ବରଷା ଆକାଶ ବାହାଘର
ରବୀନ୍ଦ୍ର କୁମାର ବେହେରା
ନୂଆ ନୂପୁର କୁ ବରଷା ପିନ୍ଧିଛି
ଆଜି ତାର ବାହାଘର ,
ଗୋରା ମୁହଁ ତାର କଳା ଓଢଣୀ ର
ଦିଶେ କେଡେ ଚମତ୍କାର ।
ବାଜା ବାଜିଲାଣି ଘଡଘଡି ହାତେ,
ବିଜୁଳି ଫୁଟାଏ ବାଣ,
ଗଛ ଡାଳ ନାଚେ ଇନ୍ଦ୍ରଧନୁ ହସେ
ସଜାଇ ରଙ୍ଗ ତୋରଣ ।
ପୃଥିବୀ ମାଆ ର ମାଟି ପଣତ ରେ
ଲୁହ ପୋଛି ଓଦା କରି,
ସକେଇ ସକେଇ ତା ସଖି ମୌସୁମୀ
କାନ୍ଦୁଛି ବର୍ଷା କୁ ଧରି ।
ମାଆ କୁ ଛାଡିଛି ଗେହ୍ଲେଇ ମୌସୁମୀ
ଆଖି ମାନୁନାହିଁ ଲୁହ,
ଧାର ଧାର ତା’ର ବହିଚାଲିଛି ଲୋ
ମାଟି ,ବନ,ନଈ ସୁଅ ।
ଆକାଶ ବର ତା ନିଏ ହାତ ଧରି
“ଆ’ଲୋ ବରଷା ରାଣୀ,
ଏତେ ଲୁହ ତୋର ଅଭିଶାପ ଦେବ
ହେବ ନଈବଢି ପାଣି ।
ବରଷା ଆକାଶ ବାହାଘର ମଜା
ସବୁ ନେଲେ ଜୀବଜନ୍ତୁ
ରୌଦ୍ର ପରିହରି ଥଣ୍ଡା ପରଷିଲେ
ବରଷାରାଣୀ ତା ହାତୁ ।
ଶିଖରପୁର, କଟକ-୪