ନିରିମାଖି ଝିଅ
କବିତା ଦାଶ
ଆଖିରେ ଆଖିଏ ସପନକୁ ମାଖି
କୁଆଁର ପୁନେଇଁ ଆସିଛି ଆଜି
ସାଥୀ ସଙ୍ଗାତଏ ପୁଚି ଖେଳୁଛନ୍ତି
ପୁନେଇଁ ରାତିର ଜୋଛନେ ଭିଜି ।
ଚାରି ଚାରି ଭାଇ ଥାଇବି ତ ସିଏ
ଦଲାଲ୍ ହାତରେ ହେଉଛି ବିକି
ନିରିମଖି ଝିଅ ଯାଏ ଦୂର ହୋଇ
ଆଖିର ଲୁହ କୁ ଆଖିରେ ଜାକି ।
ଗରିବ ଘରେ ତା ଜନମିବା ପାପ
ଝିଅ ହେବା ପୁଣି ଆହୁରି ବୋଝ
ଛାଡ଼ି ଗାଆଁ ଭୂଇଁ ଯାଏ ବହୁ ଦୂର
ମେଣ୍ଟେଇବ କାହା ମନର ଭୋକ ।
କେଡ଼େ ସରାଗରେ ପୂଜିଥିଲା ଚାନ୍ଦ
ଉପାସରେ ଚାନ୍ଦ ବେଳକୁ ଚାହିଁ
ମନରେ କଳନା କରିଥିଲା କେତେ
ଚାନ୍ଦ ପରି ବର ପାଇବା ପାଇଁ ।
ମାଗି ନ ଥିଲା ସେ ସରଗର ଚାନ୍ଦ
ମାଗି ଥିଲା ସିଏ ଚାଖଣ୍ଡେ ଜାଗା
ଦି ଓଳି ଦି ମୁଠା ଖାଇବାକୁ ଭାତ
ପିନ୍ଧିବା ପାଇଁକି ଖଣ୍ଡିଏ ଲୁଗା ।
ଗୁମୁରି ଗୁମୁରି କାନ୍ଦୁଥିଲା କେତେ
ପାହାଡ଼ ଜଙ୍ଗଲ କୋଳରେ ବସି
ଛେଳି ଜଗୁଥିଲା ବିଲେ ଖଟୁଥିଲା
ଦୁଃଖ ଭୁଲି ଟିକେ ଦିଅଇ ହସି ।
ସେଦିନ କୁଆଁର ପୁନେଇଁ ରାତିରେ
ଲିଭିଯାଇ ଥିଲା ତା ଓଠୁ ହସ
ଭାଉଜ ମାନେ ତା ପେଡ଼ି କୁ ସଜାଇ
କହୁଥିଲେ ଝିଅ ଝଅଟ ଆସ ।
ବଉଳବେଣୀ ର ଗୀତ ଶୁଭୁଥିଲା
ହସ ରୋଳ ସହ ଗାଆଁ ଦାଣ୍ଡରେ
ଆକାଶରେ ଚାନ୍ଦ ଫୁଟି ହସୁଥିଲା
ଝିଅ ଯାଉଥିଲା ଦରିଆ ପାରେ ।
ନିରାକାରପୁର ଖୋର୍ଦ୍ଧା