୀ ଶରତ ଆସିଲା ଆକାଶ ଭାସିଲା ଧଳା ମେଘମାଳା ନେଇ ଧରଣୀ ବକ୍ଷରେ କାଶତଣ୍ଡୀ ମାଳା ଧୀରେ ଧୀରେ ଗଲା ଛାଇ । ସ୍ନେହ ଟିକେ ପାଇଁ ବିକଳ ସେ ହୋଇ ଯେବେ କାନ୍ଦିଲା ବାହୁନି ସେ ମନ୍ଦ ମଳୟ କାନେ କହିଗଲା ମା ତୋ ପ୍ରକୃତି ରାଣୀ । ସୁଲୁସୁଲୁ ବାଆ ଦେହେ ବାଜୁଥିଲା ମନ ଉଲ୍ଲସିଲା ଯେବେ ପ୍ରଫୁଲ୍ଲିତ ମନେ ଖୋଜିଲା ସେ ଦିନେ ମାଆକୁ ପାଇବା ଲୋଭେ । ସେହି ଦିନ ଠାରୁ ପୂଜେ ସେ ମାଆ କୁ ଅନ୍ତରରେ ଭକ୍ତି ନେଇ ଦରଶନ ଦେଲେ ସମର୍ପିବ ତନୁ ତାଙ୍କରି ଚରଣ ଧ୍ୟାଇ । ଅଶିଣ ଶେଷରେ ବାଜିଲା କାନରେ ମାଆ କାଳେ ଆସିଛନ୍ତି ଜଗତ ଜନନୀ ମହିଷା ମର୍ଦ୍ଦିନୀ ବେଶେ ପୂଜା ପାଉଛନ୍ତି । ନେହୁରା ହୋଇଲା ପାଦ ସେ ଧରିଲା କାହୁଁ କେତେ ଲୋକଙ୍କର ସେ ମୁଖକୁ ଟିକେ ଦରଶନ କରି ପୂଜିବ ତାଙ୍କ ପୟର । ହେଲେ ଏ ସମାଜ ଦେଲା ଅପବାଦ ରଙ୍ଗହୀନ ବାସହୀନେ ଦରଶନ କଥା ଦୂରେ ଥିଲା ତାର ଲୋଡ଼ା ନ ପଡିଲା ଦିନେ । ଗୁମୁରି ଗୁମୁରି କାନ୍ଦୁଥିଲା ତାର ଦର୍ଶନାଭିଳାଷୀ ମନ ଜନ୍ମକୁ ତାହାର କେତେ ଯେ ନିନ୍ଦିଲା ତୁଚ୍ଛ ମଣିଲା ଜୀବନ । ଏତିକି ବେଳେ ସେ ଦେଖିଲା ଯେ ଦଳେ ଲୋକ ନଇ ଆଡ଼େ ଗଲେ କାନ୍ଧରେ ବସାଇ ମୃଣ୍ମୟୀ ମୂରତି ଜଳରେ ବିସର୍ଜ୍ଜି ଦେଲେ ଜାଣିଲା ମାଆ ତା ଆସି ଚାଲିଗଲେ ଆଉ ଦେଖା ମିଳିବନି ଏ ଛୋଟ ଜୀବନ ହେଲା ଅର୍ଥହୀନ ଜୀବନ ତା ହିନିମାନୀ । ସୂରୁଜ ବୁଡିଲା ସଞ୍ଜ ନଇଁଗଲା ଆସିଲା ସେ ଦିନ ରାତି ନିରାଶା ହତାଶା ଉଦବିଘ୍ନ ମନରେ ବିତାଉ ଥିଲା ସେ ବସି । ହଠାତ୍ ଲାଗିଲା ସପନ ପରିକା ଆଖି ଖୋଲି ଦେଖେ ଆହା ଅଭାଗିନୀ ପାଖେ ମୃଣ୍ମୟୀ ମୂରତି ଉଭା ହୋଇଅଛି ଯାହା । ପାଖକୁ ଆସିଲେ ମୁଣ୍ଡ ଆଉଁସିଲେ କହିଲେ ଦେଇ ସେ ସ୍ନେହ ଖୋଜୁଥିଲୁ ବୋଲି ଆସିଲିରେ ମୁହିଁ ସୁଖ ଦୁଃଖ ପଦେ କହ । ସତ କିମ୍ବା ଇଏ ତା ଦୃଷ୍ଟିର ଭ୍ରମ ବୁଝି ତ ପାରିଲା ନାହିଁ ନୟନରେ ନେଇ ଅଶ୍ରୁ କେଇ ଧାର ନୀରବେ ଥିଲା ସେ ଚାହିଁ । କହିଲା ମାଆ ଗୋ ଆପଣେଇ ନିଅ ଦିଅ ସେ ପଣତ ଛାଇ ତୁମ ଛଡା ଏଇ ସଂସାରରେ ମୋର ଆପଣାର କେହି ନାହିଁ । ଶୋଇବାକୁ ଚାହେଁ ତୁମରି କୋଳରେ ଲୋଡ଼ା ନାହିଁ କିଛି ମୋର ପ୍ରାଣ ସମର୍ପୁଛି ତୁମରି ଚରଣେ କରିଦିଅ ଏକାକାର । ଜାଣିଲି ମାଆ ଗୋ ମାଆର ହୃଦୟ ସାଗର ଠାରୁ ବିଶାଳ ଛୋଟ ହେଉ ବଡ ସଭିଏଁଙ୍କ ପାଇଁ ସ୍ନେହ ତୁମ ଅନାବିଳ । ସମର୍ପେ ଯେ ପ୍ରାଣ ଅନ୍ତରରେ ଶ୍ରଦ୍ଧା ହୃଦୟେ ଭକତି ବହି ତୁମରି କରୁଣା ଲଭେ ଏକା ସେଇ ପାଖେ ସଦା ଥାଅ ରହି । ସ୍ମୃତିରଞ୍ଜନ ଦାସ ଭୁବନେଶ୍ବର