ପାପଡାହାଣ୍ଡି,1/9, ମନିସ –ଦୀର୍ଘ ଦିନ ହେଲା ରାସ୍ତା ଖରାପ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିଲେ | ପ୍ରଶାସନକୁ ଅବଗତ ପରେ ବି କେହି କିଛି ପଦକ୍ଷେପ ନେଲେ ନାହିଁ | ଯାହାର ପରିଣାମ ସ୍ୱରୂପ ଜଣେ ମହିଳା ଙ୍କୁ ଏହାର ଅବସ୍ଥା ଭୋଗିବାକୁ ପଡିଛି | ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ମହିଳାଙ୍କୁ ଗାଡି ଭିତରେ ପ୍ରସବ ହେବାକୁ ପଡିଛି | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରେ ସୀମାନ୍ତ ସାନବାର୍ଲି ପଂଚାୟତ ଜବାଗୁଡା ରାସ୍ତାରେ ବିଳମ୍ବିତ ରାତ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି | ଜବାଗୁଡା ଗ୍ରାମରେ ଅମ୍ବିକା ଯାନୀଙ୍କୁ ପାହାନ୍ତିଆ 3 ଟା ସମୟରେ ଗର୍ଭ ଯନ୍ତ୍ରଣା ହୋଇଥିଲା | ଆଶା କର୍ମୀ ଜନନୀ ସୁରକ୍ଷା ଗାଡି କୁ ଖବର ଦେଇଥିଲେ | 4.10 ସମୟରେ ଗ୍ରାମରେ ଆମ୍ବୁଲାନ୍ସ ବହୁ କଷ୍ଟରେ ପହଁଚି ଥିଲା | ସାଙ୍ଗେ ସାଙ୍ଗେ ଅମ୍ବିକା ଙ୍କୁ ଧରି ଫେରିବା ସମୟରେ ଗାଡି ଟି ଖରାପ ହୋଇ ଗଡି ନ ଥିଲା | ଡ୍ରାଇଭର ଅନ୍ଧାର ରାସ୍ତାରେ ଗାଡି ସଜାଡ଼ିବା ବେଳେ ଅମ୍ବିକା ଙ୍କ ଯନ୍ତ୍ରଣା ବଢ଼ି ଯାଇଥିଲା | ଶେଷରେ ସେ ଗାଡି ଭିତରେ ହିଁ ପ୍ରସବ ହୋଇଥିଲେ | ଗାଡି ସଜାଡ଼ିବା ପରେ ଉଭୟ ମା ଶିଶୁ ଙ୍କୁ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା | ପରେ ସୁସ୍ଥ ହେବା ପରେ ଘରକୁ ଫେରାଇ ଦିଆଯାଇଥିଲା | ରାସ୍ତାକୁ ନେଇ ଗ୍ରାମବାସୀ ଉଦବେଗ ପ୍ରକାଶ କରିଛନ୍ତି | ବାରମ୍ବାର ଏପରି ଗ୍ରାମବାସୀ ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନ ର ରାସ୍ତା ଉପରେ ନଜର ଦେବା ଲାଗି ନିବେଦନ କରିଛନ୍ତି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ