ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ ଗଳ୍ପ  ଯା ଦେବୀ ସର୍ବଭୂତେଷୁ—

    ଯା ଦେବୀ ସର୍ବଭୂତେଷୁ—

ଏ ଖଣ୍ଡ ମଣ୍ଡଳରେ ପୂଜକ ଶ୍ୟାମଘନ ତ୍ରିପାଠୀଙ୍କୁ ନଜାଣେ କିଏ ?ବିବାହ, ବ୍ରତୋପନୟନ,ଶନିମେଳା,ଆଖଣ୍ଡଳମଣି ମେଳା ପରି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ତ୍ରିପାଠୀଙ୍କୁ ସମସ୍ତେ ଖୋଜନ୍ତି ନିଶ୍ଚୟ।କିନ୍ତୁ ହନୁମାନ ଯଜ୍ଞ, ଗ୍ରାମଦେବୀ ପୂଜା,ଦୁର୍ଗାପୂଜା,ଲକ୍ଷ୍ମୀ ପୂଜା, ଗଣେଶ ପୂଜା ପ୍ରଭୃତି ସାମୁହିକ ପୂଜାପୂଜିରେ ତ୍ରିପାଠୀ ନନାଙ୍କୁ ବିଶେଷ ଭାବରେ ଖୋଜନ୍ତି।ନୈଷ୍ଠିକ ବ୍ରାହ୍ମଣ ଭାବରେ ସେ ବେଶ୍ ପ୍ରସିଦ୍ଧ।ନିର୍ଭୁଲ ମନ୍ତ୍ର ଉଚ୍ଚାରଣ,ସୁଲଳିତ ସ୍ବରରେ ଶ୍ଳୋକ ଆବୃତ୍ତି,ଉଦାତ୍ତ ଚଣ୍ଡୀପାଠ ପ୍ରଭୃତିରେ ତ୍ରିପାଠୀଏ ସୁଦକ୍ଷ।ଏତଦବ୍ୟତୀତ ତାଙ୍କର ଆକର୍ଷଣୀୟ ଚେହେରା ଓ ଶୁଦ୍ଧ ଆଚାର ବ୍ୟବହାର।ସେ ନିଜେ ଏସବୁ କରିବା ସହିତ କିଛି ବ୍ରାହ୍ମଣ ଯୁବକଙ୍କୁ ମଧ୍ୟ ପୁରୋହିତ କର୍ମକାଣ୍ଡ ଶିଖାଇ ଆତ୍ମନିର୍ଭରଶୀଳ କରାଇଛନ୍ତି।

ଆଜିକା ସମୟରେ ଭଲରୁ ଭଲ ମେଧାବୀ ବ୍ରାହ୍ମଣ ଛାତ୍ର ମାନେ ଚାକିରି ନପାଇ ହାହୁତାଶରେ ସମୟ କଟାନ୍ତି।ରାଜନୀତିର ଧାର୍ ନଧାରି ମଧ୍ୟ ସେମାନେ କୁଜି ନେନା ମାନଙ୍କର ହାତବାରିସି ସାଜି ମଦ ଓ ଛୁରୀର ଆଶ୍ରୟ ନିଅନ୍ତି। ସଂପ୍ରତି କୋଟା ବ୍ୟବସ୍ଥା ସେମାନ ଙ୍କୁ ଚାକିରି ପାଇବାରେ  ବାଧକ ସାଜେ । ସେମାନଙ୍କ ଆଖି ଆଗରେ ସେମାନଙ୍କ ଠାରୁ ପାଠଶାଠରେ ଢେର୍ ପଛୁଆ ଅନ୍ୟ ଜାତିର ପିଲାମାନେ ସରକାରୀ ଚାକିରି ପାଇ ସଗର୍ବେ ଛାତି ଫୁଲାଇ ବାଟ ଚାଲନ୍ତି। ହତାଶରେ ବୁଡିଯାଉଥିବା ବ୍ରାହ୍ମଣ ଯୁବକମାନଙ୍କୁ ନେଇ ତ୍ରିପାଠୀଏ ସ୍ବତନ୍ତ୍ର ପୂଜକ ଗୋଷ୍ଠୀଟିଏ ସୃଷ୍ଟି କରିଛନ୍ତି।ବର୍ଷ ତମାମ ତାଙ୍କୁ ଓ ତାଙ୍କ ଗୋଷ୍ଠୀକୁ ଫୁରୁସତ ନଥାଏ।

ଦୁର୍ଗାପୂଜା ସମୟରେ ତ୍ରିପାଠୀ ନନାଙ୍କ ଖାତିରି କାହିଁରେ କ’ଣ ବଢିଯାଏ। ବେଲବରଣ,ସନ୍ଧିପୂଜା ଠାରୁ ଦଶହରା ଦିନ ଠାକୁରାଣୀଙ୍କ ବିସର୍ଜନ ଯାଏ ସେ ମୁହୂର୍ତ୍ତଟିଏ ଅବସର ପାଆନ୍ତି ନାହିଁ। ସେ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାକୁ ପୂଜା କଲାବେଳେ ପ୍ରତିମାରେ ସ୍ବୟଂ ଦୁର୍ଗାଦେବୀ ସଶରୀରେ ଆବିର୍ଭାବ ହେବା ଭଳି ପ୍ରତୀୟମାନ ହୁଏ।

 ଏବର୍ଷ ଦୁର୍ଗାପୂଜା ସମୟରେ ତ୍ରିପାଠୀ ନନା ବଡ ଚିନ୍ତାରେ ପଡିଲେ। ଅଶି ବର୍ଷ ବୟସ୍କା ତାଙ୍କ ରୋଗିଣା ବୋଉ କତରାଲଗା ହୋଇ ପଡିଛି। ଯଦି ପୁଜା ଦିନେ ଦୁଇଦିନ ପୂର୍ବରୁ ବୋଉର ଦେହାନ୍ତ ହୋଇଯାଏ ତେବେ ଅଣଶୁଦ୍ଧିଆ ହୋଇଯିବ। ତ୍ରିପାଠୀଏ ପୂଜାପୂଜି କରିପାରିବେ ନାହିଁ। ଭୋଗରାଗ ଦାନ ଦକ୍ଷିଣା କିଛି ବି ମିଳିବ ନାହିଁ। ଯାହାହେଉ ଦୁର୍ଗାପୂଜା ସମୟରେ ବୋଉର ଦେହାନ୍ତ ହେଲାନାହିଁ।ବରଂ ପୂର୍ବ ବର୍ଷ ଅପେକ୍ଷା ତ୍ରିପାଠୀଏ ବେଶ୍ ଅଧିକ ଆୟ କଲେ।

   ଦୁର୍ଗା ମାଆଙ୍କର ବିସର୍ଜନ ପୂଜା କଲାବେଳେ ଶ୍ୟାମଘନ ତ୍ରିପାଠୀଙ୍କ ଆଖିରେ ଲୁହର ପ୍ଳାବନ।ଲୁହ ପୋଛି ପୋଛି ପୂଜା ସାରି ରାତିରେ ତ୍ରିପାଠୀଏ ଘରକୁ ଫେରିଲେ।

      କବାଟ ଖଡଖଡ ଶୁଭିଲା।ରୋଗିଣା କତରାଲଗା ବୋଉ ଡାକିଲା –“ଶାମରେ ଶୁଖିଲା ଲୁଗା ଖଣ୍ଡେ ଦେଇଯା। ପିନ୍ଧାଲୁଗାଟା ଝାଡା ପରିସ୍ରା ପଡି ଅସନା ହୋଇଯାଇଛି।ତୁ ଲୁଗାଟା ଦେଲେ ମୁଁ ନିଜେ ନିଜେ ପାଲଟି ଦେଇପାରିବି।ଏଇ ଛୋଟିଆ କାମଟା ପାଇଁ ବୋହୂକୁ ଘଡିଏ ହେଲା ଡାକୁଛି ଯେ ମୋ ଡାକ ତା କାନରେ ପଶୁନି।ହଅବା, ମୁଁ ତା’ର କିଏକି ?”

     “ରହ ତତେ ଭଲକି ସଫା କରିଦେଉଛି।” –କହି ଶ୍ୟାମଘନ ବୋଉକୁ ଦୁଇ ହାତରେ ଟେକି ଧରି ଘର  ପଛ ପାଖ ଗଡିଆକୁ ଚାଲିଲେ।

ବୋଉର ପେଜୁଆ ଆଖି ଦୁଇଟିରେ ଏକ ସମୟରେ ସୁଖ ଓ ଦୁଃଖର ଭାବ ଉକୁଟି ଉଠିଲା। ସୁଖ–ଏଇଥିପାଇଁ ଯେ ପୁଅର ଦୁଇ ହାତ ତାଙ୍କୁ ଅଭୟ ଆଶ୍ରୟ ଭଳି ମନେ ହେଉଥିଲା।ବାପା କୋଳରେ କୁନିଝିଅଟିଏ ଯେତିକି ଖୁସି ଅନୁଭବ କରେ,ଯେତିକି ନିରାପତ୍ତା ଅନୁଭବ କରେ,ବୋଉ ପୁଅ ହାତରେ ସେତିକି ଖୁସି ଅନୁଭବ କରୁଥିଲେ। ଦୁଃଖ—ଏଇଥି ପାଇଁ ଯେ, ପୁଅଟା ଖଟି ଖଟି ଆସିଥିଲା।ବିଶ୍ରାମ ନେଇଥାଇନ୍ତା।କିନ୍ତୁ ବୋଝ ଉପରେ ନଳିତାବିଡା ପରି ତାଙ୍କ ଗୋଡ ହାତ ଚଳୁନଥିବାରୁ ସେ ପୁଅ ଉପରେ ବୋଝ ହୋଇଗଲେ।ତାଙ୍କ ନିଷ୍ପ୍ରଭ ଆଖି ଦୁଇଟିରେ ଦୁଇ ବୁନ୍ଦା ଲୁହ ଚିକ୍ ଚିକ୍ କଲା।

ପ୍ରସେସନ୍ ସହ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାର ଭସାଣି ଉତ୍ସବ ଚାଲିଥିଲା।

ତା’ପରଦିନ ପୁଣି ଏକ ନୂଆ ସକାଳ। ନଈରେ ଦୁର୍ଗା ମାଆଙ୍କର ମୃଣ୍ମୟୀ ମୂର୍ତ୍ତି।ଶ୍ୟାମଘନଙ୍କ ଗଡିଆରେ ତାଙ୍କ ବୋଉଙ୍କ ମୃତ ଶରୀର।ଡାକବାଜୀ ଯନ୍ତ୍ରରୁ ଭାସି ଆସୁଥିଲା –“ଯା ଦେବୀ ସର୍ବଭୂତେଷୁ,ମାତୃରୂପେଣ ସଂସ୍ଥିତା—-“

 

                                   ମମତା ଶତପଥୀ

                                                  କେନ୍ଦ୍ରାପଡା

 

Related posts

ବାଇକ ଉପରେ ପଡିଲା ଗଛ,ଅଳ୍ପକେ ବର୍ତିଲେ ଚାଳକ

Sunil Chandra Nayak

ଜଗଦୀଶ ଶତପଥୀ ଙ୍କ କବିତା ସତ୍ୟର ସହର

Sunil Chandra Nayak

କବିତା ସାହୁ  ଙ୍କ କବିତା ସ୍ମୃତି ଏକ ରୂପା ଜହ୍ନ 

Sunil Chandra Nayak

Leave a Comment

error: Content is protected !!