ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘର କଥା

   ମୋ ଘର କଥା

           

       ଅପର୍ତ୍ତି ସେଠୀ

      ‌ (ରମ୍ୟ ରଚନା)
ଗାଆଁରେ ମୋହର ଦିଇ ବଖୁରିଆ‌
      ନୁଆଁଣିଆ ଚାଳଘର,
ମୋ ପିଲାଛୁଆଙ୍କୁ ଛାଡି ଦେଲାପରେ
      ଅନେକ ମୋ ପରିବାର।
ଅତି କମ୍‌ରେ ଦି’ ଚାରି ଡଜନ
      ମୂଷା ଅଛନ୍ତି ମୋ ଘରେ,
ବେଙ୍ଗ,ଚୁଚୂନ୍ଦ୍ରା‌ ଓ ଅସରପା’ଙ୍କୁ
      ସହଜେ କି ଗଣିପାରେ?
ଝିଟିପିଟି,ବିଚ୍ଛା ଯେ ତେଲୁଣିପୋକ 
      ଜନ୍ଦା କି ପିମ୍ପୁଡ଼ିମାନେ,
ଦାଦାଗିରି କରି ରହନ୍ତି ମୋ ଘରେ
      ଭଡା ଦିଅନ୍ତିନି ଦିନେ।
ଚାଳେ‌ ରହୁଥିଲା ଘରଚଟିଆଟି
      ଆଉ ଦେଖାଯାଉ ନାହିଁ,
ବୁଢି ବୁଢିଆଣୀ ଜାଲ ବିଛେଇଛି
       କୀଟଙ୍କୁ ମାରିବା ପାଇଁ।
ବେଳେବେଳେ ଚିତି‌ ସାପଟିଏ‌ ପୁଣି
       ପଡ଼ିଯାଏ ମୋ ଆଖିରେ,
ବତା,ବାଉଁଶ କି ଫଟା କାନ୍ଥରେ ସେ
       ପଶିଯାଏ ଧୀରେ ଧୀରେ।
ମୋ ଘରର ମଝି ଶାଳ ଖୁଣ୍ଟଟାକୁ‌
       ଉଈ ଯାଇଛନ୍ତି ଚରି,
ଭାଗବତ ବହି ମୋ ବ୍ୟାସ ଆସନ
       ଦିଶୁଛି ଝାଲିରି ପରି।
ସଞ୍ଜ ନ‌ଇଁଗଲେ ଚେମେଣିଆଙ୍କର
      ମେଲଣ ଲାଗେ ମୋ ଘରେ,
ଚେମିଣି‌ ଆଲୁଏ ମୋ ଗରୀବ ଘର
       ପୁରିଯାଏ‌ ଆଲୁଅରେ।
ଭୂଆଁ ବିଲେଇଟା ପୁଷିବିଲେଇର
       ଛୁଆଗୁଡା ମାରିଦେଲା,
 ମିଆଁଉ ମିଆଁଉ କାନ୍ଦି କାନ୍ଦି ପୁଷି
       ବିକଳରେ ଖୋଜୁଥିଲା।
ମୋ ଘରଦୁଆର‌ ସିକ୍ଯୁରିଟିଗାର୍ଡ‌
       ମୋର ଭାଲୁଆ‌ କୁକୁର,
ମୋଦାଣ୍ଡେ ତାହାର ରାଜୁତିଟା‌ ଚାଲେ
       ପ୍ରବେଶ ନାହିଁ କାହାର।
ଗଣ୍ଡେ ଭାତ ଖଣ୍ଡେ ରୁଟି ଖାଇ ସିଏ
       ମୋତେ ଭାରି ଭଲ ପାଏ,
ମୋ ଭଳି ଗରୀବ ମଣିଷଟାକୁ ସେ
        ତା’ମାଲିକ ମାନୁଥାଏ।
ପିଢାରେ ମାଡିଛି‌ କଖାରୁ ଡଙ୍କ‌ ଯେ
        ଫୁଲ କଷି ଧରୁଧରୁ,
ଗୋଟିଏ କଖାରୁ ଖାଇପାରୁନାହିଁ
       ଏ, ମାଙ୍କଡଙ୍କ ‌କବଳରୁ।
ପେଣ୍ଠି‌ କୁକୁଡାଟି‌ ଯତ୍ନେ ପାଳିଥିଲି
       ଅଣ୍ଡା ସିଏ ଦେଉଥିଲା,
 କୁଡିକି‌ ସେ ହେଲା ଛୁଆ ଫୁଟେଇଲା
       ବାଜପକ୍ଷୀ ଝାମ୍ପିନେଲା।
 ଜମି ଗୁଣ୍ଠେ ନାହିଁ ଛେଳି ପାଳିଥିଲି
       ବଜବଜିଆରେ‌ ମଲା,
 କଣ୍ଟ୍ର୍ରୋଲ୍‌ ଚାଉଳ ମୁଠାଏ ପାଇଁକି
       ଅନେଇ ମୋ ଦିନ ଗଲା।
 ଏତେ ପରେ ମୁହିଁ ବଡ଼ ସୁଖୀଟିଏ
       ଆନନ୍ଦରେ ବଞ୍ଚିଅଛି,
 ଭଲରେ ଭଲରେ ମରିବା ପାଇଁ ମୁଁ
      ଠାକୁରଙ୍କୁ ଡାକୁଅଛି।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

   

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଆସିଛି ପହିଲି ରଜ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ରାତ୍ରି

Sunil Chandra Nayak

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀ ସାହୁ ଜିଲ୍ଲା ପରିଷଦ ସଦସ୍ୟ ପଦରୁ ଇସ୍ତଫା 

Sunil Chandra Nayak

Leave a Comment

error: Content is protected !!